ଚେନ୍ନାଇ: ସାମ୍ପ୍ରତିକ ପରିସ୍ଥିତିରେ ଭାରତ ପ୍ରତି ବିଶ୍ବର ନଜର ସକରାତ୍ମକ ଓ ବିଶ୍ବ ବର୍ତ୍ତମାନ ଭାରତ ଠାରୁ ଅନେକ ଆଶା ରଖୁଛି । ତେଣୁ ଚଳିତ ଦଶନ୍ଧି ଆମର ହେବାକୁ ଯାଉଛି । ଗତକାଲି ରବିବାର ପ୍ରଧାନମନ୍ତ୍ରୀ ଚେନ୍ନାଇ ଗସ୍ଥରେ ଥିବାବେଳେ ନିଜ ଅଭିଭାଷଣରେ ଏପରି କହିଛନ୍ତି । ସାରା ବିଶ୍ବରେ ଭାରତ ବର୍ତ୍ତମାନ ଯେଉଁ ପରିଚୟ ସୃଷ୍ଟି କରିଛି ତାହା କେବଳ 130 କୋଟି ଦେଶବାସୀଙ୍କ ପରିଶ୍ରମ ଫଳରେ ସମ୍ଭବ ହୋଇ ପାରିଛି । ଏବଂ ଏହା ସହ ଭାରତ ସରକାର ମଧ୍ୟ ବିଶ୍ବବାସୀ ଭାରତ ଉପରେ ପ୍ରକଟ କରିଥିବା ଏହି ଆଶାକୁ ବାସ୍ତବତାରେ ପରିଣତ କରିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରଖିଥିବା ମଧ୍ୟ ଆଶ୍ବାସନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଚଳିତ ଆର୍ଥିକ ବର୍ଷର ବଜେଟ ଏହିସବୁ ଦିଗକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଚଳିତ ବଜେଟ ସରକାରଙ୍କ ଏକ ପ୍ରତିଶୃତିବଦ୍ଧ ଓ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଏହି ବଜେଟରେ ପୂର୍ବ ଭାରତ ଓ ଏହାର ବିକାଶ ପାଇଁ ବିଶେଷ ସହାୟକ ହେବ ବାଲି ମଧ୍ୟ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ।
ତାମିଲନାଡୁର ବିଭିନ୍ନ ବହୁମୁଖୀ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବା ଅବସରରେ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଚଳିତବର୍ଷ ସାଧାରଣ ବଜେଟରେ ବିଭିନ୍ନ ବର୍ଗକୁ ଅତିରିକ୍ତ ଆର୍ଥିକ ସହାୟତା ରାଶିର ପ୍ରାବଧାନ ମଧ୍ୟ ରଖାଯାଇଛି । ଆମେ ମତ୍ସ୍ୟଜୀବୀ ସମ୍ପ୍ରଦାୟ ପାଇଁ ଗର୍ବ ଅନୁଭବ କରୁଛୁ। ମତ୍ସଜୀବୀ ଓ ମତ୍ସ୍ୟ ଚାଷ ପାଇଁ ବଜେଟରେ ବିଶେଷ ଭାବେ ବ୍ୟବସ୍ଥା କରାଯାଇଥିବା କଥା କହିଛନ୍ତି ପ୍ରଧାନମନ୍ତ୍ରୀ । ମତ୍ସ୍ୟଚାଷ ଓ ପ୍ରକ୍ରିୟା କରଣ ବଦଳୁଛି । ଏହି ବ୍ୟବସାୟ ବର୍ତ୍ତମାନ ନୂଆ ରୂପଦାରଣ କରିବାକୁ ଯାଉଛି । ଦେଶରେ ଅତ୍ୟାଧୁନିକ 5 ଟି ମତ୍ସ୍ୟ ହରବର ହେବାକୁ ଯାଉଛି । ଏଥିପାଇଁ ଚଳିତ ବଜେଟରେ ମଧ୍ୟ ସ୍ବତନ୍ତ୍ର ଭାବେ ବୟବାରାଦ ହୋଇଛି ।
ସେହିପରି ଭାରତ ସରକାର ଦେଶର ସବୁ ଗ୍ରାମକୁ ଇଣ୍ଟରନେଟ ସୁବିଧା ସହ ଯୋଡିବା ପାଇଁ ମଧ୍ୟ ଅଭିଯାନ ଆରମ୍ଭ ହୋଇଛି । ଖୁବଶୀଘ୍ର ଭାରତ ସବୁ ଗ୍ରାମ ଇଣ୍ଟରନେଟ ସୁବିଧା ସହ ଯୋଡି ହେବ ବୋଲି ମଧ୍ୟ ମୋଦି କହିଛନ୍ତି । ବିଶ୍ବର ସର୍ବବୃହତ ସ୍ବାସ୍ଥ୍ୟ ଅଭିଯାନ ମଧ୍ୟ ଭାରତ ଆରମ୍ଭ କରିଛି । ସେହିପରି ଭାରତ ତାର ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ପାରଦର୍ଶିତା ଆଣିବା ପାଇଁ ଅନେକ ଗୁଡିଏ ଯୋଜନା ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ