ହାଇଦ୍ରାବାଦ: ଏବର୍ଷ ପାଇଁ ଆର୍ଥିକ ନିଅଣ୍ଟକୁ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାଦ୍ଵାରା ଚଳିତ ବର୍ଷର ଆର୍ଥିକ ନିଅଣ୍ଟ ଜିଡିପିର ୩.୩ ପ୍ରତିଶତରୁ ୩.୮ ପ୍ରତିଶତକୁ ବୃଦ୍ଧି ପାଇଛି । ଜୁଲାଇ ମାସରେ ସେ ଉପସ୍ଥାପନ କରିଥିବା ପ୍ରଥମ ବଜେଟ୍ରେ ଆକଳନ କରିଥିଲେ ଯେ, କେନ୍ଦ୍ର ସରକାର ରାଷ୍ଟ୍ରର ଆବଶ୍ୟକ ଖର୍ଚ୍ଚକୁ ତୁଲାଇବା ପାଇଁ ଖୋଲା ବଜାରରୁ ୭.୦୩ ଲକ୍ଷ କୋଟି ଟଙ୍କା ଋଣ କରିବେ।
ଏହା ସେତେବଳେ ସର୍ବକାଳୀନ ରେକର୍ଡ଼ ଭଙ୍ଗ କରୁଥିବା ନେଇ ଆଲୋଚନା ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ସଂଶୋଧିତ ଆକଳନ ପ୍ରକାଶ ପାଇଥିଲା ସେଥିରୁ ଜଣାପଡ଼ିଛି ଯେ, କେନ୍ଦ୍ର ସରକାର ଖର୍ଚ୍ଚ ତୁଲାଇବାକୁ ବଜେଟ୍ ଆକଳନ ଠାରୁ ଆହୁରି ୬୩ ହଜାର କୋଟି ଅଧିକ ଟଙ୍କା ଋଣ ଉଠାଇଛନ୍ତି । ବଜେଟ୍ ଆକଳନରେ ଏହି ନିଅଣ୍ଟିଆ ସ୍ଥିତିକୁ ଗମ୍ଭୀର ଭାବେ ଗ୍ରହଣ କରାଯାଇଛି। ବିନା କୌଣସି ଅପ୍ରତ୍ୟାଶିତ ଢାଞ୍ଚାଗତ ପରିବର୍ତ୍ତନ ବିନା ନିଅଣ୍ଟ ପରିମାଣକୁ ବୃଦ୍ଧି କରିବାକୁ ଏଫଆର୍ବିଏମ୍ ଆଇନର ସେକ୍ସନ୍୪(୨)କୁ ଉଲ୍ଲେଖ କରି ବେଶ୍ ସହଜରେ ଖସି ଯିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ଉତ୍କଟ ପରିସ୍ଥିତିର ମୁକାବିଲା ଲାଗି ୨୦୧୭ ମସିହାରେ ନିଯୁକ୍ତ ଏନ୍କେ ସିଂହଙ୍କ କମିଟି ସରକାରଙ୍କୁ ପ୍ରତିବର୍ଷ ବଜେଟ୍ ନିଅଣ୍ଟକୁ ଜିଡିପିର ୦.୨୫ ବେସିସ୍ ପଏଣ୍ଟ ହ୍ରାସ କରିବା ଲାଗି ଅନୁମୋଦନ କରିଥିଲେ । ଏହାଦ୍ଵାରା ନିଅଣ୍ଟ ପରିମାଣ ଯାହା ୨୦୧୭ରେ ୩.୫ ପ୍ରତିଶତ ଥିଲା ତାହା ୨୦୨୩ ବେଳକୁ ୨.୫ ପ୍ରତିଶତକୁ ଖସିବ ବୋଲି ଆଶା କରାଯାଇଥିଲା । ଦେଶର ଅର୍ଥନୀତି ତଥା ବଜେଟ୍ ନିଅଣ୍ଟ ସ୍ଥିତିରେ ଏପରି ଅବସ୍ଥାକୁ ନେଇ ସମାଲୋଚନା ଚାଲିଥିବା ବଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଫଆର୍ବିଏମ୍ ଆଇନର ସେକ୍ସନ୍୪(୨)କୁ ଉଲ୍ଲେଖ କରି ବେଶ୍ ସହଜରେ ଖସି ଯିବାକୁ ଚେଷ୍ଟା କରିଛନ୍ତି ।
ଏଫ୍ଆର୍ବିଏମ୍ ଆଇନର ଏହି ଧାରାରେ ସରକାରଙ୍କୁ ଅପ୍ରତ୍ୟାଶିତ ଆର୍ଥିକ ପରିଣାମକୁ ମୁକାବିଲା କରିବା ପାଇଁ ଅର୍ଥନୀତିରେ ଢାଞ୍ଚାଗତ ସଂସ୍କାର ଆଣିବା ନିମନ୍ତେ ବଜେଟ୍ ଆକଳନରେ ଦର୍ଶାଯାଇଥିବା ଆର୍ଥିକ ନିଅଣ୍ଟକୁ ଆହୁରି ବଢ଼ାଇବା ଲାଗି ଆଇନଗତ ବ୍ୟବସ୍ଥା ରହିଛି । ସାମ୍ପ୍ରତିକ ପରିସ୍ଥିତିରେ ସରକାର ଯେ, ଆର୍ଥିକ ଦୃଢ଼ୀକରଣ ରାସ୍ତାରେ ରହିବେ ନାହିଁ ତାହା ଆଶଙ୍କା କରାଯାଉଥିଲା, ପୁଣି ଯେଉଁ ବଜେଟ୍ ଉପସ୍ଥାପନ ହୋଇଛି ତାହା କେନ୍ଦ୍ର ସରକାରଙ୍କ ଅର୍ଥନୀତି ପରିଚାଳନାର ଦୁର୍ବଳତାକୁ ସାମ୍ନାକୁ ଆଣିଛି। ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି ଗତ ସାତ ମାସ ତଳେ ସରକାର ବଜେଟ ଆକଳନରେ ଯେଉଁ ରାଜସ୍ଵ ଆଦାୟ ହେବ ବୋଲି ହିସାବ ରଖିଥିଲେ ବାସ୍ତବ ରାଜସ୍ଵ ଆଦାୟ ତା’ଠୁ ୧.୪୬ ଲକ୍ଷ କୋଟି ଟଙ୍କା କମ୍ ରହିଛି । ଏଭଳି ଏକ ଦୁର୍ବଳ ସ୍ଥିତି ଅର୍ଥମନ୍ତ୍ରୀ ସୀତାରମଣଙ୍କୁ ଆଇନଗତ ବର୍ତ୍ତିବାର ରାସ୍ତା ଆପଣାଇବାକୁ ବାଧ୍ୟ କରିଛି । ଅର୍ଥାତ୍ ଏଫ୍ଆର୍ବିଏମ୍ ଆଇନରେ ଆର୍ଥିକ ଉତ୍କଟ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସରକାର ସର୍ବାଧିକ ୫୦ ବେସିସ୍ ପଏଣ୍ଟ ଯାଏ ଆର୍ଥିକ ନିଅଣ୍ଟ ବଢ଼ାଇପାରିବାର ବ୍ୟବସ୍ଥା ରହିଛି । ଏଠି ଆହୁରି ମଧ୍ୟ କହିବା ଜରୁରୀ ଯେ, ଧୀମା ଅର୍ଥନୀତିର ମୁକାବିଲା ଲାଗି ସରକାର ଏକ ସଙ୍ଗେ ଦୁଇଟି ଆର୍ଥିକ ବର୍ଷ ୨୦୧୯-୨୦ ଏବଂ ୨୦୨୦-୨୧ରେ ଏହି ଅନୁମୋଦନକୁ ସରକାର ଏଡ଼ାଇଛନ୍ତି। ‘ସେଥିପାଇଁ ମୁଁ ଏଫଆର୍ବିଏମ୍ ଆଇନର ସେକ୍ସନ୍ ୪(୩) ଅନୁସାରେ ଉଭୟ ଆର୍ଥକ ବର୍ଷ ୨୦୧୯-୨୦ର ରାଜସ୍ଵ ଆକଳନ ଏବଂ ଆର୍ଥିକ ବର୍ଷ ୨୦୨୦-୨୧ ବଜେଟ୍ ଆକଳନରେ
୦.୫% ବ୍ୟତିକ୍ରମ ଗ୍ରହଣ କରିଛି ବୋଲି ନିମ୍ନ ରାଜସ୍ଵ ଆଦାୟ ଏବଂ ଆର୍ଥିକ ମାନ୍ଦାବସ୍ଥା ଭଳି ଦୁଇଟି ଉତ୍କଟ ଅର୍ଥନୀତିକ ସମସ୍ୟା ଭିତରେ ଧନ୍ଦି ହେଉଥିବା ଅର୍ଥମନ୍ତ୍ରୀ ନିର୍ମଳା ସଂସଦରେ କହିଛନ୍ତି ।
ଆର୍ଥିକ ନିଅଣ୍ଟ କ’ଣ?
ସରକାରଙ୍କ ମୋଟ ଆୟ ଓ ବ୍ୟୟ ମଧ୍ୟରେ ରହିଥିବା ଅନ୍ତରକୁ ରାଜକୋଷୀୟ ଘାଟା କୁହାଯାଏ । ଏଥିରୁ ଜଣା ପଡେ କି ସରକାର ନିଜ ଖର୍ଚ୍ଚକୁ ତୁଲାଇବା ପାଇଁ କେତେ ଋଣ ଲୋଡୁଛନ୍ତି । ମୋଟ ହିସାବ-କିତାବରେ ଋଣକୁ ସାମିଲ କରାଯାଇନଥାଏ । ରାଜକୋଷୀୟ ଘାଟା ସାଧାରଣତଃ ରାଜସ୍ବରେ ହ୍ରାସ ଓ ପୁଞ୍ଜିଗତ ବ୍ୟୟରେ ଅତ୍ୟଧିକ ବୃଦ୍ଧି ଯୋଗୁଁ ହୋଇଥାଏ । ଆର୍ଥିକ ବର୍ଷ 2020-21ରେ ସରକାର 7.67 ଲକ୍ଷ କୋଟି ଟଙ୍କା ଉଧାର ନେବେ । ଯାହା ସରକାରଙ୍କ ମୋଟ ବଜେଟ ଖର୍ଚ୍ଚର 28 ପ୍ରତିଶତରୁ ଉର୍ଦ୍ଧ୍ବ । ବଜେଟରେ ସଂଶୋଧିତ ଅନୁମାନ ଅନୁସାରେ ଏହା ମୋଟ 26.99 ଲକ୍ଷ କୋଟି ଟଙ୍କା ରହିବା ନେଇ ଅନୁମାନ କରାଯାଉଛି ।
ବଜେଟ୍ରେ ଯେତେ ଆର୍ଥିକ ନିଅଣ୍ଟିଆ ସ୍ଥିତି ରହିବ ତାହାର ସର୍ବଭୌମତ୍ବ ରେଟିଂ ସେତେ ପ୍ରଭାବିତ ହେବ । ଅର୍ଥାତ୍ ଉଚ୍ଚ ଆର୍ଥିକ ନିଅଣ୍ଟ ମାନେ ସରକାର ନିଜ ଟିକସ ଓ ଅଣ ଟିକସ ଆୟଠୁ ଅଥେଷ୍ଟ ଅଧିକ ଖର୍ଚ କରୁଛନ୍ତି । ଯାହା ଦେଶର ମୁଣ୍ଡପିଛା ଋଣ ବୋଝକୁ ଅଧିକ କରୁଛି ।
ଏଫ୍ଆର୍ବିଏମ୍ ଆଇନରେ କେତେ ଆର୍ଥିକ ନିଅଣ୍ଟ ବ୍ୟତିକ୍ରମ ପାଇଁ ଅନୁମତି ରହିଛି ?
ଦେଶରେ ଢାଞ୍ଚାଗତ ଅର୍ଥନୀତିକ ପରିବର୍ତ୍ତନ ଅଥବା କୌଣସି ଅପ୍ରତ୍ୟାଶିତ ପରିସ୍ଥିତିକୁ ମୁକାବିଲା କରିବା ଲାଗି ଜିଡିପିର ୫୦ ବେସିସ୍ ପଏଣ୍ଟ ଯାଏ ଆର୍ଥିକ ନିଅଣ୍ଟ ବ୍ୟତିକ୍ରମକୁ ଏନ୍କେ ସିଂହ କମିଟିଙ୍କ ଅନୁମୋଦନ କରିଛନ୍ତି । ଏହି କମିଟି ୨୦୦୪ ମସିହାରେ ପ୍ରଣୟନ କରାଯାଇଥିବା ଏଫ୍ଆର୍ବିଏମ୍ ଆଇନର ଅନୁଧ୍ୟାନ ପାଇଁ ୨୦୧୭ ମସିହାରେ ଗଠନ କରାଯାଇଥିଲା ।
ପୁଣି ଯଦିଓ ଏନ୍କେ ସିଂହ କମିଟି ଉତ୍କଟ ପରିସ୍ଥିତିର ମୁକାବିଲା ପାଇଁ ଏପରି ବିକଳ୍ପ ବ୍ୟତିକ୍ରମ ରାସ୍ତା ପାଇଁ ପରାମର୍ଶ ଦେଇଛନ୍ତି କିନ୍ତୁ ଏହି କମିଟି ସରକାରଙ୍କୁ ଏହି ନୀତିରେ ଭେଜାଲ୍ କରିବା ପ୍ରବଣତାରେ ରୋକ୍ ଦେବା ଆବଶ୍ୟକତାକୁ ବି ଅନୁଭବ କରିଛନ୍ତି। ଏହିକ୍ରମରେ ସରକାର କିପରି ଭାବେ ପୂର୍ବ ଅର୍ଥନୀତିକୁ ଫେରିବେ ସେଥିଲାଗି ବାଟ ଦେଖାଇବାକୁ ବି ସରକାରଙ୍କୁ ବାଧ୍ୟ କରିଛନ୍ତି । ଏହିକ୍ରମରେ ଅର୍ଥମନ୍ତ୍ରୀ ଅର୍ଥନୀତିକ ଅଭିବୃଦ୍ଧି ରାସ୍ତାକୁ ଫେରିବା ଲକ୍ଷ୍ୟରେ କହିଛନ୍ତି, ଏଫ୍ଆର୍ବିଏମ୍ ଆଇନ ଅନୁସାରେ ସରକାର ସାମ୍ପ୍ରତିକ ଉତ୍କଟ ପରିସ୍ଥିତିକୁ ସାମ୍ନା କରିବା ଲାଗି ଆର୍ଥିକ ନିଅଣ୍ଟ ସ୍ଥିତିକୁ ୦.୫୦ ପ୍ରତିଶତରେ ସୀମିତ ରଖୁଛନ୍ତି। ଏହା ସହ ଅର୍ଥନୀତିର ପୂର୍ବାବସ୍ଥାରେ ପହଞ୍ଚିବା ଲାଗି ସରକାର ପ୍ରସ୍ତୁତ କରିଥିବା ରାସ୍ତାକୁ ମିଡିୟମ୍ ଟର୍ମ ଫିସ୍କାଲ୍ ପଲିସି କମ୍ ଷ୍ଟ୍ରାଟେଜି ଷ୍ଟେଟ୍ମେଣ୍ଟରେ ସଂସଦ ଆଗରେ ଉପସ୍ଥାପନ କରିଛନ୍ତି । ଏହି ଅର୍ଥନୀତିକ ରାସ୍ତା ଆମକୁ ସରକାରୀ ପାଣ୍ଠି ବିନିଯୋଗରେ ସାଲିସ୍ ବିହୀନ ଆର୍ଥିକ ବନ୍ଦୋବସ୍ତ ପାଇଁ ପ୍ରତିଶୃତିବଦ୍ଧ କରାଉଛି ।
(କୃଷ୍ଣାନନ୍ଦ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ )