ହାଇଦ୍ରାବାଦ: ପାକିସ୍ତାନ କ୍ରିକେଟ ଜଗତରେ ଖେଳି ଯାଇଛି ଶୋକର ଛାୟା । ପାକ୍ର ପୂର୍ବତନ ବ୍ୟାଟ୍ସମ୍ୟାନ ଅଖତର ସର୍ଫରାଜଙ୍କ ପରଲୋକ ଘଟିଛି । ରକ୍ତ କର୍କଟରେ ସେ ପୀଡିତ ଥିଲେ । 43 ବର୍ଷୀୟ ଅଖତର କ୍ୟାନ୍ସର ସହ ଲଢୁ ଲଢୁ ସୋମବାର ଦିନ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ।
ପିସିବି ପାଇଁ ଅଖତରଙ୍କ ଅନେକ ଯୋଗଦାନ ରହିଛି । ସେ ଆଞ୍ଚଳିକ କୋଚ ଓ ପାକ ମହିଳା ଟିମର ଚୟନକର୍ତ୍ତା ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କର ଦେହାନ୍ତରେ ପିସିବି ଚେୟାରମ୍ୟାନ ଏହସାନ ମନି କହିଛନ୍ତି ଯେ, ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଅଖତରଙ୍କ ଦେହାନ୍ତରେ ଦୁଃଖିତ । ଅଖତର ଜଣେ ଯୁବ କ୍ରିକେଟର ଥିଲେ । ତାଙ୍କୁ ସମସ୍ତେ ସମ୍ମାନ ଦେଉଥିଲେ ଓ ଭଲ ପାଉଥିଲେ ।
ଏଥିସହ ଆହୁରୀ ମଧ୍ୟ ସେ କହିଛନ୍ତି ଯେ, କମ୍ ବୟସରେ ତାଙ୍କର ମୃତ୍ୟୁ ହେବା ଅତ୍ୟନ୍ତ ଦୁଃଖର ବିଷୟ । ସେ ଏହି ଦୁନିଆରେ ନାହାନ୍ତି ସତ ଆମର ହୃଦୟରେ ସର୍ବଦା ସ୍ମରଣୀୟ ରହିବେ । ଏହି ଦୁଃଖଦ ସମୟରେ ତାଙ୍କର ପରିବାର ସହ ଆମେ ଛିଡା ହେବୁ ।
ସୂଚନାଥାଉକି, ବାମ ହାତି ବ୍ୟାଟ୍ସମ୍ୟାନ ଅଖତର ସର୍ଫରାଜ ପାକ୍ ପାଇଁ 4ଟି ଏକଦିବସୀୟ ମ୍ୟାଚ୍ ଖେଳି 66ରନ ସ୍କୋର କରିଥିଲେ । ଏଥିସହ 118ଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳି 5720ରନ୍ ହାସଲ କରିଛନ୍ତି ଓ 98 ଲିଷ୍ଟ ଏ ଗେମ୍ ଖେଳି 2636ରନ ସ୍କୋର କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ