ନୂଆଦିଲ୍ଲୀ: ଆଉ ମାତ୍ର 3 ଦିନ । ଶେଷ ପର୍ଯ୍ୟାୟରେ ବଜେଟ ଛାପା କାମ । ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆଗତ କରିବେ 2020-21 ଆର୍ଥିକ ବର୍ଷର ଆୟବ୍ୟୟ ଅଟକଳ । ଧୀମା ଅର୍ଥନୀତିକୁ ଗତିଶୀଳ ପାଇଁ ଆଗାମୀ ବଜେଟରେ କଣ ରହିବ ଖାସ, ତା ଉପରେ ସମସ୍ତଙ୍କ ଫୋକସ । ତେବେ ଆପଣ ଜାଣନ୍ତି କି, ଏହି ବଜେଟ ବାକ୍ସ ପଛର ଇତିହାସ ? କିପରି ରହିଥାଏ ଏହା ? କିଏ ଏହାକୁ ପସନ୍ଦ କରେ ?
ପ୍ରଥମ ଓ ଆଜିର ବଜେଟ ଭିତରେ କଣ ରହିଛି ପାର୍ଥକ୍ୟ ? ପଢନ୍ତୁ...
ଅର୍ଥମନ୍ତ୍ରୀଙ୍କ ପସନ୍ଦ ମୁତାବକ ବଦଳିଥାଏ ବଜେଟ ବ୍ରିଫକେସର ଆକାର, ପ୍ରକାର ଓ ରଙ୍ଗ । କେବେ ଏହା ଲାଲ ତ ପୁଣି କେବେ କଳା ଆଉ ମାଟିଆ । ସ୍ବତନ୍ତ୍ରତା ପରେ ଦେଶର ବହୁ ଅର୍ଥମନ୍ତ୍ରୀ ଭିନ୍ନ ଭିନ୍ନ ରଙ୍ଗର ବଜେଟ ବ୍ରିଫକେସ ବ୍ୟବହାର କରି ସାରିଛନ୍ତି । ଏଥିଲାଗି ମନ୍ତ୍ରଣାଳୟ ପକ୍ଷରୁ 3ରୁ 4ଟି ରଙ୍ଗ ଅପ୍ସନ ଦିଆଯାଏ । ଏହି ଅନୁଯାୟୀ ନିଜ ପସନ୍ଦର ବ୍ୟାଗ ଚୟନ କରିଥାନ୍ତି ଅର୍ଥମନ୍ତ୍ରୀ ।
ତେବେ ଚାଲନ୍ତୁ ନଜର ପକାଇବା ଭାରତୀୟ ଅର୍ଥମନ୍ତ୍ରୀଙ୍କ ବଜେଟ ବ୍ରିଫକେଶ କଲର ପସନ୍ଦ ଉପରେ ..
- ସ୍ବାଧିନ ଭାରତର ପ୍ରଥମ ଅର୍ଥମନ୍ତ୍ରୀ ଆରକେ ଶନମୁଖମ ଚେଟ୍ଟୀ, 1947 ମସିହାରେ ସେ ବଜେଟ ଦସ୍ତାବିଜକୁ ଏକ ଚମଡା ବ୍ୟାଗରେ ରଖିଥିଲେ ।
- ଏହା ପରେ 1956ରୁ 1958 ଓ 1964ରୁ 1966 ଅନ୍ତରାଳରେ ଅର୍ଥମନ୍ତ୍ରୀ ଟିଟି କୃଷ୍ଣମାଚରୀ ଏକ ଫାଇଲ ବଜେଟ ବ୍ୟାଗ ସହ ସଂସଦରେ ପହଞ୍ଚିଥିଲେ ।
- ସେହିପରି 1958ରେ ଜବାହାରଲାଲ ନେହେରୁ ବଜେଟ ପାଇଁ ଏକ କଳାରଙ୍ଗର ବାକ୍ସ ଚୟନ କରିଥିଲେ ।
- କିନ୍ତୁ 1970 ପରେ ଦେଶର ଅର୍ଥମନ୍ତ୍ରୀ କ୍ଲାସିକ ହାର୍ଡଟପ ବ୍ରିଫକେସର ବ୍ୟବହାର ଆରମ୍ଭ କଲେ ।
- ଯଶୋବନ୍ତ ସିହ୍ନାଙ୍କ ବଜେଟ ବ୍ରିଫକେଶ ରେଡ ବ୍ରିଫକେଶ ଭଳି ଥିଲା । ବ୍ରିଟେନ ରାଜକୋଷର ଚାନ୍ସଲରଙ୍କ ଦ୍ବାରା ବ୍ୟବହାର କରାଯାଇଥିବା ଷ୍ଟ୍ରାପ ଓ ବକଲ ଏଥିରେ ବ୍ୟବହୃତ ହୋଇଥିଲା ।
- ମନମୋହନ ସିଂହ ଧରିଥିବା ବଜେଟ ବ୍ରିଫକେଶଟି ୱିଲିୟମ ଇବର୍ଟ ଗ୍ଲେଡଷ୍ଟୋନଙ୍କ ବ୍ରିଫକେଶ ଭଳି ଥିଲା । ଏହାର କଳା ରଙ୍ଗର ରହିଥିଲା ।
- ଆଉ ଏ ସବୁ ଭିତରେ ସବୁଠାରୁ ଇଣ୍ଟ୍ରେଷ୍ଟିଙ୍ଗ ଥିଲା ପ୍ରଣବ ମୁଖାର୍ଜୀଙ୍କ ବ୍ରିଫକେଶ । ଚେରୀ ଗୋଲ୍ଡଷ୍ଟୋନର ବାକ୍ସ ମଧ୍ୟରେ ସେ ବଜେଟ ଦସ୍ତାବିଜ ନେଇ ଆସିଥିଲେ ।
- ୟୁପିଏ ସମୟର ଅର୍ଥମନ୍ତ୍ରୀ ଥିବା ପି ଚିଦାମ୍ବରମ ନିଜ କାର୍ଯ୍ୟକାଳରେ ଏକ ସାଧା ମାଟିଆ ଓ ଲାଲ ରଙ୍ଗର ବ୍ରିଫକେଶ ଧରି ପହଞ୍ଚିଥିଲେ ।
- ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ 2014ରେ ବଜେଟ ପାଇଁ ମାଟିଆ ରଙ୍ଗର ବାକ୍ସ ଚୟନ କରିଥିଲେ । ଏହା ପର ବର୍ଷ ସେ ଗାଢ ଲାଲ ଓ 2017ରେ ଗାଢ ମାଟିଆର ବାକ୍ସ ଆଣିଥିଲେ ।
- ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ଷ ବର୍ଷର ପରମ୍ପରା ଭାଙ୍ଗି ବ୍ରିଫକେଶ ବଦଳରେ ପ୍ରଥମ ଥର ନାଲି କପଡାରେ ସମସ୍ତ ଦସ୍ତାବିଜ୍ ଧରି ସଂସଦରେ ପହଞ୍ଚିଥିଲେ । ଏହା ଉପରେ ଅଶୋକ ସ୍ତମ୍ଭର ଫଳକ ରହିଥିଲା । ଏହାକୁ ବଜେଟ ବହିଖାତା ବୋଲି କୁହାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ