ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ଯୋଗୁଁ ପ୍ରଥମ ଥର ପାଇଁ କେନ୍ଦ୍ରୀୟ ବଜେଟ 2021 ପେପରଲେସ ହେବାକୁ ଯାଉଛି । ହେଲେ ପାରମ୍ପରିକ ଆଜି ହାଲୁଆ ସମାରୋହ ଶେଷ ହୋଇଛି । ଏଥିସହ ବଜେଟ ପ୍ରସ୍ତୁତି ପାଇଁ ବିଗୁଲ ବାଜିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ହାଲୁଆ ସମାରୋହ ଉଦଘାଟନ କରି ବଜେଟ ପ୍ରକ୍ରିୟା ଆରମ୍ଭ ପାଇଁ ଗ୍ରୀନ ସିଗନାଲ ଦେଇଛନ୍ତି । ଏଥିସହ ଡିଜିଟାଲ ବଜେଟ ଡକ୍ୟୁମେଣ୍ଟ ପାଇଁ ‘ୟୁନିଅନ ବଜେଟ ମୋବାଇଲ ଆପ ’ ଲଞ୍ଚ କରିଛନ୍ତି ।
70 ବର୍ଷ ଧରି ରହିଥିବା ପରମ୍ପରା ଅନୁସାରେ ବଜେଟର 10 ଦିନ ପୂର୍ବରୁ ବଜେଟ ସମାରୋହ ହୋଇଥାଏ । ଏକ ବଡ କଡେଇରେ ହାଲୁଆ ତିଆରି ହୋଇ ତାହାକୁ ନର୍ଥ ବ୍ଲକ ସ୍ଥିତ ଅର୍ଥମନ୍ତ୍ରାଳୟର ସମସ୍ତ ଷ୍ଟାଫଙ୍କୁ ପରଷା ଯାଇଥାଏ । ଆଉ ଏଇଠୁ ଆରମ୍ଭ ହୁଏ ଦେଶର ବଜେଟ ଅଟକଳ ପ୍ରସ୍ତୁତି ପ୍ରକ୍ରିୟା ।
ବଜେଟ ଛାପିବା ଏକ ପ୍ରକାର ଗୁପ୍ତ କାମ। ଏହା ସହ ଜଡିତ ଥିବା ଜଟିଳ କାମକୁ ହାଲୁକା କରିବା ପାଇଁ ହାଲୁଆ ସେରେମନି କରାଯାଇଥାଏ। ଏହି ଉତ୍ସବ ପରେ ବଜେଟ ପ୍ରସ୍ତୁତିରେ ଜଡିତ ଅଧିକାରୀ ନର୍ଥ ବ୍ଲକରେ ନଜରବନ୍ଦୀରେ ରହିଥୀାନ୍ତି । ଏପରିକି ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଘରକୁ ଯିବାକୁ ଅନୁମତି ମିଳିନଥାଏ। ବଜେଟର ଗୋପନୀୟତା ରକ୍ଷା ପାଇଁ ଏହି ଅଧିକାରୀ ଅର୍ଥମନ୍ତ୍ରୀ ଅଭିଭାଷଣ ଦେବା ପର୍ଯ୍ୟନ୍ତ ବାହ୍ୟ ପରିବେଶରୁ ଦୂରେଇ ରହିଥାନ୍ତି। ତଥ୍ୟ ଚୋରୀ ହେବା ଭୟରେ ସମ୍ବିଧାନରେ ଏହି ନିୟମ ରହିଛି।
ତେବେ ଚଳିତ ବର୍ଷ ବଜେଟ ସମ୍ପୁର୍ଣ୍ଣ ଭିନ୍ନ ହେବାକୁ ଯାଉଛି । କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ପ୍ରଥମ ଥର ପାଇଁ ଭାରତରେ କେନ୍ଦ୍ରୀୟ ବଜେଟ ପେପରଲେସ ହେବ । ଏଥିସହ ବଜେଟ ଡକ୍ୟୁମେଣ୍ଟ ଉପଲବ୍ଧ ପାଇଁ ଅର୍ଥମନ୍ତ୍ରୀ ଶନିବାର ବିନା ଦ୍ବନ୍ଦ ଉତ୍ପନ୍ନ କରୁଥିବା ‘‘ ୟୁନିଅନ ବଜେଟ ମୋବାଇଲ ଆପ ’ର ଶୁଭାରମ୍ଭ କରିଛନ୍ତି । ଏହା ଜରିଆରେ ଯେକୌଣସି ବ୍ୟକ୍ତି ବଜେଟ ସମ୍ବନ୍ଧରେ ଅବଗତ ହୋଇପାରିବ । ଆପରେ ଡାଉନଲୋଡିଂ , ପ୍ରିଣ୍ଟିଂ , ସର୍ଚ୍ଚ, ଜୁମ ଇନ ଏବଂ ଆଉଟ , ସ୍କ୍ରଲିଂ ଆଦି ବିଭିନ୍ନ ବିକଳ୍ପ ରହିଛି ।