ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନେତୃତ୍ବରେ ଏନଡିଏ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି । ଦ୍ବିତୀୟ ଥର ପାଇଁ ଦଳ କ୍ଷମତାକୁ ଆସି ସରକାର ଗଠନ କରି ସାରିଛି । ଏବେ ଦଳର ନଜର ଆଗକୁ ଥିବା ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ । ତେଣୁ ଦଳ ଏବେ ଠାରୁ ଏହି ମିଶନ ଆରମ୍ଭ କରିସାରିଛି ।
ତେବେ ଏହି ଗୈରିକ ଦଳର ନିୟମ ଅନୁଯାୟୀ ‘ଏକ ବ୍ୟକ୍ତି ଏକ ପଦବୀ’ରେ ରହିବା । ସେହି ଦୃଷ୍ଟିରୁ ଦଳର ବିଶାଳ ସାଂଗଠନିକ ସ୍ତରରେ ବ୍ୟାପକ ଅଦଳବଦଳ ହେବ । ସର୍ବପ୍ରଥମେ ଏବେ ସମସ୍ତଙ୍କର ନଜର ପଡିଛି ଦଳର ସର୍ବଭାରତୀୟ ସଭାପତି ପଦ ଉପରେ । କିଏ ଏହି ପଦରେ ବସିବ? କିଏ ସେହି ବ୍ୟକ୍ତି ଯିଏ ଏହି ବିଶାଳ ଦଳକୁ ସଠିକ ଭାବେ ପରିଚାଳିତ କରିବ ? ଏମିତି ଅନେକ ପ୍ରଶ୍ନ ଏବେ ଦଳୀୟ କର୍ମୀଙ୍କ ସମେତ ଅନ୍ୟଦଳରେ ମଧ୍ୟ ଚର୍ଚ୍ଚା ହେଉଛି ।
କାରଣ ଗତ 2014ରୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଅମିତ ଶାହା ଏବେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି । ଯେହେତୁ ଦଳର ନିୟମ ଅନୁଯାୟୀ ଜଣେ ବ୍ୟକ୍ତି କେବଳ ଗୋଟିଏ ପଦବୀରେ ରହି ପାରିବ ତେଣୁ ଦଳ ଏବେ ଅମିତ ଶାହାଙ୍କ ଉତ୍ତରାଧିକାରୀ ସନ୍ଧାନରେ । କିନ୍ତୁ ଦଳର ସାଂଗଠନିକ ପ୍ରକ୍ରିୟା ଯାହା ଏତେ ଶୀଘ୍ର ନୂତନ ସଭାପତି ଚୟନ କରିବା ସମ୍ଭବ ନୁହଁ । ଦଳର ରାଷ୍ଟ୍ରୀୟ ସଭାପତି ଚୟନ କରିବାକୁ ହେଲେ ପ୍ରଥମେ ମଣ୍ଡଳ ସଭାପତି, ବ୍ଲକ ସଭାପତି, ଜିଲ୍ଲା ସଭାପତି ଓ ରାଜ୍ୟ ସଭାପତି ପରେ ରାଷ୍ଟ୍ରୀୟ ସଭାପତି ଚୟନ ହୋଇଥାଏ । ଏହାଏକ ଲମ୍ବା ପ୍ରକ୍ରିୟା ଅତିକମରେ ଏହା 5ରୁ 6ମାସର ସମୟ ଲାଗିବ ।
ଆଉ ଦଳ ପାଇଁ ସବୁଠାରୁ ଏବେ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି ଚଳିତ ବର୍ଷ ଶେଷ ଆଡକୁ ତିନି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ । କାରଣ ଗତ କିଛିମାସ ତଳେ ହିନ୍ଦୀ ହ୍ୟାର୍ଟ ଲ୍ୟାଣ୍ଡ କୁହାଯାଉଥିବା ତିନିରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ଦଳ ପରାଜୟ ଭୋଗିଛି, ଯାହା ଦଳକୁ ଶକ୍ତ ଆଘାତ ଲାଗିଛି । ପୁଣିଥରେ କୌଣସି ପରିସ୍ଥିତିରେ ଦଳ ଆଗାମୀ ଦିନରେ ହେବାକୁ ଥିବା ମହାରାଷ୍ଟ୍ର, ଝାଡଖଣ୍ଡ ଓ ହରିୟାଣାର ବିଧାନସଭା ନିର୍ବାଚନରେ କୌଣସି ରିସ୍କ ନେବାକୁ ଚାହୁଁ ନାହିଁ ।
ଯେହେତୁ ଦଳର ରାଷ୍ଟ୍ରୀୟ ସଭାପତି ନିର୍ବାଚନ ବର୍ଷ ଶେଷ ଆଡକୁ ହେବ ତେଣୁ ବର୍ତ୍ତମାନର ଅଧ୍ୟକ୍ଷ ଥିବା ଅମିତ ଶାହାଙ୍କୁ ଦଳ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଦାୟିତ୍ବରେ ରହିବାକୁ ଅନୁରୋଧ କରିବ ବୋଲି ଜଣାପଡିଛି ।
ସେଥିପାଇଁ ଆଜି ସବୁ ରାଜ୍ୟର ଦାୟିତ୍ବରେ ଥିବା ନେତା ଓ ଦଳର ମହାସଚିବଙ୍କ ବୈଠକ ଡକାଯାଇଛି । ଏହି ବୈଠକରେ ଦଳର ସାଂଗଠନିକ ନିର୍ବାଚନ, ନୂତନ ସଭ୍ୟ ସଂଗ୍ରହ ସମ୍ବନ୍ଧୀୟ ଆଲୋଚନା ହେବ ।
ସୂଚନାଯୋଗ୍ୟ ଦଳର ରାଷ୍ଟ୍ରୀୟ ସଭାପତିଙ୍କ କାର୍ଯ୍ୟକାଳ ତିନିବର୍ଷର ହୋଇଥିବା ବେଳେ ଗତବର୍ଷ ଶେଷ ଆଡ଼କୁ ଅମିତ ଶାହାଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଥିଲା କିନ୍ତୁ ଆଗକୁ ଗୁରୁତ୍ବପୂର୍ଣ୍ଣ ସାଧାରଣ ନିର୍ବାଚନ ଥିବାରୁ ଅମିତଙ୍କ କାର୍ଯ୍ୟକାଳ 6 ମାସ ବୃଦ୍ଧି କରାଯାଇଥିଲା ।