ବେଜିଂ: ଜାକଜମକରେ ପୁଅର ବିବାହ ହେଉଥିଲା । ବରକନ୍ୟାକୁ ଆଶୀର୍ବାଦ ଦେବାକୁ ପାଖରେ ଉପସ୍ଥିତି ଥିଲେ ଆତ୍ମୀୟ ପରିଜନ । ହେଲେ ହଠାତ୍ କନ୍ୟା ଶରୀରରେ ଏକ ଜନ୍ମ ଚିହ୍ନ ବା ବାଥ୍ ମାର୍କ ଦେଖି କାନ୍ଦି ଉଠିଲେ ବରର ମାଆ । କାରଣ ଯେଉଁ ଯୁବତୀଙ୍କ ସହ ତାଙ୍କ ପୁଅର ବିବାହ ହେଉଥିଲା, ସେ ଥିଲେ 20 ବର୍ଷ ତଳେ ହଜିଯାଇଥିଲା ତାଙ୍କ ଜନ୍ମକଲା ଝିଅ । ସମସ୍ତଙ୍କୁ ତାଜୁବ କଲାଭଳି ଏହି ଘଟଣାଟି ଘଟିଛି ଚୀନର ସୁଜହଉ ସହରରେ । 20 ବର୍ଷ ତଳେ ହଜିଯାଇଥିବା ଜଣେ ଯୁବତୀ ନିଜ ଭାଇ ସହ ବିବାହ କରିବାକୁ ଯାଉଥିବାବେଳେ ତାଙ୍କ ମାଆ ତାଙ୍କୁ ଚିହ୍ନି ପାରିଥିଲେ ।
ଘଟଣାଟି କିଛି ଏପରି ରହିଛି । ଗତ 31 ତାରିଖ ଦିନ ସୁଜହଓ ଜିଆନଙ୍ଗସୁରେ ଏକ ବିବାହ କାର୍ଯ୍ୟ ଚାଲିଥିଲା । ହଠାତ୍ ବରର ମାଆ କନ୍ୟାର ଶରୀରରେ ଏକ ଜନ୍ମ ଚିହ୍ନ ବା ବାଥମାର୍କ ଦେଖିବାକୁ ପାଇଥିଲେ । ଯାହାକୁ ଦେଖି ସେ କାନ୍ଦିବାକୁ ଆରମ୍ଭ କରିଥିଲେ । କାରଣ 20 ବର୍ଷ ତଳେ ତାଙ୍କର ହଜିଯାଇଥିବା ଝିଅର ଦେହରେ ମଧ୍ୟ ସମାନ ଚିହ୍ନ ଥିଲା । ଏହାପରେ ସେ କନ୍ୟାର ପିତାମାତାଙ୍କୁ ଝିଅ ସମ୍ପର୍କରେ ପଚାରିଥିଲେ । ତେବେ ସେମାନେ ଏକ ରାସ୍ତା କଡରୁ ଝିଅଟିକୁ ପାଇଥିଲେ ଏବଂ ସେବେଠୁ ହିଁ ତାଙ୍କୁ ନିଜ ଝିଅ ଭଳି ପାଳିଥିବା ମହିଳାଙ୍କ ଆଗରେ ପ୍ରକାଶ କରିଥିଲେ ।
ନିଜର ପ୍ରକୃତ ପରିଚୟ ଜାଣିବା ପରେ କନ୍ୟା ମଧ୍ୟ ଜୋର ଜୋରରେ କାନ୍ଦିବାକୁ ଆରମ୍ଭ କରିଥିଲେ । ତେବେ ଘଟଣାଟି ଏତିକିରେ ସରିନଥିଲା । କନ୍ୟା ଜଣକ କିପରି ନିଜ ଭାଇ ସହ ବିବାହ କରିପାରିବେ ବୋଲି ଚିନ୍ତାରେ ପଡିଯାଇଥିଲେ । ଏହି ସମୟରେ ତାଙ୍କ ମାଆ ଆଉ ଏକ ସତ୍ୟ ଉପରୁ ପରଦା ଉଠାଇଥିଲେ । ମହିଳାଙ୍କ କହିବା ମୁତାବକ, ତାଙ୍କ ଝିଅ ହଜିଗଲା ପରେ ସେ ସମ୍ପୃକ୍ତ ବରକୁ ପୋଷ୍ୟ ପୁତ୍ର ଗ୍ରହଣ କରିଥିଲେ । ଯେହେତୁ ସେମାନେ ବାଇଲୋଜିକାଲ ଭାବେ ଭାଇ-ଭଉଣୀ ନୁହଁନ୍ତି ବା ତାଙ୍କ ମଧ୍ୟରେ ରକ୍ତ ସମ୍ପର୍କ ନଥିଲା, ତେଣୁ ଏହି ବିବାହରେ କୌଣସି ସମସ୍ୟା ନାହିଁ ବୋଲି ପ୍ରକାଶ କରିଥିଲେ । ଏହାପରେ ରୀତିମତ ଭାବେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ବିବାହରେ ନିମନ୍ତ୍ରିତ ସମସ୍ତ ବ୍ୟକ୍ତି ମଧ୍ୟ ବରକନ୍ୟାଙ୍କୁ ଶୁଭେଚ୍ଛା ଓ ଆର୍ଶୀବାଦ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ