ନୂଆଦିଲ୍ଲୀ: ଋଣ ପୁର୍ନଗଠନ ଯୋଜନା ଶୀଘ୍ର ଲାଗୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କ ଓ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (ଏନବିଏଫସି) ପ୍ରମୁଖଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ସେ କୋଭିଡ-19 ସହ ଜଡିତ ଆର୍ଥିକ ଚାପର ସମାଧାନକୁ ନେଇ ତତ୍କାଳ ନୀତି ପ୍ରସ୍ତୁତ ଓ ଯୋଗ୍ୟ ଋଣଗ୍ରହୀତାଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ ନିକଟରେ ପହଞ୍ଚିବା ପାଇଁ ଗୁରୁତ୍ୱ ଦିଆଯାଇଛି ।
ସୀତାରମଣ ଏହା ଉପରେ ମଧ୍ୟ ଜୋର ଦେଇଛନ୍ତି କି , 2020 ସେପ୍ଟେମ୍ବର 15 ସୁଦ୍ଧା ଏହି ଯୋଜନା କାର୍ଯ୍ୟକାରୀ କରାଯିବା ଉଚିତ ଏବଂ ଏହା ବିଷୟରେ ଏକ ବ୍ୟାପକ ସଚେତନତା ଅଭିଯାନ କରିବା ଆବଶ୍ୟକ ।
ଅର୍ଥ ମନ୍ତ୍ରଣାଳୟର ବିବୃତ୍ତି ଅନୁଯାୟୀ, ‘‘ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ବୈଠକରେ ସୀତାରମଣ ବ୍ୟାଙ୍କ ଓ ଏନବିଏଫସିକୁ କହିଛନ୍ତି କି , ଚାପଗ୍ରସ୍ତ ଋଣର ସମାଧାନ ପାଇଁ ତତ୍କାଳ ନିଜ ନିଜର ନିର୍ଦ୍ଦେଶକ ବୋର୍ଡ ଦ୍ବାରା ଅନୁମୋଦିତ ଏକ ନୀତି ଲାଗୁ କରାଯାଉ । ଏହା ପରେ ଯୋଗ୍ୟ ଋଣଗ୍ରହୀତାଙ୍କୁ ଚିହ୍ନଟ କରି ସେମାନଙ୍କ ପାଖରେ ପହଞ୍ଚିବବା ପାଇଁ ଚେଷ୍ଟା ହେଉ ।’’
ସେ କହିଛନ୍ତି ଯେ ପ୍ରତ୍ୟେକ କାର୍ଯ୍ୟକ୍ଷମ କମ୍ପାନୀର ପୁନରୁଦ୍ଧାର ପାଇଁ ବ୍ୟାଙ୍କଗୁଡିକ ଶୀଘ୍ର ସମାଧାନ ଯୋଜନା କାର୍ଯ୍ୟକାରୀ କରିବା ଉଚିତ । ପ୍ରକାଶ ଯେ, ଋଣ କିସ୍ତି ସ୍ଥଗିତ ଅବଧି ଅଗଷ୍ଟ 31ରେ ଶେଷ ହେବା ପରେ ଚାପଗ୍ରସ୍ତ ଋଣଗ୍ରହୀତାଙ୍କୁ ରିଲିଫ ଦେବା ପାଇଁ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କକୁ ଏକକାଳୀନ ପୁର୍ନଗଠନ ପାଇଁ ଅନୁମତି ଦେଇଛି ।
ଆରବିଆଇ ଅଗଷ୍ଟ 6 ରେ ଏ ନେଇ ଅଧିସୂଚନା ଜାରି କରି କହିଥିଲା କି, ଆର୍ଥିକ ଚାପଗ୍ରସ୍ତ ଏମଏସଏମଇଗୁଡିକୁ 2021 ମାର୍ଚ୍ଚ 31 ଯାଏଁ ଲୋନ ରିଷ୍ଟ୍ରକଚରିଂ ବା ଋଣ ପୁର୍ନଗଠନ ସ୍କିମର ଫାଇଦା ଦିଆଯିବ । 2020 ମାର୍ଚ୍ଚ 1 ସୁଦ୍ଧା ଯଦି ସେମାନଙ୍କ ଋଣ ଆକାଉଣ୍ଟ ଷ୍ଟାଡାର୍ଡ ଭାବେ ବର୍ଗୀରଣ ହୋଇଥିବ, ତେବେ ସେମାନଙ୍କ ଏହି ସ୍କିମର ଲାଭ ଉଠାଇପାରିବେ । କେତେକ ଋଣର ପୁର୍ନଗଠନ ପାଇଁ ସ୍ପେଶାଲ ୱିଣ୍ଡୋ ତିଆରି ହେବ । ଏଥିପାଇଁ କେ. ଭି କାମଥଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଆବଶ୍ୟକୀୟ ଆର୍ଥିକ ମାପଦଣ୍ଡ ଉପରେ ଏ କମିଟି ଆରବିଆଇକୁ ପରାମର୍ଶ ଦେବ । ଏ ନେଇ ଆଗାମୀ ଅଧିସୂଚନା ସେପ୍ଟେମ୍ବର 6 ରେ ଜାରି ହେବ ।