ନୂଆଦିଲ୍ଲୀ: ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଆଜି ଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ମିଳିତ ଗୃହକୁ ସମ୍ବୋଧନ କରିଛନ୍ତି । ଆଜି ପୂର୍ବାହ୍ନ 11ଟାରେ ରାଷ୍ଟ୍ରପତି କୋବିନ୍ଦ ସଂସଦର ସେଣ୍ଟ୍ରାଲ ହଲରେ ପ୍ରବେଶ କରିଥିଲେ ।
ଏହାପରେ ଜାତୀୟ ସଂଗୀତ ଗାନ ପରେ ରାଷ୍ଟ୍ରପତି ଗୃହକୁ ସମ୍ବୋଧନ କରିଥିଲେ । ସରକାରଙ୍କ କାର୍ଯ୍ୟକ୍ରମ ଭବିଷ୍ୟତ ଯୋଜନା ସହ ଦେଶ ସମ୍ମୁଖରେ ଥିବା ସମସ୍ୟା ସବୁକିଛି ସ୍ଥାନ ପାଇଥିଲା ମହାମହିମଙ୍କ ଭାଷଣରେ । ହେଲେ ସବୁଠାରୁ ଚର୍ଚ୍ଚାରେ ଥିଲା ଯେତେବେଳେ ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଥିଲେ ଯେ ଖୁବଶୀଘ୍ର ଦେଶର ରକ୍ଷା କବଚ ରାଫେଲ ଓ ଆପାଚେ ହେଲିକେପ୍ଟର ଆସିବ ଏହାସହ ଦେଶ ସୁରକ୍ଷାର ନୂଆ ଇତିହାସ ସୃଷ୍ଟି ହେବ । ଏହି ସମୟରେ କରତାଳି ମାଡରେ ଗୃହ ପ୍ରକମ୍ପିତ ହୋଇଥିଲା ।
ଏହାସହ ମେକ ଇନ ଇଣ୍ଡିଆ ଯୋଜନା ମାଧ୍ୟମରେ ଦେଶ ଭିତରେ ରାଇଫଲ, ଟ୍ୟାଙ୍କର, ତୋପ ଓ ଲଢୁଆ ବିମାନ ନିର୍ମାଣ ପାଇଁ ନିଷ୍ପତି ନିଆଯାଇଛି । ଏଥିସହ ଦେଶ ସୁରକ୍ଷା ପାଇଁ ପ୍ରାଥମିକତା ଭିତ୍ତିରେ ସବୁ ପ୍ରକାର ପଦକ୍ଷେପ ସରକାର ନେଉଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି ।