ଭୁବନେଶ୍ବର: ପ୍ରେମିକ ମୃତ୍ୟୁ ପାଇଁ ପ୍ରେମିକାକୁ ଚାଲିଛି ପୋଲିସର ଜେରା । ଘଟଣାଟି ହେଉଛି ଶିଶୁପାଳଗଡ ରଘୁନାଥ ନଗର ଅତୁଲ୍ଯ ପରିଡା ମୃତ୍ଯୁର । ତାଙ୍କ ରହସ୍ୟର ଖିଅ ଖୋଜୁଛି କମିଶନରେଟ୍ ପୋଲିସ । ଏନେଇ ଶୁକ୍ରବାର ଅତୁଲ୍ୟଙ୍କ ପ୍ରେମିକାକୁ ପଚରାଉଚରା କରିଛି ଧଉଳି ଥାନା ପୋଲିସ । ଗୁରୁବାର ରାତି ପ୍ରାୟ ୭ଟା ଯାଏ ତାଙ୍କୁ ଥାନାରେ ପଚରାଉଚରା କରିଥିଲା । ଅତ୍ୟୁଲଙ୍କ କଲ ଡିଟେଲକୁ ଆଧାର କରି ଏହି ଜେରା କରୁଛି ପୋଲିସ ।
କଲ ଡିଟେଲ୍ସ ମିଳିଥିବା ସୂଚନାମୁତାବିକ, ଶେଷ ଥର ପାଇଁ ଅତୁଲ୍ଯଙ୍କ ମୋବାଇଲରୁ ତାଙ୍କ ପ୍ରେମିକାଙ୍କ ନମ୍ବରକୁ ବାରମ୍ବାର କଲ କରାଯାଇଥିଲା ଏବଂ ରିସଭ୍ ମଧ୍ୟ ହୋଇଥିଲା । ତେବେ ସେହି ସମୟରେ ଉଭୟଙ୍କ ମଧ୍ୟରେ କଣ ବାର୍ତ୍ତାଳାପ ହୋଇଥିଲା ସେ ନେଇ ପଚରାଉଚରା କରିଛି ପୋଲିସ । ପ୍ରେମିକା ଜଣକ ଅତୁଲ୍ଯଙ୍କୁ ଆତ୍ମହତ୍ଯା ପାଇଁ ଉସୁକାଇଲା ଭଳି କିଛି କହିଥିଲେ ନା ଅତୁଲ୍ଯଙ୍କୁ ହତ୍ଯା କରି ପଙ୍ଖାରେ ଟଙ୍ଗାଇ ଦିଆଯାଇଛି ସେ ଦିଗରୁ ମଧ୍ୟ ଯାଞ୍ଚ କରୁଛି ପୋଲିସ ।
ଅପରପକ୍ଷେ ଅତୁଲ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ତେବେ ସୁଇସାଇଡ୍ ନୋଟକୁ ନେଇ ହତ୍ଯା କରାଯାଇଥିବା ସନ୍ଦେହ କରୁଛି ପୋଲିସ । ଅତୁଲ୍ୟଙ୍କ ଯେଭଳି ଭାବେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା ସେପରି ୯୦ ପ୍ରତିଶତ ମାମଲା ହତ୍ୟା ବୋଲି କହିଛି । ସେହିପରି ଅତୁଲ୍ୟଙ୍କ ପାରିପାର୍ଶିକ ସ୍ଥିତି ଓ ଥାନାରେ ପ୍ରେମିକା ନାଁରେ ହତ୍ଯା ଅଭିଯୋଗ କରିଥିବା ଅତୁଲ୍ଯଙ୍କ ପରିବାର ତାଙ୍କ ପୁଅକୁ ହତ୍ୟା କରାଯାଇଥିବ ଜିଦରେ ଅଟଳ ରହିଛି ।
ସେପଟେ ଅତୁଲ୍ଯଙ୍କ ପିଉସା ଘର ଅର୍ଥାତ ମୃତଦେହ ଉଦ୍ଧାର ହୋଇଥିବା ଘର ପାଖରେ ଥିବା କାରରୁ ରକ୍ତଛିଟା ଦେଖିବାକୁ ମିଳିଛି । ଉକ୍ତ କାର ଭିତରୁ ଲେଡିଜ ହେୟାର କ୍ଲିପ ଓ ଲେଡିଜ ୱାଚ୍ ଜବତ ହୋଇଛି । ଅତ୍ୟୁଲଙ୍କ ମୃତ୍ୟୁର ରହସ୍ୟର ସମାଧାନ ପୋଲିସ ପାଇଁ ଏକ ପ୍ରକାରର ଚ୍ୟାଲେଞ୍ଜ ହୋଇଥିବାବେଳେ ଘଟଣାର ସମାଧାନ ପାଇଁ ଘନ ଘନ ତଦନ୍ତ ଜାରି ରହିଛି ।
ଗତ ଜୁନ ୧୦ ତାରିଖରେ ଶିଶୁପାଳଗଡ ରଘୁନାଥନଗରର ଏକ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଅତୁଲ୍ଯଙ୍କ ମୃତଦେହ ଜବତ କରିଥିଲା ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ