ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ଫନିର ପ୍ରଳୟରେ ଛାରଖାର ସ୍ମାର୍ଟସିଟିକୁ ପୁନଃସ୍ଥାପିତ ପାଇଁ ବ୍ରହ୍ମପୁର ସରକାରୀ ଆଇଟିଆଇରୁ ଆସିଲେ 100 ଦକ୍ଷ ବୈଷୟିକ ଛାତ୍ର । ଫନି ପ୍ରଭାବରେ ରାଜଧାନୀର ବିଦ୍ୟୁତ୍ ସେବା ଅଚଳ ହୋଇପଡିଛି । ଯାହାକୁ କାର୍ଯ୍ୟକ୍ଷମ କରାଇବାକୁ ସହାୟତାର ହାତ ବଢାଇଥିଲେ ଏହି ଛାତ୍ର । ଗୁରୁବାର ଟ୍ରେନ ଯୋଗେ ସମସ୍ତେ ବ୍ରହ୍ମପୁରରୁ ଭୁବନେଶ୍ୱରକୁ ଆସିଛନ୍ତି ।
ଶତାଧିକ ଛାତ୍ରଙ୍କ ମଧ୍ୟରେ ଇଲେକ୍ଟ୍ରିକାଲ ବିଭାଗ ଛାତ୍ରଙ୍କ ବ୍ୟତୀତ ଅନ୍ୟ ବିଭାଗର ଦକ୍ଷ ଛାତ୍ରମାନେ ସାମିଲ ହୋଇଛନ୍ତି । ଉପୁଡି ପଡିଥିବା ବିଦ୍ୟୁତ ଖୁଣ୍ଟ ଓ ବିଦ୍ୟୁତ ସେବାକୁ ସ୍ବାଭାବିକ କରିବେ ଏହି ଦକ୍ଷ ଓଡିଆ ଛାତ୍ର । ବ୍ରହ୍ମପୁର ସରକାରୀ ଆଇଟିଆଇ ନିର୍ଦ୍ଦେଶକ ଓ ସମ୍ପାଦକଙ୍କ ନିର୍ଦ୍ଦେଶ ଅନୁସାରେ ୧୦୦ ଜଣ ଦକ୍ଷ ଛାତ୍ର ଏବଂ ୧୦ ଜଣ ଷ୍ଟାଫ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।
ବାତ୍ୟା ଫନିରେ ଅଚଳ ବିଦ୍ୟୁତ ସରବରାହ ସହ ପ୍ଲମ୍ବିଙ୍ଗ ବିଭାଗର ଯେଉଁ ସବୁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଆସିବ ସେ ସବୁକୁ କାର୍ଯ୍ୟକ୍ଷମ କରିବା ପାଇଁ ଚେଷ୍ଟା କରିବୁ ବୋଲି ଜଣେ ଛାତ୍ର କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ