ନୂଆଦିଲ୍ଲୀ: ସମାଜସେବୀ ଅଗ୍ନିବେଶଙ୍କ ମୃତ୍ୟୁରେ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଏମ ନାଗେଶ୍ବର ରାଓ ଏକ ବିବାଦୀୟ ତଥା ଅଶ୍ଳୀଳ ମନ୍ତବ୍ୟ ଦେଇଛନ୍ତି। ପୂର୍ବତନ ଆଇପିଏସ୍ ଅଧିକାରୀ ତାଙ୍କ ଟ୍ବିଟରେ ସ୍ବାମୀ ଅଗ୍ନିବେଶଙ୍କୁ ଭଗୱା ପୋଷାକ ପିନ୍ଧା ହିନ୍ଦୁ ବିରୋଧୀ ବୋଲି ବର୍ଣ୍ଣନା କରିଛନ୍ତି। ଏମ ନାଗେଶ୍ବର ରାଓ କହିଛନ୍ତି ଯେ ସେ ହିନ୍ଦୁତ୍ବ ପାଇଁ ବହୁତ କ୍ଷତି କରିଛନ୍ତି। ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଏମ ନାଗେଶ୍ବର ରାଓ ଏହା ମଧ୍ୟ କହିଛନ୍ତି ଯେ ଅଗ୍ନିବେଶ ତେଲୁଗୁ ବ୍ରାହ୍ମଣ ଭାବରେ ଜନ୍ମ ନେଇଥିବାରୁ ମୁଁ ଲଜ୍ଜିତ।
ପ୍ରକାଶଥାଉକି, ଶୁକ୍ରବାର ସ୍ବାମୀ ଅଗ୍ନିବେଶଙ୍କର ମୃତ୍ୟୁ ହୋଇଥିଲା। ସ୍ବାମୀ ଅଗ୍ନିବେଶଙ୍କୁ ମୃତ୍ୟୁ ବେଳକୁ 80 ବର୍ଷ ବୟସ ହୋଇଥିଲା। ସେ ଦିଲ୍ଲୀରେ ଲିଭର ସିରୋସିସ୍ ପାଇଁ ଚିକିତ୍ସିତ ହେଉଥିଲେ। ତାଙ୍କର ଅନେକ ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା । ଏହା ପରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା । ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ଅବସ୍ଥା ଖରାପ ହେବାକୁ ଲାଗିଲା। ଡାକ୍ତର ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ।
ପ୍ରକାଶଥାଉକି, ଏମ୍ ନାଗେଶ୍ବର ରାଓ ଓଡିଶା କ୍ୟାଡରର 1986 ବ୍ୟାଚ୍ ଆଇପିଏସ୍ ଅଧିକାରୀ ଥିଲେ। 2018 ମସିହାରେ ଯେତେବେଳେ ତତ୍କାଳୀନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସାମ୍ନାକୁ ଆସିଲା ସେତେବେଳେ 24 ଅକ୍ଟୋବରରେ ଏମ୍ ନାଗେଶ୍ବର ରାଓଙ୍କୁ ସିବିଆଇର ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ଦାୟିତ୍ବ ପ୍ରଦାନ କରାଯାଇଥିଲା। ଜୁଲାଇ 2019 ରେ କେନ୍ଦ୍ର ତାଙ୍କୁ ସିବିଆଇରୁ ହଟାଇ ହୋମଗାର୍ଡ ବିଭାଗର ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଥିଲା।