କଳାହାଣ୍ଡି: ମେଳଘର ଗାଁ । ଗରିବୀର ନିଚ୍ଛକ କାହାଣୀ ବୟାନ କରେ ଏହି ଗାଁ । ତେବେ ନିଜ ସ୍ତ୍ରୀର ଶବକୁ କାନ୍ଧେଇ ଗାଁକୁ ଦାନ ମାଝୀ ଆସିବା ପରେ ସମଗ୍ର ବିଶ୍ବରେ ପରିଚିତ ହୋଇଥିଲା ମେଲଘର । ସମୟ ବଦଳିଛି, ଆଉ ବଦଳିଛି ଦାନଙ୍କ ଜୀବନଶୈଳୀ । ହେଲେ ମେଲଘରର ଚିତ୍ର ଯଥା ପୂର୍ବଂ, ତଥା ପରଂ । ଏବେ ଆଉ ଏକ ଘଟଣାକୁ ନେଇ ପୁଣି ଥରେ ଚର୍ଚ୍ଚାରେ ମେଲଘର । ପାଖରେ ନବଜାତକ ଅଛି ସତ କିନ୍ତୁ ନାହିଁ ବାପର ପରିଚୟ । ଆମେ କହୁଛୁ ଏହି ଗାଁର ଜଣେ କୁଆଁରୀ ମା' ର କଥା ।
ନିଜେ ଦୁନିଆ କଣ ଜାଣିବା ପୂର୍ବରୁ ଦୁନିଆକୁ ଆଣିଛି ଆଉ ଗୋଟିଏ ନୀରିହକୁ । ଶିକ୍ଷା ଠାରୁ ବହୁ ଦୂରରେ ଥିବା ଏହି ଅଶିକ୍ଷିତ ନାବାଳିକାକୁ ଅନ୍ତଃସତ୍ବା କରିଥିଲା ପଡୋଶୀ ଯୁବକ । ଏହା ପରେ ନିଜେ ଫେରାର ହୋଇଯାଇଛି । ଏଭଳି ଲଜ୍ଜା ପରେ ସମାଜ ଭୟରେ ନାବାଳିକାକୁ ପରିବାର ପକ୍ଷରୁ ମିଳିଛି ପ୍ରତାରଣା । ଯାହାକୁ ବୟାନ କରିବା ଥିଲା ବଡ ମୁସ୍କିଲ ।
ଘଟଣାସମ୍ପର୍କରେ ପ୍ରସାରିତ ହେବା ପରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି ଉଭୟଙ୍କୁ ଉଦ୍ଧାର କରି ସୁଧାର ଗୃହରେ ଆଶ୍ରୟ ଦେଇଛି । ଅଭିଯୁକ୍ତ ପଡୋଶୀକୁ ଉଚିତ୍ ଦଣ୍ଡ ଦେବାକୁ ଥୁଆମୂଲ-ରାମପୁର ଥାନାରେ ମାମଲା ରୁଜୁ କରାଯାଇଛି ।
କଳାହାଣ୍ଡିରୁ ଅଜିତ୍ ସିଂହ, ଇଟିଭି ଭାରତ