ହାଇଦ୍ରାବାଦ: ଚଳିତ ବର୍ଷ ଜୁୁନ ମାସରେ ବାଲେଶ୍ବର ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ଥିଲା ଦଶନ୍ଧିର ସବୁଠୁ ବଡ ରେଳ ଦୁର୍ଘଟଣା । ଏକ ମାଲବାହୀ ଟ୍ରେନ ଓ ଦୁଇ ପାସେଞ୍ଜର ଟ୍ରେନ ମଧ୍ୟରେ ହୋଇଥିବା ତ୍ରିକୋଣୀୟ ଦୁର୍ଘଟଣାରେ ପ୍ରାୟ 3 ଶହ ଯାତ୍ରୀଙ୍କ ପ୍ରାଣହାନୀ ଘଟିଥିଲା । 1 ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ସ୍ଥିତି ଏତେ ଭୟଙ୍କର ଥିଲା ଯେ, ମୃତଦେହ ଚିହ୍ନଟ ପ୍ରକ୍ରିୟା ମଧ୍ୟ କେଇ ମାସ ପର୍ଯ୍ୟନ୍ତ ଜାରି ରହିଥିଲା । ତଥାପି ସବୁ ମୃତଦେହ ସମ୍ପୂର୍ଣ୍ଣ ଚିହ୍ନଟ ହୋଇପାରିନଥିଲା । ଏକବିଶଂ ଶତାବ୍ଦୀରେ ତୃତୀୟାର୍ଦ୍ଧରେ ଭାରତ ବୁଲେଟ ଟ୍ରେନର ପରିକଳ୍ପନା ସହ କାର୍ଯ୍ୟ ଆରମ୍ଭ କରିସାରିଥିବା ବେଳେ ଏତେ ବଡ ରେଳ ଦୁର୍ଘଟଣା ଦେଶକୁ ସ୍ତବ୍ଦ ହୋଇଯାଇଥିଲା ।
ଜୁନ 2 ତାରିଖ ସଂଧ୍ୟା :-
ଭାରତୀୟ ରେଳବାଇ ଇତିହାସରେ ଏକ କଳା ଦିନ ଥିଲା ଏହି ଦିନ । ପୂର୍ବତଟ ରେଳପଥର ମୁଖ୍ଯ ଲାଇନ ହାଓ୍ବଡା- ଚେନ୍ନାଇ ରୁଟରେ ବାଲେଶ୍ବର ବାହାନଗା ବଜାର ଷ୍ଟେସନ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ସମୟ ପ୍ରାୟ ସଂଧ୍ୟା 6.51 ମିନିଟରେ ବାହାନଗା ଷ୍ଟେସନର କିଛି ଦୂରରେ ଲୁପ ଲାଇନରେ ଛିଡା ହୋଇଥିଲା ଏକ ମାଲଗାଡି । ପଶ୍ଚିମବଙ୍ଗ ସାଲିମାରରୁ ଚେନ୍ନାଇ ଅଭିମୁଖେ ଆସୁଥିବା କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ (12841) ଲାଇନଚ୍ୟୁତ ଏହି ଲୁପ ଲାଇନରେ ପ୍ରବେଶ କରିବା ସହ ମାଲଗାଡି ସହ ଧକ୍କା ହେଇଥିଲା । ଦୁର୍ଘଟଣା ସମୟରେ କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସର ବେଗ ଘଣ୍ଟା ପ୍ରତି 128 କି.ମି ଥିଲା । ଏହାର ଏକାଧିକ ବଗି ଲାଇନଚ୍ୟୁତ ହୋଇଥିଲା । ତାର ମାତ୍ର କିଛି ମିନିଟ ମଧ୍ୟରେ ବେଙ୍ଗାଲୁରୁ-ହାଓ୍ବଡା ଅଭିମୁଖେ ଆସୁଥିବା ସୁପରଫାଷ୍ଟ ଏକ୍ସପ୍ରେସ (12864) ଲାଇନଚ୍ୟୁତ ବଗିକୁ ଧକ୍କା ଦେଇଥିଲା । ତିନିଟି ଟ୍ରେନର ଏକାଧିକ ବଗି ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିଲା ।
ମାନବିକତା ଦେଖାଇଥିଲେ ବାଲେଶ୍ବରବାସୀ :-
ସ୍ଥାନୀୟ ଲୋକେ ଉଦ୍ଧାର ଅପରେସନ ଆରମ୍ଭ କରିବା ସହ ସ୍ଥାନୀୟ ପ୍ରଶାସନ ଓ ରେଳବାଇ ଏଥିରେ ଯୁଦ୍ଧକାଳୀନ ଭିତ୍ତିରେ ସାମିଲ ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ଦୁର୍ଘଟଣାର ଭୟାବହତା ସମସ୍ତଙ୍କ ଆକଳନକୁ ଟପି ଯାଇଥିଲା । ଅନ୍ଧାରରେ ଯୁଦ୍ଧକାଳୀନ ଭିତ୍ତିରେ ସାରାରାତି ଉଦ୍ଧାର ଅପରେସନ ଜାରି ରହିଥିଲା । ଓଡିଶା ସରକାରଙ୍କ ସମସ୍ତ ବିଭାଗ, ଏନଡିଆରଏଫ ଏହି ଉଦ୍ଧାର ଅପରେସନରେ ସାମିଲ ହୋଇଥିଲେ । ସମୟ ଗଡିବା ସହ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଥିଲା ।
ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ:-
ଏଥିରେ ପ୍ରାୟ 3 ଶହ ଯାତ୍ରୀଙ୍କ ମୃତ୍ୟୁ ସହ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ପରଦିନ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅପରେସନର ସମୀକ୍ଷା କରିଥିଲେ । ନିଜେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏକାଧିକ ରାଜ୍ୟର ଯାତ୍ରୀ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା କାରଣରୁ ତାମିଲନାଡୁର ମନ୍ତ୍ରୀ ଓ ଅଧିକାରୀଙ୍କ ଟିମ ସହ ପଶ୍ଚିମବଙ୍ଗରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାହାନଗା ଗସ୍ତ କରି ଉଦ୍ଧାର ଓ ରିଷ୍ଟୋରେସନ କାର୍ଯ୍ୟ ସମୀକ୍ଷା କରିଥଲେ । ଏହି ଘଟଣାରେ ସାରା ବିଶ୍ବରୁ ଶୋକ ପ୍ରକାଶ ପାଇଥିଲା ।
ଗିରଫ ହୋଇଥିଲେ ଦାୟିତ୍ବରେ ଅବହେଳା କରିଥିବା ରେଳ କର୍ମଚାରୀ :-
ରେଳବାଇ ସୁରକ୍ଷା କମିଶନରଙ୍କ ନେତୃତ୍ବରେ ବିଭାଗୀୟ ତଦନ୍ତ ଆରମ୍ଭ କରିବା ସହ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ମଧ୍ୟ ଏହି ତଦନ୍ତରେ ସାମିଲ ହୋଇଥିଲା । କେବଳ ଯାନ୍ତ୍ରିକ ତ୍ରୁଟି ନୁହେଁ ବରଂ ଆତଙ୍କୀ ଷଡଯନ୍ତ୍ର, ସିଗ୍ନାଲ ହ୍ୟାକିଂ ଓ ଟ୍ୟାମ୍ପରିଂ ମଧ୍ୟ ସନ୍ଦେହ ଘେରକୁ ଆସିଥିଲା । ଉକ୍ତ ଦିନ ଦାୟିତ୍ବରେ ଥିବା ରେଳବାଇର ଏକାଧିକ ବୈଷୟିକ ଅଧିକାରୀ ଗିରଫ ହୋଇଥିଲେ । ବାହାନଗା ରେଳ ଷ୍ଟେସନକୁ ସିଜ କରାଯାଇଥିଲା । ଏକ ମାସରୁ ଅଧିକ ତଦନ୍ତରେ ଏହା ଏକ ସିଗ୍ନାଲିଂ ଜନିତ ମାନବୀୟ ତ୍ରଟି କରଣରୁ ଘଟିଥିବା ଜଣାପଡିଥିଲା । ସିନିୟର ସେକ୍ସନ ଇଂଜିନିୟର (ସିଗନାଲ) ଅରୁଣ କୁମାର ମହନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଖାନ, ଟେକ୍ନିସିଆନ ପପୁ ଯାଦବଙ୍କୁ ସିବିଆଇ ଗିରଫ କରିଥିଲା ।
କଣ ଥିଲା ଦୁର୍ଘଟଣାର କାରଣ:-
ବାହାନଗା ଷ୍ଟେସନ ପାଖରରେ ଥିବା ଗେଟ ନମ୍ବର 94ରେ ଲେଭଲ କ୍ରସିଂର ମରାମତି କାମ ଟ୍ରେନ ଦୁର୍ଘଟଣାର ଏକ ପ୍ରମୁଖ କାରଣ ବୋଲି ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି । ବରିଷ୍ଠ ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟ ହୋଇଥିଲା । ହେଲେ ସେ ଏଥିପାଇଁ ଉପରିସ୍ଥ ଅଧିକାରୀଙ୍କ ଅନୁମତି ନନେଇ ଅନ୍ୟ ଏକ ଗେଟ 79 ନମ୍ବର ସର୍କିଟ ଡାଏଗ୍ରାମ ଆଧାରରେ ମରାମତି କାମ କରିଥିଲେ ବୋଲି ସିବିଆଇ ପକ୍ଷରୁ ଦର୍ଶାଯାଇଥିଲା ।
ମୃତଦେହ ଚିହ୍ନଟ ପାଇଁ ଖୋଲିଥିଲା ହେଲ୍ପଡେକ୍ସ:-
ମୃତଦେହ ଚିହ୍ନଟ କରିବା ସେତେବେଳେ ପ୍ରମୁଖ ଆହ୍ବାନ ପାଲଟିଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ 3ଟି ଓ୍ବେବସାଇଟ ପ୍ରସ୍ତୁତ କରାଯାଇ ମୃତଦେହଗୁଡିକର ଫଟୋ ଓ ପ୍ରାପ୍ତ ହୋଇଥିବା ଅନ୍ୟ ସୂଚନା ଅପଲୋଡ କରାଯାଇଥିଲା । ଫଳରେ ଚିହ୍ନଟ ପ୍ରକ୍ରିୟା ଆହୁରି ସହଜ ହୋଇପାରିବା ନେଇ ଆଶା କରାଯାଇଥିଲା । ଓ୍ବେବସାଇଟରେ ସୂଚନା ପାଇ ହେଲ୍ପଲାଇନ ନମ୍ବର ଯୋଗାଯୋଗ କଲେ ମୃତଦେହ ହସ୍ତାନ୍ତର କରାଯାଇଥିଲା ।
ତଥାପି ଚିହ୍ନଟ ହୋଇପାରିଲାନି 28 ମୃତଦେହ:-
ସବୁଠାରୁ ଅଧିକ ଆହ୍ବାନପୂର୍ଣ୍ଣ ଥିଲା ମୃତଦେହ ଚିହ୍ନଟ କରିବା ଓ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବା ପ୍ରକ୍ରିୟା । ଏଥିପାଇଁ ଓଡିଶା ସରକାର ସ୍ବନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲେ । ଚିହ୍ନଟ ହୋଇନଥିବା ମୃତଦେହଗୁଡିକୁ ଭୁବନେଶ୍ବର ଏମ୍ସରେ ରଖାଯାଇଥିଲା । ତଥାପି ଶେଷ ପର୍ଯ୍ୟନ୍ତ ସମସ୍ତ ମୃତକଙ୍କ ମୃତଦେହ ଚିହ୍ନଟ ଓ ହସ୍ତାନ୍ତରଣ ପ୍ରକ୍ରିୟା ଶେଷ ହୋଇପାରିନଥିଲା । ଅକ୍ଟୋବର 11 ତାରିଖରେ ଚିହ୍ନଟ ହୋଇପାରିନଥିବା 28 ମୃତଦେହକୁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଶେଷକୃତ୍ୟ କରାଯାଇଥିଲା ।
କବଚ ସିଷ୍ଟମ କଣ :-
ଏହି ଅତ୍ୟାଧୁନିକ ପ୍ରଣାଳୀରେ ଷ୍ଟେସନରେ ସ୍ଥାପିତ ଯନ୍ତ୍ରାଂଶ ରେଡିଓ ଫ୍ରିକ୍ୱେନ୍ସି ମାଧ୍ୟମରେ ଲୋକୋମୋଟିଭ ବା ଟ୍ରେନ ଇଞ୍ଜିନକୁ ତୁରନ୍ତ ଡାଟା ପ୍ରେରଣ କରିପାରିବ । ଡାଇରେକ୍ସନ, କର୍ଭ, ଲାଇନ ଓ ସିଗନାଲ ସମ୍ପର୍କିତ ତଥ୍ୟ ସହ ଅନ୍ୟ ଜରୁରୀ ସୂଚନା ପଠାଇଥାଏ ଏହି ପ୍ରଣାଳୀ । ସେହିପରି କେବଳ ଷ୍ଟେସନରୁ ଇଞ୍ଜିନକୁ ନୁହେଁ ବରଂ ଇଞ୍ଜିନରୁ ପ୍ରତି ଦୁଇ ମିନିଟରେ ଅପଡେଟ ତଥ୍ୟ ମଧ୍ୟ ଷ୍ଚେସନକୁ ପ୍ରେରଣ କରିଥାଏ ଏହି ବ୍ୟବସ୍ଥା । ଫଳରେ ସିଗନାଲ ସମ୍ପର୍କିତ ସମସ୍ୟା, କିମ୍ବା ଇଞ୍ଜିନ ନିର୍ଦ୍ଧାରିତ ବେଗ ଠାରୁ ଓଭରସ୍ପିଡିଂ ହେଲେ ଷ୍ଟେସନରୁ ଏହି ପ୍ରଣାଳୀ ମାଧ୍ୟମରେ ତାକୁ ନିୟନ୍ତ୍ରଣ ମଧ୍ୟ କାରଯାଇପାରିବ । ଲୋକୋପାଇଲଟଙ୍କ ସହ ଯୋଗୋଯୋଗ ନହୋଇ ପାରିଲେ, ଏହି ପ୍ରଣାଳୀରେ ଟ୍ରେନର ଇଞ୍ଜିନକୁ ଷ୍ଟେସନରୁ ମଧ୍ୟ ନିୟନ୍ତ୍ରଣ କରି ବନ୍ଦ ମଧ୍ୟ କରାଯାଇପାରେ । ଯାହା ଫଳରେ ଆସନ୍ନ ଦୁର୍ଘଟଣାକୁ ଅତି ସହଜରେ ରୋକାଯାଇ ପାରିବ । ମାତ୍ର ଏହି ଯୋଜନା ଭାରତୀୟ ରେଳ ନେଟଓ୍ବାର୍କର ମାତ୍ର 2 ପ୍ରତିଶତ ଲାଇନରେ କାର୍ଯ୍ୟକାରୀ କରାଯାଇଛି । ଏହାର କାର୍ଯ୍ୟକାରିତା ଫଳରେ ଦୁର୍ଘଟଣା ରୋକାଯାଇପାରିଥାନ୍ତା । ପୂର୍ବ ଭାରତର ମୁଖ୍ୟ ରେଳପଥ ପୂର୍ବତଟ ରେଳପଥରେ ଏହାକୁ କାର୍ଯ୍ୟକାରୀ କରାଯାଇନି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ