ନୂଆଦିଲ୍ଲୀ: କୋରୋନା ସଙ୍କଟ କାଳରେ କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ସଂଗଠନ (ଇପିଏଫଓ)ସଦସ୍ୟଙ୍କୁ ସଞ୍ଜିବନୀ ବୁଟି ଦେଇଛି ପିଏଫ ଆକାଉଣ୍ଟ । ଦେଶରେ କୋରାନା ସଂକ୍ରମଣ ରୋକିବା ପାଇଁ ଲାଗୁ ଲକଡାଉନ ମଧ୍ୟରେ ବେତନଭୋଗୀଙ୍କୁ ଆଶ୍ବସ୍ତି ଦେବା ପାଇଁ ପିଏଫ ଆକାଉଣ୍ଟରୁ ଟଙ୍କା ଉଠାଣ ପାଇଁ ଅନୁମତି ଦିଆଯାଇଥିଲା । ଏଥିଯୋଗୁଁ ମାର୍ଚ୍ଚ 25 ରୁ ଅଗଷ୍ଟ 31 ମଧ୍ୟରେ ଇପିଏଫ ସଦସ୍ୟ ନିଜ ଆକାଉଣ୍ଟରୁ ପ୍ରାୟ 39,400 କୋଟି ଟଙ୍କା ଉଠାଇଛନ୍ତି । ଏ ନେଇ ଶ୍ରମ ମନ୍ତ୍ରାଳୟ ଲୋକସଭାରେ ସୂଚନା ଦେଇଛି ।
ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଲିଖିତ ଜବାବରେ କହିଛନ୍ତି କି 2020 ମାର୍ଚ୍ଚ 25 ରୁ ଅଗଷ୍ଟ 31 ମଧ୍ୟରେ ଇପିଏଫରୁ 39,402.94 କୋଟି ଟଙ୍କା ଉଠାଯାଇଛି । ଆଉ ଏଥିରୁ ସର୍ବାଧିକ 7,837.85 କୋଟି ଟଙ୍କା ମହରାଷ୍ଟ୍ରରେ ଉଠାଯାଇଛି । ଏହା ପରେ କର୍ଣ୍ଣାଟକ ଲୋକମାନେ ଇପିଏଫ ଆକାଉଣ୍ଟରୁ 5,743.96 କୋଟି, ତାମିଲନାଡୁ ଓ ପଣ୍ଡୁଚେରୀରୁ 4,984.51 କୋଟି ଟଙ୍କା ବାହାର ହୋଇଛି ।
ତଥ୍ୟରୁ ଜଣାପଡିଛି କି, ଇପିଏଫରେ ଜମା ଟଙ୍କା କର୍ମଚାରୀଙ୍କ ପାଇଁ ବଡ ସାହାରା ସାଜିଛି । ଏଥିସହ ହିଁ ଦିଲ୍ଲୀରେ କୋରୋନା ଲକଡାଉନ ସମୟରେ ଇପିଏଫ ଖାତାରୁ 2,940.97 କୋଟି ଟଙ୍କା ଉଠାଯାଇଛି ।
କମ୍ପାନୀଙ୍କୁ ଓ କର୍ମଚାରୀଙ୍କୁ ଆର୍ଥିକ ରିଲିଫ ଦେବା ପାଇଁ (12 ପ୍ରତିଶତ ନିଯୁକ୍ତିଦାତାଙ୍କ ଭାଗ ଏବଂ 12 ପ୍ରତିଶତ କର୍ମଚାରୀଙ୍କ ଭାଗ) ଇପିଏଫ ଯୋଗଦାନ ସରକାରଙ୍କ ପକ୍ଷରୁ କରାଯାଉଛି ।