ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ପ୍ରତିହିତ ପାଇଁ ଲାଗୁ ଲକଡାଉନ ଯୋଗୁଁ ଏପ୍ରିଲରେ ଦେଶର ରପ୍ତାନୀ 60.28 ପ୍ରତିଶତ ହ୍ରାସ ପାଇ 10.36 ଅରବ ଡଲାରରେ ପହଞ୍ଚିଛି । ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରାଣଳୟ ଦ୍ବାରା ଜାରି ତଥ୍ୟ ଅନୁସାରେ ଏପ୍ରିଲ ମାସରେ ଆମଦାନୀ ମଧ୍ୟ 58.65 ପ୍ରତିଶତ କମି 17.12 ଅରବ ଡଲାର ରହିଛି । ଗତ ବର୍ଷ ସମାନ ମାସରେ ଏହା 41.4 ଅରବ ଡଲାର ଥିଲା ।
ତଥ୍ୟ ଅନୁସାରେ ଏପ୍ରିଲରେ ବ୍ୟାପାର ଘାଟା କମି 6.76 ଅରବ ଡଲାର ରହିଛି । ଯାହାକି 2019ରେ ଏହି ମାସରେ 15.33 ଅରବ ଡଲାର ଥିଲା । 2020 ମାର୍ଚ୍ଚ ମାସରେ ଦେଶର ରପ୍ତାନୀ 34.57 ପ୍ରତିଶତ ହ୍ରାସ ପାଇଥିଲା ।
ରପ୍ତାନୀରେ ହ୍ରାସର ପ୍ରମୁଖ କାରଣ ହେଉଛି ବିଶ୍ବ ସ୍ତରରେ ଦୁର୍ବଳ ସଙ୍କେତ । କୋଭିଡ-19 ସଙ୍କଟ ଯୋଗୁଁ ଏହା ଆହୁରୀ ବଢିଚାଲିଛି । ଏଥିଯୋଗୁଁ ଯୋଗାଣ ଶୃଙ୍ଖଳା ଓ ଚାହିଦା ଗଭୀର ଭାବେ ପ୍ରଭାବିତ ହୋଇଛି । ଫଳରେ ଅଧିକ ସଂଖ୍ୟକ ଅର୍ଡର ମଧ୍ୟ ରଦ୍ଦ ହୋଇଛି ବୋଲି ବିଭାଗୀୟ ମନ୍ତ୍ରାଣଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଏପ୍ରିଲ ମାସରେ ରତ୍ନ ଏବଂ ଆଭୂଷଣ ରପ୍ତାନୀ 98.74 ପ୍ରତିଶତ କମିଛି । ସେହିଭଳି ଚମଡା ରପ୍ତାନୀରେ 93.28, ପେଟ୍ରୋଲିୟମ ଉତ୍ପାଦରେ 66.22 ଓ ଇଞ୍ଜିନିୟରିଂ ବସ୍ତୁରେ 64.76 ପ୍ରତିଶତ ହ୍ରାସ ହୋଇଛି ।
ଏପ୍ରିଲରେ ଅଶୋଧିତ ତୈଳ ଆମଦାନୀ 4.66 ଅରବ ଡଲାର ଅଛି । ଯାହାକି ଗତ ବର୍ଷ ସମାନ ମାସ ତୁଳନାରେ 59.03 ପ୍ରତିଶତ କମ ।