ଢାକା: ନକଲି କୋଭିଡ-19 ରିପୋର୍ଟ ଦେବା ଅଭିଯୋଗରେ 7 ଜଣ ବେସରକାରୀ ହସ୍ପିଟାଲର ଅଧିକାରୀଙ୍କୁ ଗିରଫ କରାଯାଇଛି । ଢାକା କୋର୍ଟ ଏହି 7 ଜଣଙ୍କୁ ରିମାଣ୍ଡରେ ପଠେଇଛି । ବୁଧବାର ପୋଲିସ ସେମାନଙ୍କୁ କୋର୍ଟରେ ହାଜର କରିବା ପରେ ଅଭିଯୁକ୍ତଙ୍କୁ 7 ଦିନିଆ ରିମାଣ୍ଡରେ ପଠାଇଛି କୋର୍ଟ। ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ନାବାଳିକ ହୋଇଥିବାରୁ, ଜୁଭେନାଇଲ୍ ସେଣ୍ଟରକୁ ପଠାଯାଇଛି ।
ରିଜେଣ୍ଟ ଗ୍ରୁପର ଚେୟାରମ୍ୟାନ ଓ ଏମଡି ସମେତ 16ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ପ୍ରକାଶଥାଉକି, ରାପିଡ୍ ଆକ୍ସନ୍ ବାଟାଲିଅନ୍ (RAB) ମଙ୍ଗଳବାର ରାତିରେ ଢାକାସ୍ଥିତ ରେଜିଣ୍ଟ୍ ଗ୍ରୁପ୍ର 2 ଟି ଡାକ୍ତରଖାନା ଉପରେ ଚଢାଉ କରିଥିଲା । କୋଭିଡ ପ୍ରମାଣପତ୍ର ଦେବା ପାଇଁ ଅଧିକାରୀଙ୍କ ଜାଲ୍ ଦସ୍ତଖତ ଓ କ୍ରମିକ ନମ୍ବର ବ୍ୟବହାର କରିଥିବା ଅଭିଯୋଗରେ 8 ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏପରିକି ଡାକ୍ତରଖାନା ପାଖରେ ସରକାରୀ ଅନୁମତି ବିନା କାମ ଚାଲିଥିଲା ।
ଏହାପୂର୍ବରୁ ଜୁନ ମାସରେ ଜାପାନ ବାଂଲାଦେଶରୁ ସ୍ବତନ୍ତ୍ର ବିମାନ ଚଳାଚଳ ଉପରେ କଟକଣା ଲଗାଇଥିଲା । କାରଣ ଜଣେ ଯାତ୍ରୀ କୋଭିଡ ପଜିଟିଭ୍ ଥିବା ସତ୍ତ୍ବେ ତାଙ୍କୁ କୋରୋନା ଫ୍ରି ପ୍ରମାଣପତ୍ର ମିଳିଥିଲା । ସମାନ ମାମଲା ଦକ୍ଷିଣ କୋରିଆ ଯାଉଥିବା ଯାତ୍ରୀଙ୍କ ସହ ମଧ୍ୟ ହୋଇଥିଲା ।
ଅନ୍ୟପକ୍ଷେ 24 ଘଣ୍ଟା ମଧ୍ୟରେ ବାଂଲାଦେଶରେ 46 ଜଣଙ୍କ କୋଭିଡ ଜନିତ ମୃତ୍ୟୁ ହୋଇଥିବା ବେଳେ 3489 ଟି ନୂତନ କୋରୋନା ମାମଲା ସାମ୍ନାକୁ ଆସିଛି । ଏହା ସହିତ ଦେଶରେ ମୃତ୍ୟୁ ସଂଖ୍ୟା 2197 ଓ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା 1,72,134 କୁ ବୃଦ୍ଧି ପାଇଛି । ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ (ଡିଜିଏଚଏସ୍) ଅନୁଯାୟୀ ଦେଶରେ ପୁନରୁଦ୍ଧାର ହାର 46.96 ପ୍ରତିଶତ ରହିଛି।