ଜୟପୁର: ଏକ ତ୍ରୁଟିପୂର୍ଣ୍ଣ ଅକ୍ସିଜେନ କନସେନଟ୍ରେଟର ବ୍ୟବହାର କରି ସ୍ତ୍ରୀର ମୃତ୍ୟୁ ହୋଇ ଥିବାବେଳେ ସ୍ବାମୀ ଅବସ୍ଥା ଗୁରୁତର । ରାଜସ୍ଥାନର ଗଙ୍ଗାପୁର ସହରରେ ଉଦାଇ ମୋର୍ ଅଞ୍ଚଳର ଏକ ଦମ୍ପତି ଘରେ ଅକ୍ସିଜେନ କନସେନଟ୍ରେଟର ବ୍ୟବହାର କରିବା ସମୟରେ ବିସ୍ଫୋରଣ ଘଟି ଏପରି ଏକ ଅଭାବନୀୟ ଘଟଣା ଘଟିଛି ।
ପୋଲିସର ସୂଚନାନୁସାରେ, IAS ହର ସାହେ ମୀନାଙ୍କ ଭାଇ ସୁଲତାନ ସିଂ କୋଭିଡ-19 କାରଣରୁ ଗତ ଦୁଇ ମାସ ଧରି ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏଥିପାଇଁ ଏକ ଅକ୍ସିଜେନ କନସେନଟ୍ରେଟର ବ୍ୟବସ୍ଥା କରାଯାଇଥିଲା ଏବଂ ସେ ଘରେ ରହି ଚିକିତ୍ସିତ ହେଉଥିଲେ । ସିଂଙ୍କ ପତ୍ନୀ ସନ୍ତୋଷ ମୀନା, ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅଛନ୍ତି ।
ଶନିବାର ସକାଳେ, ସନ୍ତୋଷ ମୀନା ଲାଇଟ୍ ଅନ୍ କରିବା ମାତ୍ରେ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଶବ୍ଦ ଶୁଣି ପଡୋଶୀ ଘରକୁ ଯିବା ମାତ୍ରେ ଦମ୍ପତି ନିଆଁରେ ପୋଡି ହେଉଥିବାର ଦେଖିବାକୁ ପାଇଥିଲେ । ଉଭୟଙ୍କୁ ତୁରନ୍ତ ହସ୍ପିଟାଲ ସ୍ଥାନାନ୍ତର କରିବା ସମୟରେ ବାଟରେ ହିଁ ସନ୍ତୋଷଙ୍କ ମୃତ୍ୟୁ ଘଟିଥିଲା । ଗୁରୁତର ଅବସ୍ଥାରେ ସୁଲତାନଙ୍କୁ ଜପୁରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ନେଇ ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି ।
ଅନ୍ୟପଟେ ଅକ୍ସିଜେନ କନସେନଟ୍ରେଟରରୁ ଅକ୍ସିଜେନ୍ ଲିକ୍ ହୋଇଥିଲା, ଯାହା ଫଳରେ ଲାଇଟ୍ ଅନ୍ କରିବା ମାତ୍ରେ ଘରେ ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି ।