ଥିରୁଅନନ୍ତପୁରମ: ମୋବାଇଲ୍ ଫୋନରେ ପତ୍ନୀଙ୍କ ଗୋପନୀୟ ଫଟୋ ଉତ୍ତୋଳନ କରିବା ଓ ତାକୁ ଏକ ଅଶ୍ଳୀଳ ଆପ୍ଲିକେସନରେ ପୋଷ୍ଟ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ । ତେବେ ଯୌତୁକ ଦାବି କରି ନିର୍ଯାତନା ଦେବା ଉଦ୍ଦେଶ୍ୟରେ ଯୁବକଜଣଙ୍କ ଏପରି ଘୃଣ୍ୟ କାଣ୍ଡ ଘଟାଇଥିବା ପତ୍ନୀଙ୍କ ଅଭିଯୋଗରୁ ପୋଲିସ ଜାଣିବାକୁ ପାଇଛି । ଏହି ଯୌତୁକ ନିର୍ଯାତନାରେ ଯୁବକଙ୍କ ସହ ତାଙ୍କ ପରିବାର ସଦସ୍ୟ ମଧ୍ୟ ସମ୍ପୃକ୍ତ ଥିଲେ । ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିବା ସହ ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଅଟକ ରଖି ଜେରା ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁସାରେ, କେରଳର ଥ୍ରୀସୁର ଜିଲ୍ଲାର ଏରୁମାପେଟିର ବାସିନ୍ଦା 33 ବର୍ଷୀୟ ସେବି ନାମକ ଏହି ଯୁବକ ଅଢେଇ ବର୍ଷ ପୂର୍ବେ ପାଲକ୍କଡ ଜିଲ୍ଲାର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ଉଭୟ ପରିବାରର ସହମତିରେ ପାରମ୍ପରିକ ଭାବେ ବିବାହ ସମ୍ପନ୍ନ ହୋଇଥିଲା । ଏଥିରେ କନ୍ୟାପକ୍ଷ 80 ଗ୍ରାମ ସୁନା ଅଳଙ୍କାର ସହ ଅନ୍ୟାନ୍ୟ ସାମଗ୍ରୀ ଯୌତୁକ ଭାବେ ପ୍ରଦାନ କରିଥିଲେ । ହେଲେ ବିବାହ ପରେ ବର ପରିବାର ଅଧିକ ଯୌତୁକ ଦାବି କରିବା ଆରମ୍ଭ କରିଥିଲେ । ଏହି କାରଣରୁ ସ୍ବାମୀ ସେବି ଓ ତାର ପରିବାର ସଦସ୍ୟ ପତ୍ନୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ ।
ହେଲେ ନିକଟରେ ଯୁବକଜଣଙ୍କ ନିଜ ପତ୍ନୀଙ୍କୁ ଯୌତୁକ ନିର୍ଯାତନା ଦେବା ପାଇଁ ଏପରି ଘୃଣ୍ୟ କାର୍ଯ୍ୟ ମଧ୍ୟ କରିବାକୁ ପଛାଇ ନଥିଲା । ସେ ନିଜ ପତ୍ନୀଙ୍କ କିଛି ଗୋପନୀୟ ଫଟୋ ଉତ୍ତୋଳନ କରି ଏକ ଅଶ୍ଳୀଳ ଆପ୍ଲିକେସନରେ ଅପଲୋଡ କରିଥିଲା । ଏ ସମ୍ପର୍କରେ କୌଣସି ପ୍ରକାର ମହିଳାଜଣଙ୍କ ଜାଣିବାକୁ ପାଇବା ପରେ ପ୍ରଥମେ ବାପଘର ଲୋକଙ୍କୁ ଅବଗତ କରିଥିଲେ । ଏନେଇ ମହିଳା ଓ ତାଙ୍କ ବାପଘର ସଦସ୍ୟ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଛି ।
ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିବା ସହ ସେ ବ୍ୟବହାର କରୁଥିବା ମୋବାଇଲ ଓ ଲ୍ୟାପଟପ ଆଦି ଜବତ କରିଛି ପୋଲିସ । ପତ୍ନୀଙ୍କ ଫଟୋ ଯୁବକଙ୍କ ମୋବାଇଲରୁ ସମ୍ପୃକ୍ତ ଅଶ୍ଳୀଳ ଆପ୍ଲିକେସନରେ ଅପଲୋଡ ହୋଇଥିବା ପ୍ରାଥମିକ ଭାବେ ଜଣାପଡିବା ପରେ ପୋଲିସ ଫେରନସିକ ଟିମ୍ର ସହାୟତା ନେଇଛି । ଅନ୍ୟପଟେ ଯୌତୁକ ନିର୍ଯାତନା ଅଭିଯୋଗରେ ସମ୍ପୃକ୍ତ ଯୁବକଙ୍କ ପରିବାର ସଦସ୍ୟ ମଧ୍ଯ ତଦନ୍ତ ପରିସରକୁ ଆସିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଥାନାରେ ଅଟକ ରହି ଜେରାର ସମ୍ମୁଖୀନ ମଧ୍ୟ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ