ଭାରତୀୟ ଅର୍ଥନୀତିର ସ୍ବାସ୍ଥ୍ୟାବସ୍ଥା ସୁଧାରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେଉଁ ପଦକ୍ଷେପ ନେବେ । ସେଥିପାଇଁ ଫେବୃଆରୀ ୧ରେ ଉପସ୍ଥାପିତ ହେବାକୁ ଥିବା ବଜେଟ୍ ଉପରେ ଏବେ ସମସ୍ତଙ୍କର ଆଖି । ଯଦିଓ ପୂର୍ବ ବଜେଟ୍ ଗୁଡ଼ିକରେ ଅତ୍ୟନ୍ତ ଗରିବ ଶ୍ରେଣୀ, କୃଷକ, ଅଣସଂଗଠିତ ଶ୍ରମିକ ଏବଂ ନିମ୍ନବର୍ଗଙ୍କ ଉପରେ ଫୋକସ୍ ରଖାଯାଇଛି, ସେ ଦୃଷ୍ଟିରୁ ଏବେ ସାଧାରଣ ଲୋକଙ୍କ ହାତକୁ ଅଧିକ ଟଙ୍କା ଦେବାକୁ ବଜେଟ୍ ରେ କିଛି ବଡ଼ ପଦକ୍ଷେପ ନେବା ଜରୁରୀ ବୋଲି କୁହାଯାଉଛି ।
ଆୟକର ହାର ହ୍ରାସ୍, କର୍ମନିଯୁକ୍ତି ସୃଷ୍ଟି କିମ୍ବା ନଗଦ ଟଙ୍କା ଠୁଳ ଅବସ୍ଥାରେ ଉନ୍ନତି ଦ୍ବାରା ଏହା ସମ୍ଭବ ହୋଇପାରିବ। କିଛି ମାସ ତଳେ ସୀତାରମଣ କର୍ପୋରେଟ୍ ଟିକସ ହାର କମାଇଥିଲେ । ଏହା ନିଜ ଗୁଜୁରାଣ ପାଇଁ ଅଧିକ ଆୟ ଚାହୁଁଥିବା ଆମ୍ଆଦମୀ ଆଶାକୁ ବଢ଼ାଇ ଦେଇଛି । ଆମ ଦେଶରେ ୧୩୦ କୋଟି ଲୋକ ବସବାସ କରୁଛନ୍ତି । କିନ୍ତୁ ଆୟକର ଦାଖଲ କରୁଥିବା ଲୋକଙ୍କ ସଂଖ୍ୟା ମାତ୍ର ୫.୬୫ କୋଟି । ସୁତରାଂ, ସମସ୍ତଙ୍କର ଆଶା ରହିଛି ଯେ ଅର୍ଥମନ୍ତ୍ରୀ ଆୟକର ସ୍ଲାବ୍ ହାରକୁ କୋହଳ କରିବେ । ବର୍ତ୍ତମାନ ୫ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ(ରିହାତି ବିଚାର ପରେ) ଲୋକଙ୍କୁ ଟିକସ ଦେବାକୁ ପଡୁ ନ ଥିଲେ ମଧ୍ୟ ସାଧାରଣ ଛାଡ଼ ସୀମା ୨.୫ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି ପାଇନାହିଁ ।
ଟିକସ ବିଭାଗର ତଥ୍ୟ ଅନୁଯାୟୀ, ୯୭ ଲକ୍ଷରୁ ଅଧିକ ବ୍ୟକ୍ତିଗତ ଆୟକରଦାତା ସେମାନଙ୍କ ଆୟ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ଦର୍ଶାଇଛନ୍ତି । ସଂପୃକ୍ତ ଆୟକରଦାତାଙ୍କଠାରୁ ଟିକସ ଆଦାୟ ପରିମାଣ ୪୫,୦୦୦ କୋଟିରୁ ଅଧିକ । ଦରମାପ୍ରାପ୍ତ ଶ୍ରେଣୀ ଏବେ ଟିକସ ଭଣ୍ଡାରର ବିରାଟ ଭାଗ ପୂରଣ କରୁଛନ୍ତି । ତେଣୁ ସେମାନଙ୍କ ପାଇଁ ଅଧିକ ଟିକସ ଆସ୍ବସ୍ଥି ଆଶା କରାଯାଉଛି । ଯଦି ଆୟକର ଟିକସକୁ ସରକାର ହ୍ରାସ୍ କରନ୍ତି, ତେବେ ଗ୍ରାହକମାନେ ଅଧିକ ଟଙ୍କା ଖର୍ଚ୍ଚ କରିପାରିବେ ଏବଂ ଚାହିଦା ବୃଦ୍ଧି ପାଇବ । ଉଚ୍ଚ ଆୟକାରୀ ବର୍ଗଙ୍କ କ୍ଷେତ୍ରରେ ୧୦ ଲକ୍ଷରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ ଠାରୁ ୩୦% ହାରରେ ସର୍ବୋଚ୍ଚ ସାଧାରଣ ଟିକସ ଆଦାୟ ହେଉଛି । ଏହି ସର୍ବୋଚ୍ଚ ହାର ଲାଗୁର ଆୟସ୍ତର ବୃଦ୍ଧି ହେଲେ ଗରାଖ ବଜାରରେ ଅନୁକୂଳ ପ୍ରଭାବ ପଡ଼ିବ ।
ତେବେ ୧୦ ଲକ୍ଷ ଆୟ ନୁହେଁ, ପ୍ରତ୍ୟେକ୍ଷ କର କୋଡ୍ ନିମନ୍ତେ ଥିବା ଟାକ୍ସ ଫୋର୍ସ ୨୦ ଲକ୍ଷରୁ ଅଧିକ ଆୟକାରୀଙ୍କ ପାଇଁ ୩୦% ହାରରେ ଟିକସ ଆଦାୟ ପାଇଁ ପରାମର୍ଶ ଦେଇଥିଲା । ୧୦ ଲକ୍ଷରୁ ୨୦ ଲକ୍ଷ ଆୟ ଉପରେ ୨୦% ଟିକସ ହାରର ଏକ ନୂଆ ସ୍ଲାବ୍ ପ୍ରଚଳନ କରାଯାଇପାରେ । ୨.୫ ଲକ୍ଷରୁ ୧୦ ଲକ୍ଷ ଆୟ ଉପରେ ଏହା ୧୦% ହୋଇପାରିବ । ବର୍ତ୍ତମାନ ନିଜ ଦଖଲରେ ଥିବା ସମ୍ପତ୍ତି ପାଇଁ ଗୃହଋଣ ସୁଧ ରିହାତି (ନିର୍ମାଣ ପୂର୍ବରୁ ୫ଟି କିସ୍ତିରେ ସୁଧ ଦେୟ) ୨ ଲକ୍ଷ ଟଙ୍କାରେ ସୀମିତ। ଏଥିସହ ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଚଳନ ହୋଇଥିବା ଧାରା ୮୦ EEA (ଇଇଏ)ରେ ୪୫ ଲକ୍ଷରୁ କମ୍ ଦରରେ ଷ୍ଟାମ୍ପ୍ ଡ୍ୟୁଟି ସହ ଏକ ଗୃହ କିଣିଲେ ସୁଧ ପରିଶୋଧ ପାଇଁ ଅତିରିକ୍ତ ୧.୫ ଲକ୍ଷ କାଟ୍ ର ବ୍ୟବସ୍ଥା ରହିଛି । ଗୃହ ଋଣ ସୁଧ ପାଇଁ ୨ ଲକ୍ଷରୁ ଅଧିକ ଟଙ୍କା ଉପରେ ଏହି କାଟ୍ ର ଅନୁମତି ଦିଆଯାଇଛି । କିନ୍ତୁ ଅନେକ ସହରରେ ବାସ୍ତବ ସମ୍ପତ୍ତି ଦର ବହୁତ ଅଧିକ । ତେଣୁ ଗୃହ ଦରର ସୀମା ରଖିବା ଉଚିତ୍ ନୁହେଁ । ଘରର ମୂଲ୍ୟ ଏବଂ ଆକାର ବିଚାରକୁ ନ ନେଇ ପ୍ରଥମ ଘର କ୍ରୟ ଉପରେ ସମସ୍ତ ଟିକସଦାତାଙ୍କ ପାଇଁ ଉଚ୍ଚ ରିହାତି (ହାୟର୍ ଡିଡକ୍ସନ୍) ର ବ୍ୟବସ୍ଥା ରଖିବା ଦରକାର ।
ସମ୍ପତ୍ତିବାଡ଼ି ବ୍ୟବସାୟକ୍ଷେତ୍ରର ଏହା ଆବଶ୍ୟକୀୟ ଶକ୍ତିବୃଦ୍ଧି କରିବ । ଗରାଖଙ୍କ ପସନ୍ଦ କ୍ଷେତ୍ରକୁ ମଧ୍ୟ ଏହା ଅଧିକ ପ୍ରଶସ୍ତ କରିବ । ସେହିଭଳି ଘରୋଇ ସଞ୍ଚୟ ଉପରେ ଧାରା ୮୦ସି ଅନ୍ତର୍ଗତ କାଟ୍ ବାର୍ଷିକ ୧,୫୦,୦୦୦ ଟଙ୍କାରେ ସୀମିତ ଅଛି । ଜୀବନଧାରଣ ବ୍ୟୟ ବୃଦ୍ଧି ପାଉଥିବାରୁ ସରକାର ଏହି ସୀମାକୁ ନିଶ୍ଚିତ ବୃଦ୍ଧି କରିବା ଦରକାର । ପିଲାଙ୍କ ଟିଉସନ୍ ଫି, ଜୀବନ ବୀମା ପ୍ରିମିୟମ୍ ଏବଂ ଗୃହ ଋଣ କିସ୍ତି ଖର୍ଚ୍ଚଗୁଡ଼ିକୁ ପୃଥକ୍ କାଟ୍(ସେପାରେଟ୍ ଡିଡକ୍ସନ୍) ପର୍ଯ୍ୟାୟଭୁକ୍ତ କରାଯିବା ଉଚିତ୍ । ଏନପିସିକୁ ବ୍ୟକ୍ତିଗତ ଅବଦାନ ଉପରେ ୫୦,୦୦୦ ଅତିରିକ୍ତ କାଟ୍ କୁ ବୃଦ୍ଧି କରିବା ପାଇଁ ଦାବି ହେଉଛି । ୧୦% ହାରରେ ୧ ଲକ୍ଷ ଟଙ୍କା ଟପିଥିବା ତାଲିକାଭୁକ୍ତ ଇକ୍ୱିଟି ସେୟାରଗୁଡ଼ିକର ଟ୍ରାନସଫର୍ ରେ ମିଳୁଥିବା ଲଙ୍ଗ୍ ଟର୍ମ କ୍ୟାପିଟାଲ୍ ଗେନସ୍ ଟାକ୍ସର ପୁର୍ନ ଅନୁଧ୍ୟାନ ପାଇଁ ମଧ୍ୟ ଦାବି ହେଉଛି । ଅନେକ ଲୋକ ବହୁ ବର୍ଷ ଧରି ମ୍ୟୁଚୁଆଲ୍ ଫଣ୍ଡ ରେ ଇକ୍ୱିଟି ରଖିଥିବାରୁ ଏହି ୧ ଲକ୍ଷ ଟଙ୍କାର ସୀମା ବହୁତ କମ୍ । ମୋଟାମୋଟି ଭାବେ, ଦୈନନ୍ଦିନ ଜୀବନରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ମୂଲ୍ୟ ସର୍ବୋଚ୍ଚସ୍ତରରେ ପହଞ୍ଚିଛି । ଏହା ଲୋକଙ୍କ ସାମର୍ଥ୍ୟ ସ୍ତରକୁ ଖସାଇବା ଦରକାର । ଏହା ବି ଆଶା କରାଯାଉଛି ଯେ କିଛି ଦ୍ରବ୍ୟ ଉପରେ ଜିଏସଟି ଦର ହ୍ରାସ୍ କରାଗଲେ ଖର୍ଚ୍ଚ ବଢ଼ିବା ସହ ଅର୍ଥନୀତିରେ ହ୍ରାସ୍ ପାଉଥିବା ଚାହିଦା ଉପରେ ରୋକ୍ ଲାଗିପାରିବ ।
(ଲେଖକ, ଶେଖର ଆୟାର୍)