ହାଇଦ୍ରାବାଦ: ଭାରତୀୟଙ୍କ ମୁଖ୍ୟ ଜୀବିକା କୃଷି । ଦେଶ ଅର୍ଥବ୍ୟବସ୍ଥା କୃଷି ଉପରେ ନିର୍ଭରଶୀଳ । ହେଲେ ଏପଟେ ବନ୍ୟା ସବୁ ଧୋଇଦେଲା । ଯେଉଁଥିପାଇଁ 1.3 ବିଲିୟନରୁ ଉର୍ଦ୍ଧ୍ବ ଲୋକଙ୍କ ପେଟପାଟଣା ଭାରୀ ମାତ୍ରାରେ ପ୍ରଭାବିତ ହୋଇଛି ।
ନିକଟରେ ଦେଖାଦେଇଥିବା ବନ୍ୟା ଯୋଗୁଁ ହଜାର ହଜାର ହେକ୍ଟର କ୍ଷେତ ଉଜୁଡ଼ିଗଲା। ଆଖି ଆଗରେ ଅମାପ କ୍ଷତିର ଛାତିଥରା ଦୃଶ୍ୟ। ଅମଳ ବଦଳରେ ମୁଣ୍ଡରେ ହାତ ଦେଇ ବସିଲେ ଚାଷୀ । ଫଳରେ ଯୋଗାଣ କମିଥିବାରୁ ଦରଦାମ ମାଡରେ ସାଧାରଣ ଖାଉଟି ହନ୍ତସନ୍ତ ।
ଖାଦ୍ୟ ମୁଦ୍ରାସ୍ପୀତି
ବନ୍ୟା କୃଷକଙ୍କ ରୋଜଗାର ଛଡାଇନେବା ସହ ଦରଦାମ ଆକାଶରେ ପହଞ୍ଚାଇ ଦେଲା । ହାଣ୍ଡିଶାଳରେ ମହାଙ୍ଗା ମାଡ ଖାଇବା ଥାଳିକୁ ବେସ୍ବାଦ କରିଦେଲା । ରିପୋର୍ଟ ଅନୁଯାୟୀ ଟମାଟୋ, ପିଆଜ, ରସୁଣ, ଆଳୁ ଆଦିର ଦାମ ଶୁଣି ପରିବାରେ ହାତ ମାରିବା କଷ୍ଟକର ହୋଇପଡିଥିଲା । ଆଗାମୀ ଦିନରେ ପଶୁପାଳନ, ମତ୍ସ୍ୟଚାଷ ଆଦି କ୍ଷେତ୍ରରେ ଏହାର ପ୍ରଭାବ ଦେଖିବାକୁ ମିଳିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଏଥିଯୋଗୁଁ ମଧ୍ୟବିତ୍ତ ଓ ଗରିବଙ୍କ ବଞ୍ଚିବା ଅସହ୍ୟ ହୋଇପଡିଛି।
ଦୀର୍ଘକାଳୀନ ପ୍ରଭାବ
ଭାରତୀୟ କୃଷି କ୍ଷେତ୍ର କିଛି ନା କିଛି ସମସ୍ୟା ମଧ୍ୟରେ ଗତି କରୁଛି । ସେ ଭୁସ୍ଖଳନ ହେଉ କି ବନ୍ୟା, ମାରାତ୍ମକ ଫସଲ ପୋକ , ଋଣ ଭାର ଆଦି ଭିତରେ ପ୍ରାଥମିକ କ୍ଷେତ୍ର ଭାରୀ ମାତ୍ରାରେ କ୍ଷତିଗ୍ରସ୍ଥ ହେଉଛି । ଉଦାହରଣ ପାଇଁ ମହାରାଷ୍ଟ୍ରର ପଶ୍ଚିମ ଓ ଉତ୍ତରର ଭାଗରେ 4 ଲକ୍ଷ ହେକ୍ଟରରୁ ଉର୍ଦ୍ଧ୍ବ ଫସଲ ଉଜୁଡିଯାଇଛି । ଯେଉଁଥିପାଇଁ ଚାଷୀଙ୍କୁ ଲକ୍ଷାଧିକ ଟଙ୍କା କ୍ଷତି ସହିବାକୁ ପଡିଛି ।
ଏକ ସୁଦୃଢ ରଣନୀତି ଦରକାର
ଜଳବାୟୁ ପରିବର୍ତ୍ତନ ଯୋଗୁଁ ବନ୍ୟା ଓ ମରୁଡି ସାଧାରଣ ହୋଇଗଲାଣି । ହେଲେ ଏଥିପାଇଁ ବିକଳ୍ପ ରହିଛି । ମୌସମୀର ସ୍ଥିତିକୁ ଦେଖି ଶୀତଳ ଭଣ୍ଡାର , ମଜବୁତ ଭିତ୍ତିଭୂମି , ଶସ୍ତା ଫସଲ ବୀମା ଆଦି ସେବା ଉପଲବ୍ଧ କରିବା ଦରକାର। ଏହା ବ୍ୟତୀତ ଭାରତୀୟ କୃଷି ଉପରେ ବନ୍ୟା ପ୍ରଭାବ ଓ ଏହାର ନିରାକରଣ ନେଇ ଅଧ୍ୟୟନ ପାଇଁ ଏକ ବିଶେଷଜ୍ଞ ସମିତିର ନିଯୁକ୍ତି ଆବଶ୍ୟକ।