ହାଇଦ୍ରାବାଦ: YSRTP ମୁଖ୍ୟ ଓ୍ବାଇ.ଏସ ଶର୍ମିଲାଙ୍କୁ ଗିରଫ କରିଛି ପୋଲିସ । ତେଲେଙ୍ଗାନାର ମେହେବୁବାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମ ବେଳେ ତାଙ୍କୁ ଗିରଫ କରାଯାଇଛି । ଏହି କାର୍ଯ୍ୟକ୍ରମରେ YSRTP ଓ BRS କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଫଳରେ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି କାରଣରୁ ପୋଲିସ କାର୍ଯ୍ୟକ୍ରମ ବନ୍ଦ ରଖିଥିଲା । ଜଣେ ବିଧାୟକଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ପଦଯାତ୍ରା ଅଧାରୁ ଶର୍ମିଲାଙ୍କୁ ଗିରଫ କରି ପୋଲିସ ଥାନାକୁ ନେଇଛି । ପରେ ତାଙ୍କୁ ହାଇଦ୍ରାବାଦ ଅଣାଯାଇଛି ।
ଶର୍ମିଲାଙ୍କ ଦ୍ବାରା ମେହେବୁବାବାଦର ବିଥଲରେ ଆୟୋଜିତ କାର୍ଯ୍ୟକ୍ରମରେ YSRTP ଓ ରାଜ୍ୟରେ ଶାସନରେ ଥିବା BRS କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା । ବିଆରଏସ କର୍ମୀମାନେ ସଭାସ୍ଥଳରେ ପହଞ୍ଚି ପୋଷ୍ଟର, ବ୍ୟାନର ଚିରିବା ସହ ନାରାବାଜୀ କରିଥିଲେ । ପରେ ଦୁଇ ରାଜନୈତିକ ଦଳର କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ସଭାସ୍ଥଳରେ ପୋଲିସ ଫୋର୍ସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ । କାର୍ଯ୍ୟକ୍ରମ ବନ୍ଦ ରଖାଯାଇ ଶର୍ମିଲାଙ୍କୁ ଗିରଫ କରି ହାଇଦ୍ରାବାଦ ଆଣିଛି ପୋଲିସ ।
ସେ ପଦଯାତ୍ରାରେ ସଭାସ୍ଥଳକୁ ଯାଉଥିବା ବେଳେ ପୋଲିସ ତାଙ୍କୁ ବାଧା ଦେବା ଓ ସଭାକୁ ଅନୁମତି ନଥିବା ଦର୍ଶାଇ ବନ୍ଦ କରିବା ମାମଲାରେ କେସିଆର ସରକାରଙ୍କ ବିରୋଧରେ ବର୍ଷିଛନ୍ତି ଶର୍ମିଲା । ଅନ୍ୟପଟେ ଶାସକ ବିଆରଏସ କର୍ମୀମାନେ ମଧ୍ୟ ଶର୍ମିଲାଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି । ଶର୍ମିଲା ବିଆରଏସ ବିଧାୟକ ଶଙ୍କର ନାଏକଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଯାହାକୁ ସେମାନେ ବିରୋଧ କରିବା ସହ କାର୍ଯ୍ୟକ୍ରମ କରାଇ ନଦେବା ପାଇଁ ସଭାସ୍ଥଳରେ ଧାରଣାରେ ବସିଥିଲେ । ପୋଲିସ ଅଧାବାଟରେ ଶର୍ମିଲାଙ୍କୁ ବାଧା ଦେବା ସହ କାର୍ଯ୍ୟକ୍ରମ ସ୍ଥଳକୁ ଯିବାକୁ ବାରଣ କରିଥିଲା । ଏହା ସହ ଉଭୟ ଦଳର କର୍ମୀଙ୍କୁ ମଧ୍ୟ ଘଉଡାଇଥିଲା ପୋଲିସ ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିବାଦୀୟ ମନ୍ତବ୍ୟ ଦେବା ମାମଲାରେ ଶର୍ମିଲାଙ୍କ ନାମରେ ଏସସି ଏସଟି ଅଧିନିୟମ ଅନୁସାରେ ମେହେବୁବାବାଦ ଥାନାରେ ମାମଲା ମଧ୍ୟ ଦାଏର ହୋଇଛି । ଏହା ପୂର୍ବରୁ ମଧ୍ୟ ଏକାଧିକ ଥର ଶର୍ମିଲାଙ୍କୁ ପୋଲିସ ଅଟକ ଓ ଗିରଫ କରିଛି । ନିକଟରେ ଏକ ଧାରଣା ବେଳେ ତାଙ୍କୁ ତାଙ୍କ କାର ସହ ପୋଲିସ ଥାନାକୁ ନେଇଯାଇଥିଲା । ଶର୍ମିଲା କାରରେ ବସିଥିବା ବେଳେ ପୋଲିସ ପୁଲିଂ ଭ୍ୟାନ ଲଗାଇ ତାଙ୍କ କାରକୁ ଟାଣି ନେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ