ଭୁବନେଶ୍ବର: ପର୍ଯ୍ୟଟନ କ୍ଷେତ୍ରରେ ଓଡିଶାକୁ ଅଣଦେଖା କରାଯାଇଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ । ଏପରିକି ଏ ପ୍ରସଙ୍ଗକୁ ରାଜ୍ୟସଭାରେ ଉପସ୍ଥାପନ କରିଛନ୍ତି । କେନ୍ଦ୍ର ବଜେଟରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଥିବା ଅଭିଯୋଗ କରିଛନ୍ତି ସେ ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ୧୭ ଆଇକନିକ୍ ଟୁରିଜିମ୍ ସାଇଟର ତାଲିକା ପ୍ରସ୍ତୁତ କରାଯାଇଛି । ହେଲେ ରାଜ୍ୟସଭାରେ ଓଡିଶାର ଗୋଟିଏ ମଧ୍ୟ ପର୍ଯ୍ୟଟନସ୍ଥଳୀ ସ୍ଥାନ ପାଇନାହିଁ । ଅନେକ ଗୁରୁତ୍ୱପୂର୍ଣ୍ଣ ଐତିହ୍ୟ ଏବଂ ପର୍ଯ୍ୟଟନସ୍ଥଳୀର ଅବସ୍ଥିତ ଥିବାରୁ ଓଡ଼ିଶାର ଅନେକ ଖ୍ୟାତି ରହିଛି । ହେଲେ ଏହାର ବିକାଶ କରିବା କେନ୍ଦ୍ରର କୌଣସି ଆନ୍ତରିକତା ନାହିଁ ।
ଓଡ଼ିଶାରେ ଭରପୁର ପର୍ଯ୍ୟଟନ ସ୍ଥଳୀ ରହିଛି । ହେଲେ କେନ୍ଦ୍ର ସହଯୋଗ ନ ମିଳିବା କାରଣରୁ ଏହାର ବିକାଶ ହୋଇ ପାରୁନାହିଁ କିମ୍ବା ଏହାର ପ୍ରଚାର ପ୍ରସାର ହୋଇ ପାରୁନାହିଁ । ପରିଣାମ ସ୍ବରୂପ ଅନେକ ପର୍ଯ୍ୟଟନସ୍ଥଳୀ ଲୋକଲୋଚନରୁ ଦୂରେଇବାରେ ଲାଗିଛି । ରାଜ୍ୟସଭାରେ ଓଡିଶାରେ ଥିବା ପର୍ଯ୍ୟଟନସ୍ଥଳୀର ସ୍ଥିତି ସମ୍ପର୍କରେ କେନ୍ଦ୍ରକୁ ଅବଗତ କରିଛନ୍ତି ସେ ।
ବିଶ୍ବପ୍ରସିଦ୍ଧ ଜଗନ୍ନାଥ ମନ୍ଦିରକୁ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ ଲାଗି ଆସୁଛନ୍ତି । ହେଲେ ଏହାକୁ ପ୍ରାଧାନ୍ୟ ଦିଆଯାଉ ନାହିଁ । ସେହିପରି ପୁରୀ ସମୁଦ୍ରକୂଳ, କୋଣାର୍କର ସୂର୍ଯ୍ୟମନ୍ଦିର, ମନ୍ଦିରମାଳିନୀ ସହର ଭୁବନେଶ୍ବର ଭଳି ସ୍ଥାନ ଥାଇ ପର୍ଯ୍ୟଟନ କ୍ଷେତ୍ରରେ ଓଡିଶା ପଛୁଆ । ଏହା ସହିତ ଚିଲିକା ହ୍ରଦ, କାଳିଯାଇ ମନ୍ଦିର, ଭିତରକନିକା ଭଳି ସ୍ଥାନକୁ ପରିଦର୍ଶନରେ ଆସିବା ପାଇଁ ଆଗ୍ରହୀ ଅନେକ ପର୍ଯ୍ୟଟକ । ଦେଶର ଆଇକନିକ ଟୁରିଜିମ ସାଇଟରେ ଓଡିଶାର କୌଣସି ଏକ ସ୍ଥାନକୁ ସାମିଲ କରିବା ପାଇଁ ଦାବି କରିଛନ୍ତି ସେ। ।