ବାରଣାସୀ: ଲୋକସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ଶପଥ ଗ୍ରହଣ ପୂର୍ବରୁ ନିଜ ସଂସଦୀୟ କ୍ଷେତ୍ର ଯିବେ ପ୍ରଧାନମନ୍ତ୍ରୀ ମୋଦି । ମେ 27 ସୋମବାର ନିଜ ସଂସଦୀୟ କ୍ଷେତ୍ରର ଭୋଟରଙ୍କୁ କୃତଜ୍ଞତା ଜଣାଇବା ସହ ବାବା କାଶୀ ବିଶ୍ବନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ସୂଚନାଯୋଗ୍ୟ, ବାରଣାସୀରୁ ନିର୍ବାଚନ ଲଢୁଥିବା ମୋଦିଙ୍କୁ କାଶୀ ଜନତା ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିଛନ୍ତି । ନିଜର ବିଜୟ ପରେ ଖୁସି ବ୍ୟକ୍ତ କରିବା ସହ ଭୋଟରଙ୍କୁ ଧନ୍ୟବାଦ ଜଣାଇବାକୁ ବାରଣାସୀ ଗସ୍ତ କରୁଛନ୍ତି । ଏଥିସହିତ ଏହି ଗସ୍ତ କାଳରେ ବାରଣାସୀରେ ଏକ ଗ୍ରାଣ୍ଡ୍ ରୋଡ୍ ଶୋ' କରିବାର ମଧ୍ୟ ଯୋଜନା ରହିଛି ।
କାର୍ଯ୍ୟବାହକ ପ୍ରଧାନମନ୍ତ୍ରୀ ଭାବେ ମୋଦି ପ୍ରଥମ ଥର ପାଇଁ କାଶୀ ଯିବେ । ଆଉ ଏଥିପାଇଁ କାଶୀର ଜନତା ନିଜ ସଂସଦୀୟ କ୍ଷେତ୍ରରେ ଜନତା ପାଖାପାଖି 20 କ୍ବିଣ୍ଟାଲ ଗୋଲାପ ପାଖୁଡାର ବର୍ଷା କରିବେ । ମୋଦି ସକାଳ 9.30ରେ ବାବତପୁର ଏୟାରପୋର୍ଟରେ ପହଞ୍ଚିବେ । ସେଠାରୁ ହେଲିକ୍ୟାପ୍ଟର ଯୋଗେ ପୋଲିସ ଲାଇନ ଆସି ସଡକ ପଥରେ କାଶୀ ବିଶ୍ବନାଥ ମନ୍ଦିର ଯିବେ । ପୋଲିସ ଲାଇନରୁ କାଶୀ ବିଶ୍ବନାଥ ମନ୍ଦିର ପର୍ଯ୍ୟନ୍ତ ରୋଡ ଶୋ' କରିବେ । ତେବେ ଏହି ରାସ୍ତାରେ ପ୍ରତିଟି ସ୍ଥାନରେ 20 କ୍ବିଣ୍ଟାଲର ଗୋଲାପ ପାଖୁଡାର ବର୍ଷା ହେବା ସହ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ କାଶୀ ଜନତା ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରିବେ ।
ନବମ ଥର ପାଇଁ ବାବାଙ୍କ ଶରଣାର୍ଥୀ ହେବି ମୋଦି । 2014ରେ ବାରଣାସୀର ସାଂସଦ ଭାବେ ନିର୍ବାଚିତ ହେବା ପରେ ସେ ବାବାଙ୍କ ଆର୍ଶୀବାଦ ନେଇ ପ୍ରଥମ ସଭା କରିଥିଲେ । ସେପଟେ କାଶୀରେ ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିସହିତ ବିଶ୍ବନାଥ ମନ୍ଦିରକୁ ମଧ୍ୟ ଆକର୍ଷଣୀୟ ଫୁଲମାଳରେ ସଜ୍ଜା ଯାଇଛି ।