ନୂଆଦିଲ୍ଲୀ: ଭାରତ ଆକାଶରେ ପୁଣି ଉଡିବ ବୋଇଂ ୭୩୭ ମ୍ୟାକ୍ସ । ବୋଇଂ ଉଡାଣ ଉପରେ ଲାଗିଥିବା କଟକଣାକୁ ହଟାଇଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(DGCA) । ୨୦୧୯ ମସିହା ମାର୍ଚ୍ଚ ୧୦ ତାରିଖରେ ଇଥିଓପିଆରେ ବୋଇଂ ୭୩୭ ମ୍ୟାକ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହାପରେ ମାର୍ଚ୍ଚ ୧୩ ତାରିଖ ଦିନ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଭାରତରେ ସମସ୍ତ ବୋଇଂ ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହି ବିମାନ ଦୁର୍ଘଟଣାରେ ଚାରି ଜଣ ଭାରତୀୟ ସମେତ ୧୫୭ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା ।
ବିମାନ ନିର୍ମାତା କମ୍ପାନୀ ବୋଇଂ ୨୦୧୯ ର ସେହି ଭୟାନକ ଦୁର୍ଘଟଣା ପରଠାରୁ ନିଜର ୭୩୭ ମ୍ୟାକ୍ସ ବିମାନରେ ପରିବର୍ତ୍ତନ କରିଆସୁଥିଲା । ଯାହାଦ୍ବାରା DGCA ସମେତ ବିଭିନ୍ନ ଦେଶ ପୁଣିଥରେ ତାହାର ବିମାନ ଚଳାଚଳକୁ ଅନୁମତି ଦେବେ । ଶେଷରେ ଅଢେଇ ବର୍ଷ ପରେ ପୁଣି ଥରେ ଉଡାଣ ଭରିବାକୁ ବୋଇଂକୁ ଅନୁମତି ଦେଇଛି DGCA ।
DGCA କହିଛି, ପୁନର୍ବାର ସେବା ଯୋଗାଇବାକୁ ହେଲେ ଏହି ବିମାନକୁ ପ୍ରଯୁଜ୍ୟ ସୁରକ୍ଷା ଆବଶ୍ୟକତାଗୁଡିକୁ ପୁରା କରିବାକୁ ହେବ । ତେବେ କେବଳ ସ୍ପାଇସଜେଟ ଏୟାରଲାଇନ ବ୍ୟତୀତ ଭାରତରେ ଅନ୍ୟ କୌଣସି ଏୟାରଲାଇନ ବୋଇଂ ମ୍ୟାକ୍ସ ବିମାନଗୁଡିକର ବ୍ୟବହାର କରନ୍ତି ନାହିଁ । ଯେଉଁଦିନ DGCA ଭାରତରେ ବୋଇଂ ମ୍ୟାକ୍ସ ବିମାନ ଉଡାଣ ଉପରେ କଟକଣା ଲାଗୁ କରିଥିଲା ସେହିଦିନ ସ୍ପାଇସଜେଟ ୧୨ଟି ମ୍ୟାକ୍ସ ଉଡାଣ ପାଇଁ ପ୍ରସ୍ତୁତ ରଖିଥିଲା । ଯେଉଁ କାରଣରୁ ସ୍ପାଇସଜେଟକୁ ଉକ୍ତ ଦିନ ଓ ତାହାର ପରଦିନ ଅନେକ ଉଡାଣ ରଦ୍ଧ କରିବାକୁ ପଡିଥିଲା ।
ତେବେ ୨୦୧୯ରେ କେବଳ ଭାରତ ନୁହେଁ, ଭାରତ ସମେତ ଅନେକ ରାଷ୍ଟ୍ର ନିଜ ଦେଶରେ ବୋଇଂର ସମସ୍ତ ବିମାନ ଉଡାଣ ଉପରେ ରୋକ୍ ଲଗାଇଥିଲେ । କାରଣ ଇଥିଓପିଆ ଦୁର୍ଘଟଣାର ୫ ମାସ ପରେ ଆଉ ଏକ ଦୁର୍ଘଟଣା ଘଟିଥିଲା । ଏହାପୂର୍ବରୁ ମଧ୍ୟ ୨୦୧୮ରେ ଲାୟନ ଏୟାରର ଏକ ବୋଇଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଜାଭା ସମୁଦ୍ରରେ ଖସି ପଡିଥିଲା ଏବଂ ଏଥିରେ ୧୮୦ ଜଣ ପ୍ରାଣ ହରାଇଥିଲେ । ଯେଉଁ କାରଣରୁ ଅନେକ ଦେଶ ଏହି ବିମାନ ଚଳାଚଳ ଉପରେ ରୋକ୍ ଲଗାଇଥିଲେ । ହେଲେ ଦୀର୍ଘ ଅଢେଇ ବର୍ଷ ପରେ ପ୍ରାୟ ୧୭୫ ରାଷ୍ଟ୍ର ସେଫ୍ଟି ବ୍ୟାନ ସହ ବୋଇଂ ୭୩୭ ମ୍ୟାକ୍ସକୁ ପୁନର୍ବାର ସେବା ଯୋଗାଇବାକୁ ଅନୁମତି ଦେଇଛନ୍ତି ।