1 କ୍ବିଣ୍ଟାଲ ସୁନାର ଆନୁମାନିକ ମୂଲ୍ୟ ପାଖାପାଖି 30 ଲକ୍ଷ ଟଙ୍କା । କିନ୍ତୁ ଚୋରା ଚାଲାଣରେ ଏତିକି ପରମାଣର ସୁନାର ଦାମ ମାତ୍ର 19 ଲକ୍ଷ । ଗହଣା ବ୍ୟବସାୟୀ ଯେତିକି ସୁନା କିଣନ୍ତି ସେଥିରୁ ପ୍ରାୟ 38.5 ପ୍ରତିଶତ ଟ୍ୟାକ୍ସ ଦିଅନ୍ତି ଓ ଚୋରା ଚାଲାଣ କରି କିଲୋ ପିଛା ପ୍ରାୟ 11 ଲକ୍ଷ ଟଙ୍କା ଲାଭ ପାଇଥାଆନ୍ତି । ଯଦି 10 କିଲୋ ବେଆଇନ ଭାବରେ ସୁନା କିଣନ୍ତି ତେବେ ପ୍ରାୟ 1 କୋଟି ଟଙ୍କାର ଲାଭ ବ୍ୟବସାୟୀ ମାନେ ପାଇବେ । ଆଉ ଏଥିଯୋଗୁଁ ମାଲାମାଲ ହେଉଛନ୍ତି ସ୍ମଗଲର । ଫଳରେ ଦେଶରେ ବେଆଇନ ସୁନା କାରବାର ବଢିବାରେ ଲାଗିଛି ।
ନିଶା ଦ୍ରବ୍ୟ ପରେ ଯଦି କିଛି ଅଧିକ ମାତ୍ରାରେ ଚୋରା ଚାଲାଣ ହୁଏ ତେବେ ତାହା ହେଲା ସୁନା । ଏହି ଚାଲାଣର ଚେର ଆନ୍ତର୍ଜାତୀୟ ସ୍ତର ଯାଏଁ ଲମ୍ବିଛି । ରାଜସ୍ବ ଅଧିକାରୀ ଓ ଏୟାରପୋର୍ଟ ସିକ୍ୟୁରିଟି ପ୍ରତିଦିନ କୌଣସି ନା କୌଣସି ସୁନା ଚୋରା ଚାଲାଣ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରନ୍ତି । ତେବେ ଯେତିକି ମାତ୍ରାରେ ବେଆଇନ ସୁନା ଜବତ ହୁଏ ତା'ର ଦୁଇଗଣ ସୁନା ଦେଶ ଭିତରେ ପ୍ରବେଶ କରେ । ଯଦିଓ ସେମାନେ ଧରାପଡନ୍ତି ହେଲେ ଉପଯୁକ୍ତ ପ୍ରମାଣ ଅଭାବରୁ କାରବାର ପଛର କିଙ୍ଗପିନ ହାତଛଡା ହୋଇଯାଏ ।
ସୁନା ଚୋରା ଚାଲାଣ ପାଇଁ ଆକାଶପଥକୁ ସବୁଠୁ ସୁଗମ ପଥ । ତେବେ ବିଭିନ୍ନ ଉପାୟରେ ସୁନା କାରବାର କରାଯାଏ । ମେହେନ୍ଦିରେ ସୁନାକୁ ମିଶାଇ ସାଧାରଣ ବ୍ୟାଗରେ ଅଣାଯାଏ । ଏପରିକି ପାସେଞ୍ଜରଙ୍କ ବ୍ୟାଗ ସହ ମଧ୍ୟ ହେରାଫେରି କରାଯାଏ । ସାଧାରଣତଃ ଡୋମେଷ୍ଟିକ ପାସେଞ୍ଜରଙ୍କ ପାଇଁ ସୁରକ୍ଷା ଏତେ କଡାକଡି ନଥାଏ । ତେଣୁ ସେମାନଙ୍କ ସହାୟତାରେ ସୁନା କାରବାର ହୁଏ । ଏପରିକି ବର୍ତ୍ତମାନ ସୁନାକୁ ଛୋଟ ଛୋଟ ମଞ୍ଜି ଆକାରରେ କରି ତାକୁ ଚକୋଲେଟ ସହ ମିଶାଇ ମଧ୍ୟ ଚାଲାଣ ହେଉଛି । ଏହାସହ କେତେକ ବ୍ୟକ୍ତି ଶରୀରର ବିଭିନ୍ନ ଅଙ୍ଗ ସହାୟତାରେ ମଧ୍ୟ ଚାଲାଣ କରୁଛନ୍ତି ।
ଜିଜେଇପିସି(Gems and jwellery export promotion council)ଙ୍କ ମତରେ ମାର୍ଚ୍ଚ 2013ରୁ ଅପ୍ରିସ 2014 ମଧ୍ୟରେ ବେଆଇନ ସୁନା କାରବାର ପ୍ରାୟ 300 ପ୍ରତିଶତ ବୃଦ୍ଧି ପାଇଛି । ପ୍ରତିଦିନ ଚୋରା ଚାଲାଣ କରୁଥିବା ବ୍ୟକ୍ତିକୁ ଧରାଯାଉଛି । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଶତ ପ୍ରତିଶତରୁ ମାତ୍ର 10 ପ୍ରତିଶତ ସୁନା ଜବତ କରାଯାଉଛି ବାକି 90 ପ୍ରତିଶତ ଚାଲାଣ ହେବାରେ ସଫଳ ହେଉଛି । ତେବେ ବେଆଇନ ସୁନା କାରବାରରେ ଧରା ଯାଇଥିବା ଆସାମୀଙ୍କୁ କେବଳ ଅର୍ଥ ଦଣ୍ଡ ଦେଇ ଖଲାସ କରାଯାଉଛି କିନ୍ତୁ ଏଥିପାଇଁ କଡା ଆଇନ ହେବା ଜରୁରୀ ହୋଇପଡିଛି । କାରଣ ଏହା ଦ୍ବାରା କଳାଧନ ବେପାର ବୃଦ୍ଧି ପାଉଛି । ଫଳରେ ରାଜସ୍ବ ହ୍ରାସ ପାଉଛି । ଯେଉଁଥିପାଇଁ ମୁଦ୍ରାସ୍ପୀତି ଉପରମୁହାଁ ହେଉଛି ।