ନୂଆଦିଲ୍ଲୀ: ପାକିସ୍ତାନ ବାଲାକୋଟରେ ଥିବା ଜୈଶ-ଏ-ମହମ୍ମଦର 6ଟି ଆତଙ୍କୀ ଠିକଣା ମଧ୍ୟରୁ 5 ଠିକଣାକୁ ଧ୍ୱଂସ କରିଛି ଭାରତୀୟ ବାୟୁସେନା(ଆଇଏଏଫ୍) । ବାୟୁସେନା ପକ୍ଷରୁ ଜାରି କରାଯାଇଥିବା ଏକ ଇଣ୍ଟରନାଲ ରିଭ୍ୟୁ ଡକ୍ୟୁମେଣ୍ଟରେ ଏସମ୍ପର୍କରେ ସୂଚନା ଦିଆଯାଇଛି ।
ବାଲାକୋଟ ଆକ୍ରମଣ ସମ୍ପର୍କରେ ଏକ ରିପୋର୍ଟରେ କୁହାଯାଇଥିଲା, ମିରାଜ ୨୦୦୦ ଜେଟ୍ ବିମାନରୁ ଟାର୍ଗେଟ କରାଯାଇଥିବା ଇସ୍ରାଏଲ ସ୍ପାଇସ୍ 2000(ପିଜିଏମ) 6ଟି ମଧ୍ୟରୁ 5ଟି ଠିକଣାକୁ ଧ୍ୱଂସ କରିଥିଲା । ସୂଚନାନୁସାରେ ପାକିସ୍ତାନ ଉପରେ କାବୁ ରଖିବାକୁ ବାୟୁସେନା ଉଚ୍ଚ କ୍ଷମତା ସମ୍ପନ୍ନ ଟେକ୍ନୋଲୋଜି ଏବଂ ବାୟୁ ରକ୍ଷା ପ୍ରଣାଳୀ ଉପରେ ବିଶେଷ ଗୁରୁତ୍ୱ ଦେଇଛି । ସେହିପରି ଭାରତୀୟ ବାୟୁସେନାରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଯଦି ଭାରତୀୟ ସେନା ପାଖରେ ଉଚ୍ଚ କ୍ଷମତା ସମ୍ପନ୍ନ ଟେକ୍ନୋଲୋଜି ଥାଆନ୍ତା ତେବେ ଫେବୃଆରୀ 27ରେ ପାକିସ୍ତାନ ପକ୍ଷରୁ କରାଯାଇଥିବା ପାଲଟା ଆକ୍ରମଣର ଉଚିତ୍ ଜବାବ ଦେଇପାରିଥାନ୍ତା ସେନା । ତେବେ ଏହି ରିପୋର୍ଟରେ ଫେବୃଆରୀ 26ରେ ହୋଇଥିବା ବାୟୁସେନାର ଏୟାର ଷ୍ଟ୍ରାଇକ ଏବଂ 27ରେ ପାକିସ୍ତାନ ଆକ୍ରଣଣର ସମସ୍ତ ଘଟଣା ଉପରେ ଟିକ୍ ନିକ୍ ଯାଞ୍ଚ କରାଯାଇଛି ।
ତେବେ ପୁଲୱାମା ଆକ୍ରମଣରେ ଶହୀଦ ସିଆରପିଏଫଙ୍କ ପ୍ରତିଶୋଧ ନେବାକୁ ଭାରତ ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା । ବାୟୁସେନାର ରିପୋର୍ଟ ଅନୁଯାୟୀ, ୧୯୯୯ କାରଗିଲ ଯୁଦ୍ଧ ପରେ ପାକିସ୍ତାନ ଲଗାତର ନିଜର ବାୟୁସେନାକୁ ସୁଦୃଢ଼ କରୁଛି । ଏଭଳି ପରିସ୍ଥିତିରେ ଭାରତ ମଧ୍ୟ ନିଜର ବାୟୁସେନାକୁ ଆହୁରି ଶକ୍ତିଶାଳୀ କରିବା ଆବଶ୍ୟକ ହୋଇପଡିଛି।