କେରଳ: ରାଜ୍ୟର ଏକ ଘରୋଇ ଡାକ୍ତରଖାନାରେ ପ୍ରସବ ପରେ ଚିକିତ୍ସିତ ହେଉଥିବା ଜଣେ ମହିଳାଙ୍କୁ ନାଟକୀୟ ମୋଡରେ ହତ୍ୟା ଉଦ୍ୟମର ଏକ ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ ଜଣକ ଡାକ୍ତରଖାନାରେ ନର୍ସଙ୍କ ପୋଷାକ ପରିଧାନ କରି ଏକ ସିରିଞ୍ଜ୍ ସାହାଯ୍ୟରେ ମହିଳାଙ୍କୁ ଏୟାର ଇଞ୍ଜେକ୍ସନ ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ତେବେ ଏହି ଘଟଣାରେ ଆଲପୁଜ୍ଝା ଜିଲ୍ଲାର କାୟାମ୍କୁଲମ ବାସିନ୍ଦା ଅନୁଷାଙ୍କୁ ଗିରଫ କରିଛି ପୋଲିସ । ହତ୍ୟା ଉଦ୍ୟମରୁ ଅଳ୍ପକେ ବର୍ତ୍ତିଯାଇଥିବା ମହିଳା ଜଣଙ୍କ ହେଉଛନ୍ତି କାୟାମ୍କୁଲମ କରିଲାକୁଲନଗରର ବାସିନ୍ଦା ଅରୁଣଙ୍କ ପତ୍ନି ସ୍ନେହା । ତେବେ ସବୁଠାରୁ ରୋଚକ କଥା ହେଉଛି, ଗିରଫ ହୋଇଥିବା ଅନୁଷା, ସ୍ନେହାଙ୍କ ସ୍ବାମୀଙ୍କର ଜଣେ ଭଲ ବନ୍ଧୁ ବୋଲି ଜଣାପଡିଛି ।
ତେବେ ଶୁକ୍ରବାର ଦିନ ୩ଟା ସମୟରେ ପାରୁଲମର ଏକ ଘରୋଇ ଡାକ୍ତରଖାନାରେ ଏଭଳି ଏକ ଘଟଣା ଘଟିଛି । ଘଟଣା ଘଟିବାର ୪ ଦିନ ପୂର୍ବରୁ ସ୍ନେହାଙ୍କୁ ପ୍ରସବଜନିତ ସମସ୍ୟା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ଅନୁଷା ଜଣେ ନର୍ସ ବେଶରେ ଡାକ୍ତରଖାନାକୁ ଆସିଥିଲେ । ଏହାପରେ ପ୍ରସବ ପରେ ଚିକିତ୍ସିତ ହେଉଥିବା ସ୍ନେହାଙ୍କ ରୁମକୁ ଯାଇଥିଲେ ଅନୁଷା ଏବଂ ଏକ ଖାଲି ସିରିଞ୍ଜ୍ ସାହାଯ୍ୟରେ ସ୍ନେହାଙ୍କୁ ଏୟାର ଇଞ୍ଜେକ୍ସନ୍ ଦେଇ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ।
ସୂଚନାନୁଯାୟୀ, ଅଭିଯୁକ୍ତ ଅନୁଷା ତାଙ୍କର ଫାର୍ମାସି ସମାପ୍ତ କରିଛନ୍ତି । ଯଦି ଏୟାର ମଣିଷର ଧମନୀରେ ପ୍ରବେଶ କରେ ତେବେ ଏହା ବଡ ବିପଦ ସୃଷ୍ଟି କରିପାରେ ବୋଲି ଜାଣିଥିଲେ ମଧ୍ୟ ଏଭଳି ଏକ ନିଷ୍ଠୁର କାମ କରିଛନ୍ତି ଅନୁଷା । ତେବେ ଅନୁଷା, ସ୍ନେହାକୁ ଇଞ୍ଜେକ୍ସନ ଦେଇ ରୁମ୍ରୁ ବାହାରିବା ବେଳେ ସ୍ନେହାଙ୍କ ମାଆ ଦେଖିଥିଲେ । ଅନୁଷାଙ୍କୁ ଦେଖି ସ୍ନେହାଙ୍କ ମାଆ ସନ୍ଦେହ କରିବା ସହ ତାଙ୍କୁ ଅଟକାଇଥିଲେ ଏବଂ ସେ ଏନେଇ ନର୍ସିଂ କର୍ମଚାରୀଙ୍କୁ ଜଣାଇଥିଲେ । ଏହା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଏ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁଷାଙ୍କୁ ଗିରଫ କରିଥିଲା ।
ଏହା ମଧ୍ୟ ପଢ଼ନ୍ତୁ...Bengaluru: ମୃତଦେହ ସହ ତିନିଦିନ, ପତ୍ନୀ ଓ ଦୁଇ ଝିଅଙ୍କୁ ହତ୍ୟା ପରେ ସଫ୍ଟଓ୍ବେର ଇଞ୍ଜିନିୟରଙ୍କ ଆତ୍ମହତ୍ୟା !
ପୋଲିସର ସୂଚନା ଅନୁସାରେ, ସ୍ନେହାଙ୍କୁ ଚାରିଥର ଏୟାର ଇଞ୍ଜେକ୍ସନ ଦିଆଯାଇଥିଲା । ଏହପରେ ସ୍ନେହା ହୃଦଘାତର ଶିକାର ହୋଇଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି । ତେବେ ଏହି ଘଟଣାରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଅନୁଷାଙ୍କୁ ଗିରଫ କରିବା ସହ ଅଧିକ ତଥ୍ୟ ପାଇଁ ଅନୁଷାଙ୍କ ଫୋନକୁ ଯାଞ୍ଚ କରୁଛି ପୋଲିସ । ଏନେଇ ଅଧିକ ତଦନ୍ତ କରାଯିବା ସହ ସ୍ନେହାଙ୍କ ସ୍ବାମୀଙ୍କୁ ମଧ୍ୟ ପଚାରାଉଚରା କରାଯିବ ବୋଲି କହିଛି ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ