ନୂଆଦିଲ୍ଲୀ: ମୋଟର ଯାନ ଅଧିନିୟମ ଅଧିନରେ ବିଭିନ୍ନ ଡକ୍ୟୁମେଣ୍ଟ ଓ ପ୍ରମାଣପତ୍ର ବୈଧତା ଅବଧି ଜୁଲାଇ 31କୁ ବଢାଯାଇଛି । ଦେଶରେ ଲକଡାଉନ ଜାରି ରହିଥିବା ନବୀକରଣ ସମ୍ଭବ ହେଉନାହିଁ । ଏଥିଯୋଗୁଁ ଗାଡିର ପରମିଟ ସମୟସୀମାକୁ ବଢାଯାଇଛି ।
ସରକାରଙ୍କ ଏହି ନିର୍ଣ୍ଣୟ ଅନୁଯାୟୀ ଫେବୃଆରୀରୁ ନବୀକରଣରେ ବିଳମ୍ବ ପାଇଁ କୌଣସି ଅତିରିକ୍ତ ଶୁଳ୍କ କିମ୍ବା ବିଳମ୍ବ ଶୁଳ୍କ ନିଆଯିବ ନାହିଁ । ଏକ ସରକାରୀ ବିଜ୍ଞପ୍ତି ଅନୁସାରେ କୋଭିଡ-19 ମଧ୍ୟରେ ଲୋକଙ୍କ ସୁବିଧାକୁ ନଜରରେ ରଖି କେନ୍ଦ୍ର ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଣଳୟ ଏ ନେଇ ଆଦେଶ ଜାରି କହିଛି ।
ବିଜ୍ଞପ୍ତିରେ ଦର୍ଶାଯାଇଛ କି, ଏହି ଡକ୍ୟୁମେଣ୍ଟର ନବୀକରଣ ସମେତ କୌଣସି ଗତିବିଧି ପାଇଁ ଫେବୃଆରୀ 1 କିମ୍ବା ତା ପରଠୁ ଯଦି ଶୁଳ୍କ ଜମା ମଧ୍ୟ କରିଦିଆଯାଇଛି ହେଲେ କୋରୋନା କଟକଣା ମଧ୍ୟରେ ସେହି ଗତିବିଧି ପୂରା ହୋଇପାରୁନାହିଁ ତେବେ ଜମା ଶୁଳ୍କ ଏବେବି ବୈଧ ଧରାଯିବ ।
ଯଦି ଫେବୃଆରୀ 1ରୁ ଲକଡାଉନ ଅବଧି ଯାଏଁ ଶୁଳ୍କ ଜମା କରିବା ପାଇଁ ବିଳମ୍ବ ହୁଏ, ତେବେ ଏହା ବାବଦରେ ଜୁଲାଇ 31 ଯାଏଁ କୌଣସି ପ୍ରକାର ଅତିରିକ୍ତ ଶୁଳ୍କ ବା ବିଳମ୍ବ କର ନିଆଯିବ ନାହିଁ ।