କୋରାପୁଟ: ଆଜି ବି ବଞ୍ଚି ରହିଛି ପରମ୍ପରା । ଘରେ ଗାଈଗୋରୁ ରଖି ସେବା କଲେ ପୁଣ୍ୟ ମିଳେ ବୋଲି ଆଜି ବି ଲୋକଙ୍କ ମନରେ ବିଶ୍ବାସ ରହିଛି । ଗାଈର କ୍ଷୀର ଏବଂ ସେଥିରୁ ଉତ୍ପାଦ ପ୍ରତ୍ୟେକ ତଥ୍ୟ ଶରୀର ପାଇଁ ଲାଭଦାୟୀ । କୌଣସି ଶୁଭ କାର୍ଯ୍ୟରେ ଗାଈର ଗୋବର ଘର ସାମନାରେ ଲିପି ସଫାସୁତୁରା ରଖିବାର ଲାଳସା ମଧ୍ୟ ଦେଖିବାକୁ ମିଳିଥାଏ । ଏହା ବ୍ୟତୀତ ଗାଈ ଗୋବରରେ ବାୟୋଗ୍ୟାସ ପ୍ରସ୍ତୁତ ହେବା କଥା ମଧ୍ୟ ସମସ୍ତେ ଜାଣିଛନ୍ତି ।
ତେବେ କୋରାପୁଟବାସୀଙ୍କ ପାଇଁ ଘରେ ଗାଈଗୋରୁ ରଖି ଗୋବର ଟିକେ ପାଇବା ନିତିଦିଆ କଥା ଭଳି । ଏହି ଗୋବର ଟିକକ ପାଇଁ ବ୍ୟାକୁଳ ହୋଇ ଉଠନ୍ତି ସହରର ଅନେକ ପରିବାର । ଆଉ ସହରବାସୀଙ୍କ ଏହି ଆବଶ୍ୟକତାକୁ ପୂରଣ କରିବାକୁ ଅଣ୍ଟା ଭିଡିଛନ୍ତି କୋରାପୁଟ ସହରରୁ ପ୍ରାୟ 3 କିମି ଦୂରରେ ଥିବା ଗୁଣ୍ଠାଗୁଡା ଗ୍ରାମର 5 ଆଦିବାସୀ ମହିଳା । ଗୋବର ଗୋଟାଇବାରୁ ଆରମ୍ଭ ହୁଏ ଏହି ମହିଳାଙ୍କ ସକାଳ । ନିଜ ଗୁହାଳ ଛଡା ଅନ୍ୟମାନଙ୍କ ଗୁହାଳରୁ ମଧ୍ୟ ଏମାନେ ଏକାଠି କରିଥାନ୍ତି ଗୋବର । ଆଉ ସହରବାସୀଙ୍କ ଆବଶ୍ୟକତାକୁ ପୂରଣ କରିଥାନ୍ତି । ତେବେ ଏହି ଆବଶ୍ୟକତା ଖାଲି ଯେ ଟଙ୍କା ପାଇଁ ତାହା ନୁହେଁ ସେବା ଯୋଗାଇଦେବା ମଧ୍ୟ ଏମାନଙ୍କ ଲକ୍ଷ୍ୟ ବୋଲି ଆଦିବାସୀ ମହିଳା ବତୀ କହିଛନ୍ତି ।
ଉକ୍ତ ମହିଳାଙ୍କ ଏହି ଗୋବର ସେବା ସହରବାସୀଙ୍କ ଦୃଷ୍ଟିରେ ଆସିବା ପରେ ପ୍ରାୟ ସବୁଦିନ ଏମାନଙ୍କୁ ଗୋବର ଯୋଗାଇବାକୁ ବରାଦ ମିଳିଥାଏ । ବିଶେଷ କରି ପୂଜାପର୍ବ ସମୟରେ ଅଧିକ ଗୋବର ନେବାକୁ ଲୋକମାନେ ବରାଦ ଦିଅନ୍ତି । ସେମାନଙ୍କ ଏହି ସେବା ମନୋଭାବ ପାଇଁ ତାଙ୍କୁ ଯିଏ ଯେତେ ପଇସା ଦେଲେ ସେମାନେ ହସି ହସି ଗ୍ରହଣ କରିଥାନ୍ତି । ଏହି ସେବା ଯୋଗାଇ ଦେଉଥିବା ଆଦିବାସୀ ମହିଳାମାନେ ମୁଣ୍ଡ ଉପରେ ବୋଝ ବୋହି ମାଇଲ ମାଇଲ ବାଟ ଚାଲୁଥିଲେ ସୁଦ୍ଧା ସାହାଯ୍ୟ ପାଇଁ କାହାଠୁ କେବେ କିଛି ଦାବି କରିନାହାନ୍ତି ।
କୋରାପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ