ଚଣ୍ଡିଗଡ: ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ସହ ମହିଳାଙ୍କଠାରୁ 15ଲକ୍ଷ ଟଙ୍କା ଲୁଟି ନେଇଯାଇଛି ଅଭିଯୁକ୍ତ । ତେବେ ଗତ ରବିବାର ପାଲାମ ବିହାର ପୋଲିସ ଷ୍ଟେସନରେ ଗୁରୁଗ୍ରାମ ନିବାସୀ ପୀଡିତା ମହିଳା ନିଜ ସାଥୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି । ଗୁରୁଗ୍ରାମ ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ମୁତାବକ, ଏକ ବିଦେଶୀ ବ୍ୟାଙ୍କରେ ମ୍ୟାନେଜର ଭାବେ କାମ କରୁଥିବା ଜଣେ ଯୁବକ ଗୁରୁଗ୍ରାମ ଅଧିବାସୀ ମହିଳାଙ୍କୁ ଏକ ବିବାହ ପ୍ରସ୍ତାବ ଦିଆଯାଉଥିବା ୱେବସାଇଟ ମାଧ୍ୟମରେ ଯୋଗାଯୋଗ କରିଥିଲେ । ରାଜସ୍ଥାନର କୋଟା ନିବାସୀ ଅଭିଯୁକ୍ତ ବିଶାଲ ଶର୍ମା ପରେ ଫୋନ ଓ ଭିଡିଓ ଚାର୍ଟିଙ୍ଗ କରିଥିଲେ । ତେବେ ଚଳିତ ବର୍ଷ ଜାନୁଆରୀ ମାସରେ ଅଭିଯୁକ୍ତ ମହିଳାଙ୍କୁ ଦେଖା କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ପୀଡିତା ଗୁରୁଗ୍ରାମଠାରେ ଅଭିଯୁକ୍ତଙ୍କୁ ଭେଟିଥିଲେ । ଇତିମଧ୍ୟରେ ଦୁହିଁଙ୍କ ମଧ୍ୟରେ ଶାରୀରିକ ସଂପର୍କ ଗଢି ଉଠିଥିଲା ବୋଲି ଗୁରୁଗ୍ରାମ ପୋଲିସ ପିଆରଓ ସୁଭାଷ ବୋକାନ ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି, " ଇତିମଧ୍ୟରେ ଅଭିଯୁକ୍ତ ପୀଡିତା ମହିଳାଙ୍କ ଉପରେ ଏକ ଭଲ ପ୍ରଭାବ ପକାଇ ସାରିଥିଲା । ଗତ 3 ମାସ ପୂର୍ବରୁ ଅଭିଯୁକ୍ତ ଜଣକ କିଛି ଜରୁରୀ କାର୍ଯ୍ୟ ପାଇଁ ମହିଳାଙ୍କୁ 15ଲକ୍ଷ ଟଙ୍କା ମାଗିଥିଲା । ମହିଳା ଜଣକ ବ୍ୟାଙ୍କରୁ ଋଣ କରି ଅଭିଯୁକ୍ତକୁ ଟଙ୍କା ଦେଇଥିଲା । ତେବେ ଏହା ପରେ ଅଭିଯୁକ୍ତ ଜଣକ ମହିଳାଙ୍କୁ ଅଣଦେଖା କରିଥିଲା । ଏଭଳି ବ୍ୟବହାର ସଂପର୍କରେ ମହିଳା ଜଣକ ପଚାରିବା ପରେ ଅଭିଯୁକ୍ତ ତାଙ୍କୁ ବିବାହ କରିବା ପାଇଁ ମନା କରିଦେଇଥିଲା । "
ଏହା ପରେ ଗତ ରବିବାର ପୀଡିତା ମହିଳା ଅଭିଯୁକ୍ତ ବିରୋଧରେ ଗୁରୁଗ୍ରାମ ପୋଲିସ ଷ୍ଟେସନରେ ଏଫଆଇଆର ଦେଇଥିବା ଜଣାପଡିଛି । ଅଭିଯୁକ୍ତ ବିରୋଧରେ ପୀଡିତା ମହିଳା ସମସ୍ତ ପ୍ରମାଣ ଯଥା ଟେକ୍ସଟ ମେସେଜ, ଟଙ୍କା ପଠାଇଥିବା ବିଲ ଓ ଫଟୋ ଆଦି ସହିତ ଏଫଆଇଆର ଦେଇଥିବା ସୂଚନା ମିଳିଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଖୋଜିବା ସହ ଅଧିକ ତଦନ୍ତ ଜାରି ରଖିଛି ।
@IANS