ପୁରୀ: ଭତ୍ତା ଆଣିବାକୁ ଯାଇ ଜୀବନ ହରାଇଲେ ବୃଦ୍ଧ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କୋରଣା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଘଟିଛି ଏଭଳି ଅଘଟଣ । ମୃତକ ଜଣକ ବନ୍ତିଲୋ ଗ୍ରାମର ଶଙ୍କର ରାଉତ ।
ସୂଚନା ମୁତାବକ, ଶଙ୍କର ନିଜର ମାସିକ ସରକାରୀ ଭତ୍ତା ଟଙ୍କା ନେବା ପାଇଁ କୋରଣା ପଞ୍ଚାୟତ ଅଫିସରେ ଲମ୍ବା ଧାଡିରେ ଠିଆ ହୋଇଥିଲେ । ଏହି ସମୟରେ ସେ ହଠାତ ଅଂଶୁଘାତର ଶିକାର ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।
ସେପଟେ କାର୍ଯ୍ୟାଳୟରେ ପାନୀୟ ଜଳର ବ୍ୟବସ୍ଥା ନ କରିବା ସହ ପ୍ରଶାସନିକ ଅବହେଳାକୁ ଦାୟୀ କରିଛନ୍ତି ଅନେକ ହିତାଧିକାରୀ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ କାର୍ଯ୍ୟାଳୟ ଘେରାଉ କରିଥିଲେ ଉତ୍ତ୍ୟକ୍ତ ଲୋକେ । ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ଭତ୍ତା ବଣ୍ଟନ କାର୍ଯ୍ୟ ବନ୍ଦ ରହିଛି । ତେବେ ବ୍ଲକ ସମାଜକଲ୍ୟାଣ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ