ଭୁବନେଶ୍ବର: ସାମାଜିକ ଓ ଆର୍ଥିକ ଗୁରୁତ୍ବ ବହନ କରୁଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଯୁଦ୍ଧକାଳୀନ ଭିତ୍ତିରେ ସ୍ବାସ୍ଥ୍ୟ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଲୋକସେବା ଭବନରୁ ଡ଼ିଜିଟାଲ୍ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ସମ୍ପୃକ୍ତ ବିଭାଗୀୟ ସଚିବ ଓ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
ନୂତନ ଭାବେ ନିର୍ମାଣ ହେଉଥିବା ମେଡିକାଲ କଲେଜ, ଜିଲ୍ଲା ଚିକିତ୍ସାଳୟର ନୂଆ ୱାର୍ଡ ଏବଂ କୋଲ୍ ମାଇନ୍ ପ୍ରକଳ୍ପ ଗୁଡିକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ବାଲେଶ୍ବରରେ ନିର୍ମାଣାଧିନ ୬୫୦ ବେଡ୍ ବିଶିଷ୍ଟ ହସ୍ପିଟାଲ୍ ଏବଂ ମେଡିକାଲ୍ କଲେଜ, ବାରିପଦାରେ ନିର୍ମାଣଧିନ ନୂଆ ମେଡିକାଲ କଲେଜ, ଯାଜପୁରରେ ୧୦୦ ସିଟ୍ ବିଶିଷ୍ଟ ମେଡିକାଲ କଲେଜ ଏବଂ ୫୦୦ ବେଡ୍ ବିଶିଷ୍ଟ ହସ୍ପିଟାଲ୍, କୋରାପୁଟରେ ୬୫୦ ବେଡ୍ ବିଶିଷ୍ଟ ହସ୍ପିଟାଲ ଏବଂ ଏସଏଲଏନ ମେଡିକାଲ କଲେଜ କାର୍ଯ୍ୟର ସମୀକ୍ଷା ହୋଇଛି ।
ସେହିପରି କଳାହାଣ୍ଡି ଜିଲ୍ଲା ଚିକିତ୍ସାଳୟରେ ନୂଆ ୧୦୦ ଶଯ୍ୟା ବିଶିଷ୍ଟ ବିଲ୍ଡିଂ, ବୌଦ୍ଧ ଜିଲ୍ଲା ଚିକିତ୍ସାଳୟରେ ୩୦ ଶଯ୍ୟା ବିଶିଷ୍ଟ ନୂଆ ବିଲ୍ଡିଂ, ପୁରୀରେ ୬୫୦ ଶଯ୍ୟା ବିଶିଷ୍ଟ କଲେଜ ହସ୍ପିଟାଲ୍ ଆଦି ପ୍ରକଳ୍ପର କାର୍ଯ୍ୟାନ୍ବୟନ ସମୀକ୍ଷା ହୋଇଛି । ଏହା ବ୍ୟତୀତ ସୁନ୍ଦରଗଡ ଜିଲ୍ଲାର ମନୋହରପୁର ଏବଂ ଦୀପ୍ ସାଇଡ୍ କୋଲ୍ ମାଇନିଂ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ପ୍ରକଳ୍ପଗୁଡିକର କାର୍ଯ୍ୟାନ୍ବୟନ ସ୍ତରରେ ଥିବା ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମତି, ଜଳ ଯୋଗାଣ, ବିଦ୍ୟୁତ୍ ଖୁଣ୍ଟ ସ୍ଥାନାନ୍ତର, ବିଦ୍ୟୁତ୍ ଯୋଗାଣ, ସଂଯୋଗକାରୀ ରାସ୍ତା ନିର୍ମାଣ, ବୃକ୍ଷ ରୋପଣ ଆଦି ବିଷୟ ସମ୍ବନ୍ଧିତ ଅସୁବିଧା ଗୁଡିକର ସବିଶେଷ ଆଲୋଚନା ହୋଇଛି ।
ଏସବୁର ଆଶୁ ସମାଧାନ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଦେବାସହ ସମୟ ନିର୍ଘଣ୍ଟ ନିର୍ଦ୍ଧାରଣ କରିଛନ୍ତି । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଅଗ୍ରାଧକାର ଭିତ୍ତିରେ ଆରମ୍ଭ କରାଯାଇଥିବା ପ୍ରକଳ୍ପ ଗୁଡିକର ପ୍ରଶାସନିକ ଓ କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ବୟନ ସମ୍ବନ୍ଧିତ ବିଷୟ ଆଲୋଚନା କରିଛନ୍ତି ।
ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ଡଃ ମୋନା ଶର୍ମା, ବିଦ୍ୟୁତ୍ ବିଭାଗ ସଚିବ ନିକୁଞ୍ଜବିହାରୀ ଧଳ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶାସନ ସଚିବ ମନୋଜ ମିଶ୍ର, ଆଇନ୍ ବିଭାଗ ପ୍ରମୁଖ ଶାସନ ସଚିବ ରାଧାକୃଷ୍ଣ ପଟ୍ଟନାୟକଙ୍କ ସମେତ ସମ୍ପୃକ୍ତ ବିଭାଗର ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ପ୍ରକଳ୍ପ ସମ୍ବନ୍ଧିତ ସଦ୍ୟତନ ସ୍ଥିତି ଏବଂ ନିଆଯାଇଥିବା ପଦକ୍ଷେପ ଆଦି ବିଷୟରେ ସୂଚନା ଦେଇଛନ୍ତି ।