ମୁମ୍ବାଇ: ଦିଲ୍ଲୀ ଚଳନ୍ତା ବସରେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଭଳି ଛାତିଥରା ଘଟଣା ପୁଣି ସାମ୍ନାକୁ ଆସିଛି । ଚଳନ୍ତା ଟ୍ରେନ୍ରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିଛି ଉତ୍ତରପ୍ରଦେଶରୁ । ଯାତ୍ରୀଙ୍କୁ ଲୁଟପାତ କରିବାକୁ ଆସିଥିବା ୮ ଜଣ ଯୁବକ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ସୂଚନା ମିଳିଛି ।
ଟ୍ରେନଟି ଲକ୍ଷ୍ନୌରୁ ମୁମ୍ବାଇ ଆସୁ ଥିବାବେଳେ ଏପରି ଜଘନ୍ୟ କାଣ୍ଡ ଘଟିଛି । ପୋଲିସ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରି ଥିବାବେଳେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ୮ ଜଣ ଯୁବକ ଗତକାଲି(ଶୁକ୍ରବାର) ରାତିରେ ଲକ୍ଷ୍ନୌ-ମୁମ୍ବାଇ ପୁଷ୍ପକ ଏକ୍ସପ୍ରେସର ସ୍ଲିପର କୋଚ୍ରେ ଚଢ଼ିଥିଲେ । ମୁମ୍ବାଇ ଠାରୁ ୧୨୦ କିମି ଦୂର ଲଗତପୁରୀ ସହରରେ ଟ୍ରେନ ରହିବାବେଳେ ସେମାନେ ଲୁଟ ଉଦ୍ଦେଶ୍ୟରେ ସ୍ଲିପର କୋଚରେ ପ୍ରବେଶ କରିଥିଲେ । ସେମାନଙ୍କ ହାତରେ ଧାରୁଆ ଅସ୍ତ୍ର ଥିଲା ।
ଟ୍ରେନ ଛାଡ଼ିବା ମାତ୍ରେ ସେମାନେ ଅସ୍ତ୍ରଶସ୍ତ୍ର ଦେଖାଇ ଯାତ୍ରୀଙ୍କୁ ଲୁଟ କରି ଚାଲିଥିଲେ । ତେବେ ହଠାତ୍ ଜଣେ ମହିଳାଙ୍କୁ ଅସ୍ତ୍ର ଦେଖାଇ ଜଣକ ପରେ ଜଣେ ଦୁଷ୍କର୍ମ କରିବା ଆରମ୍ଭ କରିଥିଲେ । ସେଠାରେ ଉପସ୍ଥିତ ଯାତ୍ରୀମାନେ ଏହାକୁ ବିରୋଧ କରିବାକୁ ଲୁଟେରାମାନେ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ।
ଏପରିକି ଏହି ଲୁଟେରାମାରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ୬ ଜଣ ଯାତ୍ରୀଙ୍କୁ ଆହତ ମଧ୍ୟ କରିଛନ୍ତି । ଏସବୁ ମଧ୍ୟରେ ଟ୍ରେନଟି କାସରା ଷ୍ଟେସନରେ ପହଞ୍ଚି ଯାଇଥିଲା । ଟ୍ରେନ ଅଟକିବାରୁ ଲୋକମାନେ ପାଟିତୁଣ୍ଡ କରିଥିଲେ । ଏହା ଶୁଣି ରେଳବାଇ ପୋଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ।
କିନ୍ତୁ ସେତେବେଳକୁ ୬ ଜଣ ଲୁଟେରା ଫେରାର ହୋଇ ଯାଇଥିଲେ । ପୋଲିସ୍ ୪ ଜଣଙ୍କୁ ଗିରଫ କରି ଥିବାବେଳେ ଏବେ ବି ଉକ୍ତ ଲୁଟେରା ଗ୍ୟାଙ୍ଗର ୪ ଜଣ ଫେରାର ଅଛନ୍ତି । ରେଳବାଇ ପୋଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ