ନୂଆଦିଲ୍ଲୀ: କୋରୋନା ଭାଇରସ ପ୍ରଭାବରେ ବିମାନ ଶିଳ୍ପ ଶୋଚନୀୟ । ଅନିଶ୍ଚିତତା ମଧ୍ୟରେ ଚାଲିଛି ବିମାନ ପରିଚାଳନା । ଏଥିଯୋଗୁଁ ଆଦାନୀ ଗ୍ରୁପ 3ଟି ବିମାନ ବନ୍ଦର ଅଧିଗ୍ରହଣ ନେଇ ମନା କରିଦେଇଛି ।
ପ୍ରକାଶ ଯେ, ଅହମ୍ମଦବାଦ, ଲକ୍ଷ୍ନୌ, ମାଙ୍ଗାଲୋର ବିମାନ ବନ୍ଦର ପାଇଁ ଆଦାନି ଗ୍ରୁପ ବିଡ ଜିତିଥିଲେ । ହେଲେ ଏବେ କୋରୋନା ସଙ୍କଟ ଯୋଗୁଁ ବିମାନ ଶିଳ୍ପ ଗୁରୁତର ପ୍ରଭାବିତ ହୋଇଛି । ଏପରି ସ୍ଥିତିରେ ବିମାନ ବନ୍ଦର ସଞ୍ଚାଳନ ପାଇଁ 6 ମାସରୁ ଅଧିକ ସମୟ ଲାଗିବ । ଏଣୁ ଏବେ ଏସବୁ ବିମାନ ବନ୍ଦର ଅଧିଗ୍ରହଣ ନେଇ ଅସମର୍ଥ ଦର୍ଶାଇ ଭାରତୀୟ ବିମାନ ବନ୍ଦର ପ୍ରାଧୀକରଣ(ଏଏଆଇ)କୁ କମ୍ପାନୀ ଚିଠି ଲେଖିଛି ।
ଏଥିସହ ଚିଠିରେ ଦର୍ଶାଯାଇଛି କି, ଏହି 3 ଏୟାରପୋର୍ଟ ପାଇଁ 1000 କୋଟି ଟଙ୍କାର ଯେଉଁ ଆସେଟ ଟ୍ରାନ୍ସଫର ଫିସ ଅଗଷ୍ଟରେ ଦେବା ପାଇଁ ସ୍ଥିର ହୋଇଥିଲା ତାକୁ 2020 ଡିସେମ୍ବର ଯାଏଁ ବୃଦ୍ଧି କରାଯାଉ ।
2018ରେ ଆଦାନୀ ଗ୍ରୁପ ମୋଟ 6 ଏୟାରପୋର୍ଟ ସଞ୍ଚାଳନ ନେଇ ବିଡ୍ ଜିତିଥିଲେ । ଏଥିରୁ 3ଟି ଏୟାରପୋର୍ଟର ସଞ୍ଚାଳନ ଓ ବିକାଶ ନେଇ ଏ ବର୍ଷ AAI ସହ କମ୍ପାନୀ ଏଗ୍ରିମେଣ୍ଟରେ ଦସ୍ତଖତ କରିଥିଲା ।