ନୂଆଦିଲ୍ଲୀ: ଆର୍ଥିକ ସଙ୍କଟରେ ଯୁଝୁଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ ଆଶ୍ବସ୍ତି । ବନ୍ଦେ ଭାରତ ମିଶନ ପରିଚାଳନା ଅଧିନରେ ଅଗଷ୍ଟ 31 ସୁଦ୍ଧା କମ୍ପାନୀ 2556.60 କୋଟି ଟଙ୍କା ରାଜସ୍ବ କମେଇଛି । ଏ ନେଇ ବୁଧବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି ।
କୋରୋନା ଭାଇରସ ମହାମାରୀ ଯୋଗୁଁ ମାର୍ଚ୍ଚ 23ରୁ ଅନ୍ତରାଷ୍ଟ୍ରୀୟ ଯାତ୍ରୀ ବିମାନ ପରିଚାଳନା ବନ୍ଦ ରହିଛି । ଆଉ ଏହି ସଙ୍କଟ କାଳରେ ବିଦେଶୀ ଫସିଥିବା ପ୍ରବାସୀ ଭାରତୀଙ୍କୁ ସ୍ବଦେଶ ଆଣିବା ପାଇଁ ବନ୍ଦେ ଭାରତ ମିଶନ ମେ 6ରୁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ । ଏହା ଜରିଆରେ ଲକ୍ଷାଧିକ ଟିକେଟ ବିକ୍ରି ହୋଇଛି । ସ୍ବତନ୍ତ୍ର ବିମାନରେ ବିଶ୍ବର କୋଣ ଅନୁକୋଣରୁ ପ୍ରବାସୀ ଭାରତୀୟ ନିଜ ଘରକୁ ଫେରିପାରିଛନ୍ତି ।
ଅଗଷ୍ଟ 31 ସୁଦ୍ଧା ଏୟାର ଇଣ୍ଡିଆ ଗ୍ରୁପ୍ ଦ୍ୱାରା ନିଆଯାଇଥିବା ଇନବାଉଣ୍ଡ ଏବଂ ଆଉଟବାଉଣ୍ଡ ସ୍ୱତନ୍ତ୍ର ପ୍ରତ୍ୟାବର୍ତ୍ତନ ବିମାନର ସଂଖ୍ୟା 4,505 ଥିଲା ବୋଲି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ପୁରୀ କହିଛନ୍ତି।
ଅଗଷ୍ଟ 31 ପର୍ଯ୍ୟନ୍ତ ପ୍ରତ୍ୟାବର୍ତ୍ତନ କରିଥିବା ପ୍ରାୟ 11 ଲକ୍ଷ ଭାରତୀୟ ନାଗରିକଙ୍କ ମଧ୍ୟରୁ ପ୍ରାୟ ଚାରି ଲକ୍ଷ ଯାତ୍ରୀ ଏୟାର ଇଣ୍ଡିଆରେ ଆସିଛନ୍ତି । ଏଥିସହ ଏୟାର ଇଣ୍ଡିଆ 1.9 ଲକ୍ଷ outbound ଯାତ୍ରୀ (ବିଦେଶୀମାନଙ୍କ ସମେତ) ଭାରତରୁ ବିଦେଶୀ ଗନ୍ତବ୍ୟସ୍ଥଳକୁ ଫେରିଛନ୍ତି ।