ଆନନ୍ଦପୁର: ବୈତରଣୀ ନଦୀରେ ବୁଡ଼ି ୨ ନାବାଳକ ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣା କେନ୍ଦୁଝର ଜିଲ୍ଲା ବୈତରଣୀ ନଦୀର ପଞ୍ଚୁପୁଲି ଘାଟରେ ଘଟିଛି । ମୃତ ନାବାଳକ ପଞ୍ଚୁପୁଲି ଗ୍ରାମର ରୁଦ୍ର ପ୍ରସାଦ ଜେନା ଓ ରାଜେନ୍ଦ୍ର ପଟ୍ଟନାୟକ ।
ସୂଚନାନୁସାରେ, ଶନିବାର ଅପରାହ୍ନରେ ରୁଦ୍ର ଏବଂ ରାଜେନ୍ଦ୍ର ଟ୍ୟୁସନ ସାରି ବୈତରଣୀ ନଦୀର ପଞ୍ଚୁପୁଲି ଘାଟକୁ ଗାଧୋଇବା ପାଇଁ ଯାଇଥିଲେ । ମାତ୍ର ଗୋଡ଼ ଖସିଯିବାରୁ ଉଭୟ ନଦୀରେ ଭାସି ଯାଇଥିଲେ । ତେବେ ଉଭୟଙ୍କ ଘରକୁ ଫେରିବା ବିଳମ୍ବ ହେବାରୁ ଘର ଲୋକେ ଖୋଜାଖୋଜି କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅନେକ ଖୋଜାଖୋଜି ପରେ ଅଗ୍ନିଶମ ବାହିନୀ ସେମାନଙ୍କୁ ନଦୀରୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।
ସେପଟେ ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ