ନୂଆଦିଲ୍ଲୀ: ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ ଓ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (ଏନବିଏଫସି) ପ୍ରମୁଖଙ୍କ ସହ ସମୀକ୍ଷା ବୈଠକ କରିବେ। କୋଭିଡ-19 ସହ ଜଡିତ ଆର୍ଥିକ ଚାପର ସମାଧାନ ପାଇଁ ଏକକାଳୀନ ଋଣ ପୁନର୍ଗଠନ ଯୋଜନାର ସୁଗମ ଏବଂ ଦ୍ରୁତ କାର୍ଯ୍ୟକାରିତା ସୁନିଶ୍ଚିତ ନେଇ ଏହି ବୈଠକ କରାଯାଉଛି । ଆରବିଆଇ ଗତ ମାସ ଆରମ୍ଭରେ କହିଥିଲା ଯେ ଖୁଚୁରା ଋଣ ନେଉଥିବା କମ୍ପାନୀ ଏବଂ ଲୋକଙ୍କୁ ରିଲିଫ ଯୋଗାଇବା ପାଇଁ ଏହା ଏକକାଳୀନ ପୁର୍ନଗଠନକୁ ଅନୁମୋଦନ କରିବ।
ଆରବିଆଇ ଅଗଷ୍ଟ 6ରେ ଏନେଇ ଅଧିସୂଚନା ଜାରି କରି କହିଥିଲା କି, ଆର୍ଥିକ ଚାପଗ୍ରସ୍ଥ ଏମଏସଏମଇଗୁଡିକୁ 2021 ମାର୍ଚ୍ଚ 31 ଯାଏଁ ଲୋନ ରିଷ୍ଟ୍ରକଚରିଂ ବା ଋଣ ପୁର୍ନଗଠନ ସ୍କିମର ଫାଇଦା ଦିଆଯିବ । 2020 ମାର୍ଚ୍ଚ 1 ସୁଦ୍ଧା ଯଦି ସେମାନଙ୍କ ଋଣ ଆକାଉଣ୍ଟ ଷ୍ଟାଡାର୍ଡ ଭାବେ ବର୍ଗୀରଣ ହୋଇଥିବ, ତେବେ ସେମାନଙ୍କ ଏହି ସ୍କିମର ଲାଭ ଉଠାଇପାରିବେ । କେତେକ ଋଣର ପୁର୍ନଗଠନ ପାଇଁ ସ୍ପେଶାଲ ୱିଣ୍ଡୋ ତିଆରି ହେବ । ଏଥିପାଇଁ କେ.ଭି କାମଥଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଆବଶ୍ୟକୀୟ ଆର୍ଥିକ ମାପଦଣ୍ଡ ଉପରେ ଏ କମିଟି ଆରବିଆଇକୁ ପରାମର୍ଶ ଦେବ । ଏନେଇ ଆଗାମୀ ଅଧିସୂଚନା ସେପ୍ଟେମ୍ବର 6ରେ ଜାରି ହେବ ।
ସୂଚନା ଅନୁସାରେ ଋଣ ପୁର୍ନଗଠନକୁ ନେଇ ବ୍ୟାଙ୍କର ପ୍ରସ୍ତୁତି ଆକଳନ କରିବା ବ୍ୟତିତ 20.97 ଲକ୍ଷ ଟଙ୍କାର ଆତ୍ମନିର୍ଭର ଭାରତ ଅଭିଯାନ ଅଧିନରେ ଘୋଷିତ ବିଭିନ୍ନ ଯୋଜନାର ପ୍ରଗତିର ସମୀକ୍ଷା କରାଯିବ ।
ଅର୍ଥ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି କି, ‘‘ସମୀକ୍ଷା ସମୟରେ ଏହା ଲକ୍ଷ୍ୟ ରଖାଯିବ ଯେ ଶେଷରେ ବ୍ୟବସାୟ ତଥା ଲୋକମାନେ କିପରି ସମ୍ଭାବ୍ୟତା ଆଧାରରେ ପୁନରୁଦ୍ଧାର ବ୍ୟବସ୍ଥାକୁ ସଠିକ ଭାବରେ ବ୍ୟବହାର କରିବାରେ ସକ୍ଷମ ହେବେ। ସମୀକ୍ଷା ସମୟରେ ବିଭିନ୍ନ ଆବଶ୍ୟକୀୟ ପଦକ୍ଷେପ ଯେପରିକି ବ୍ୟାଙ୍କ ନୀତିର ଚୂଡାନ୍ତକରଣ ଏବଂ ଋଣ ନେଇଥିବା ବ୍ୟକ୍ତିଙ୍କ ପରିଚୟ ଉପରେ ଆଲୋଚନା କରାଯିବ । ଏଥିରେ ସୁଗମ ତଥା ଶୀଘ୍ର କାର୍ଯ୍ୟକାରିତା ପାଇଁ ସମାଧାନ ହେବା ଆବଶ୍ୟକ ବୋଲି ମଧ୍ୟ ଆଲୋଚନା କରାଯିବ।