ଅନୁଗୋଳ: ଇଟାଭାଟିରେ ଅଘଟଣ । ବିଦ୍ୟୁତ ଆଘାତରେ କାରଖାନାର ମାଲିକଙ୍କ ସହ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଘଟଣାଟି ଘଟିଛି ଅନୁଗୋଳ ଥାନା ଗୋଡିବନ୍ଧ ହରିହରପୁର ପାଉଁଶ ଇଟା କାରଖାନାରେ । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଅଛନ୍ତି । ପୁରୁଷ ଜଣକ କାରଖାନାର ମାଲିକ ଅନନ୍ତ ନାରାୟଣ ସାହୁ ହୋଇଥିବାବେଳେ ମହିଳା ଶ୍ରମିକ ଜଣକ ହେଲେ ମଞ୍ଜରୀ ମିଞ୍ଜ ।
ସୂଚନାନୁସାରେ, ମାଟି ତଳେ ବିଦ୍ୟୁତ ତାର ନିଆଯାଇଥିବା ବେଳେ ଶାବଳରେ ମଞ୍ଜରୀ ମାଟି ଖୋଳୁଥିଲେ । ଶାବଳରେ ବିଦ୍ୟୁତ ତାରଟି ବାଜି ଯାଇଥିବାରୁ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ତେବେ ମଞ୍ଜରୀଙ୍କୁ ବଞ୍ଚାଇବାକୁ ଯାଇ ଇଟା ଭାଟି ମାଲିକଙ୍କୁ ମଧ୍ୟ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ । ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଖବର ପାଇ ତାଳଚେର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ