ଝାରସୁଗୁଡା: ରାଜ୍ୟରେ କୋରୋନା (କୋଭିଡ-୧୯)ର ପରୀକ୍ଷାକୁ ନେଇ ସାମାଜିକ ଗଣମାଧ୍ୟମରେ ବିଭାନ୍ତ୍ରିକର ଖବର ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଖୁବଶୀଘ୍ର ଭୀମସାର, ବୁର୍ଲାରେ କୋଭିଡ-୧୯ର ପରୀକ୍ଷା ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର) ପକ୍ଷରୁ ଅନୁମତି ମିଳିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ।
ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)କୁ ଅନୁମତି ମିଳିଥିବା ବେଳେ ବ୍ରହ୍ମପୁର ମେଡିକାଲ କଲେଜରେ ସୋମବାରଠାରୁ କୋଭିଡ ପରୀକ୍ଷା ଆରମ୍ଭ ହୋଇଛି । ଗତ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଭିଡ଼ିଓ କନଫେରେନ୍ସିଂ ଜରିଆରେ ଆଲୋଚନା ସମୟରେ ରାଜ୍ୟର ସମସ୍ତ ମେଡିକାଲ କଲେଜ ସମେତ କିମ୍ସ, ସମ୍ ଏବଂ ହାଇଟେକ ମେଡିକାଲ କଲେଜରେ କୋଭିଡ ପରୀକ୍ଷା ପାଇଁ ସିଏମଆର ପକ୍ଷରୁ ଅନୁମତି ଦେବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ଅନୁରୋଧ କରିଥିବା ବେଳେ କେନ୍ଦ୍ର ସରକାର ବର୍ତ୍ତମାନ ଗାଇଡ଼ଲାଇନରେ ପରିବର୍ତ୍ତନ କରି ରାଜ୍ୟରେ କୋଭିଡ ପରୀକ୍ଷାର ଅନୁମତି ପାଇଁ ଭୁବନେଶ୍ବରସ୍ଥିତ ଏମ୍ସର ନିର୍ଦ୍ଦେଶକଙ୍କୁ ଦାୟିତ୍ବ ଦେଇଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ବୁର୍ଲାର ଭିମସାର କୋଭିଡ ପରୀକ୍ଷା ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ରାଜ୍ୟ ସରକାର ତରଫରୁ ଯୋଗାଇ ଦିଆଯାଇଥିବା ବେଳେ ଭୀମସାରରେ ଖୁବଶୀଘ୍ର କୋଭିଡ ପରୀକ୍ଷା ହେବ ବୋଲି ନବ ଦାସ କହିଛନ୍ତି ।
ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ