ଭୋପାଳ: ଅସଂଖ୍ୟ ବିପ୍ଳବୀଙ୍କ ବଳିଦାନ ପରେ ଭାରତକୁ ଦାସତ୍ବର ବେଡ଼ିରୁ ମୁକ୍ତି ମିଳିଥିଲା । ଦେଶକୁ ବ୍ରିଟିଶଙ୍କ ପରାଧୀନତାର ବେଡ଼ିରୁ ମୁକୁଳାଇବା ପାଇଁ ଅନେକ ସୁପୁତ୍ର ଉଦ୍ୟମ କରିଥିଲେ । ଏହି ବୀରଙ୍କ ନାଁ ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିଛି । କିନ୍ତୁ କିଛି ଶହୀଦ ଏମିତି ବି ଅଛନ୍ତି, ଯାହାଙ୍କ ସମ୍ପର୍କରେ ଖୁବ କମ ଶୁଣିବାକୁ ମିଳେ । ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବୀର ଯବାନ ଅମରଚନ୍ଦ୍ର ବାଣ୍ଠିଆ । ୧୭୯୩ ମସିହାରେ ରାଜସ୍ଥାନର ବିକାନେରରେ ହୋଇଥିଲା ଏହି ସ୍ବତନ୍ତ୍ର ବିପ୍ଳବୀଙ୍କ ଜନ୍ମ । ପିଲାଟି ବେଳୁ ଦେଶ ପାଇଁ କିଛି କରିବାକୁ ସେ ସ୍ବପ୍ନ ଦେଖୁଥିଲେ । ଶେଷରେ ଦେଶ ମାତୃକା ପାଇଁ ମାତ୍ର ୨୭ ବର୍ଷ ବୟସରେ ସ୍ବାଧୀନତାର ସ୍ବପ୍ନ ନେଇ ହୋଇଥିଲେ ଶହୀଦ ।
ଅମରଚନ୍ଦ୍ରଙ୍କ ପିତାଙ୍କ ଥିଲା ପୈତୃକ ବ୍ୟବସାୟ । କିନ୍ତୁ ବ୍ୟବସାୟରେ କ୍ଷତି ପରେ ବାଂଠିଆ ପରିବାର ମଧ୍ୟପ୍ରଦେଶର ଗ୍ବାଲିଅରକୁ ଗସ୍ତ କରିଥିଲେ । ସେଠାରେ ତତ୍କାଳୀନ ମହାରାଜା ଜୟାଜିରାଓ ସିନ୍ଧିଆ ଏହି ପରିବାରକୁ ଆଶ୍ରୟ ଦେଇଥିଲେ । ରାଜାଙ୍କ ପରାମର୍ଶ କ୍ରମେ ବାଂଠିଆ ପରିବାର ଗ୍ବାଲିଅରରେ ପୁଣି ଆରମ୍ଭ କରିଥିଲେ ବ୍ୟବସାୟ । ଏହାପରେ ବାଣ୍ଠିଆ ପରିବାରର ନିଷ୍ଠା ଓ ପରିଶ୍ରମ ସମ୍ପର୍କରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏଥିରେ ପ୍ରସନ୍ନ ହୋଇ ରାଜବଂଶର କୋଷାଧ୍ୟକ୍ଷର ଦାୟିତ୍ବ ଅମରଚନ୍ଦ୍ରକୁ ଦିଆଗଲା । କୌଣସି ବ୍ୟବସାୟୀ ପାଇଁ ରାଜକୋଷର କୋଷାଧ୍ୟକ୍ଷ ହେବା ଥିଲା ମହତ୍ତ୍ବପୂର୍ଣ୍ଣ ବିଷୟ । ସେହି ସମୟରେ ଗ୍ବାଲିଅରର ଗଙ୍ଗାଜଲି ଖଜାନାର ସୂଚନା ରାଜାଙ୍କ କିଛି ଖାସ୍ ଲୋକଙ୍କ ମଧ୍ୟରେ ରହୁଥିଲା ସୀମିତ । ଆଉ ଏହି ଖଜାନାର ଦାୟିତ୍ବରେ ଅମରଚନ୍ଦ୍ର ରହିଥିଲେ ।
୧୮୫୭ ମସିହାରେ ଦେଶରେ ଧୀରେ ଧୀରେ ତେଜିୟାନ ହେଉଥିଲା ସ୍ବାଧୀନତାର ନିଆଁ । ଦେଶର ଅନେକ ଅଞ୍ଚଳରୁ ସଂଗ୍ରାମ ସମ୍ପର୍କରେ ସୂଚନା ଅମରଚନ୍ଦ୍ରଙ୍କ କାନରେ ମଧ୍ୟ ପଡୁଥିଲା । ବ୍ରିଟିଶଙ୍କ ବିରୋଧରେ ହତିଆର ଉଠାଇବା ଲାଗି ଅମରଚନ୍ଦ୍ରଙ୍କ ସାଥୀମାନେ ତାଙ୍କୁ ମଧ୍ୟ କହୁଥିଲେ । ବନ୍ଧୁଙ୍କ ମୁହଁରୁ ଏହି କଥା ଶୁଣି ଅମରଚନ୍ଦ୍ର ହତିଆର ଚଲାଇବା ଜାଣିନାହାନ୍ତି ବୋଲି କହୁଥିଲେ । କିନ୍ତୁ ସମୟ ଆସିଲେ ଏପରି କିଛି କରିବେ, ଯାହାକି ଦେଶବାସୀ ମନେ ରଖିବେ ବୋଲି ଦୃଢତ୍ବର ସହ କହୁଥିଲେ ।
ଏ ସେହି ସମୟ ଥିଲା ଯେତେବେଳେ ବ୍ରିଟିଶଙ୍କୁ ଦେଶରୁ ତଡ଼ିବା ପାଇଁ ଆଗେଇ ଆସିଥିଲେ ଝାନ୍ସୀ ରାଣୀ ଲକ୍ଷ୍ମୀ ବାଈ । ଝାନ୍ସୀ ନିକଟରେ ଥିବା ଇଂରେଜଙ୍କ କବଜା ଉପରେ ଆକ୍ରମଣ କରୁଥିଲେ ରାଣୀ । ଗ୍ବାଲିଅରରୁ ବ୍ରିଟିଶଙ୍କ ତଡ଼ି ଏହାକୁ ମଧ୍ୟ କବଜା କରିଥିଲେ ଲକ୍ଷ୍ମୀବାଈ । କିନ୍ତୁ ଶେଷ ହୋଇନଥିଲା ସଂଘର୍ଷ । ଲକ୍ଷ୍ମୀବାଈ ଓ ତାନ୍ତିଆ ଟୋପେ ନିଜର ସୀମିତ ସେନାଙ୍କ ସହିତ ବ୍ରିଟିଶ ସେନାକୁ ଦେଶରୁ ବିତାଡ଼ିତ କରିବାରେ ଲାଗିଥିଲେ । ଧୀରେ ଧୀରେ ଶେଷ ହୋଇଆସିଲା ରାଣୀଙ୍କ ଖଜାନା । ସେନାଙ୍କୁ ବହୁ ମାସ ଧରି ବେତନ ମିଳିଲାନି । ଖାଦ୍ୟ-ପଦାର୍ଥରେ ମଧ୍ୟ ସମସ୍ୟା ସୃଷ୍ଟି ହେଲା । ଟଙ୍କା ପାଇଁ ଏପଟେ ଅଣନିଶ୍ବାସୀ ହୋଇ ଆସୁଥିଲା ଦେଶର ସ୍ବାଧୀନତା ।
ସମୟ ଥିଲା ଆଉ ସୁଯୋଗ ମଧ୍ୟ । ଭାରତର ଇତିହାସରେ ସବୁଦିନ ପାଇଁ ନିଜ ନାଁକୁ ଯୋଡିବାକୁ ଯାଉଥିଲେ ଅମରଚନ୍ଦ୍ର । ଇଂରେଜଙ୍କଠୁ ପ୍ରତିଶୋଧ ନେବାର ନିଆଁ ଏବେ ଜ୍ବାଳାମୁଖୀରେ ହୋଇଥିଲା ପରିବର୍ତ୍ତନ । ଦେଶ ଲାଗି କିଛି କରିବା ପାଇଁ ଏହି ସମୟ ଉପଯୁକ୍ତ ଥିଲା ବୋଲି ଭାବି ସ୍ବାଧୀନତା ସଂଗ୍ରାମରେ ପାଦ ଦେଇଥିଲେ ଅମରଚନ୍ଦ୍ର । ୧୮୫୮ ମସିହା ଜୁନ ୮ ତାରିଖରେ ନିଜ ଜୀବନକୁ ତ୍ୟାଗ ପାଇଁ ପ୍ରସ୍ତୁତ ଥିଲେ ଅମର । ସେ ଜାଣିଥିଲେ ଯେ ତାଙ୍କର ଏହି ପଦକ୍ଷେପର ଫଳାଫଳ ମୃତ୍ୟୁଠୁ କିଛି କମ ହୋଇନପାରେ । ତଥାପି ଧନ ପାଇଁ ସ୍ବାଧୀନତାର ନିଆଁକୁ ଲିଭାଇବାକୁ ଦେଇନଥିଲେ ସେ । ଗଙ୍ଗାଜଳି ଖଜାନାର ସମସ୍ତ ସମ୍ପତ୍ତିକୁ ସେ ଲକ୍ଷ୍ମୀବାଈଙ୍କୁ ହସ୍ତାନ୍ତର କରିଥିଲେ ।
ନିଜ କାମ ଶେଷ କରିସାରିଥିଲେ ଅମରଚନ୍ଦ୍ର । ଭାରତ ମାତାକୁ ସ୍ବାଧୀନତା ଦେବା ପାଇଁ ସେ ନିଜ ଜୀବନକୁ ବାଜି ଲଗାଇ ସାରିଥିଲେ । ସେ ଜାଣିଥିଲେ ଯେ ଏବେ ଚୁପ ବସିବ ନାହିଁ ବ୍ରିଟିଶ ସେନା । ସରକାରୀ ଖଜାନା ରାଣୀଙ୍କ ହାତରେ ପଡିବା ପରେ ପ୍ରତିହିଂସା ପରାୟଣ ହୋଇଗଲା ବ୍ରିଟିଶ ସେନା । ଏଠାରେ ଅମରଚନ୍ଦ୍ରଙ୍କ ଦେଶଭକ୍ତିକୁ ରାଜଦ୍ରୋହର ରୂପ ଦେଲା ବ୍ରିଟିଶ । କିଛି ଦିନ ପରେ ଜୁନ ୧୮ରେ ଶହୀଦ ହୋଇଥିଲେ ଝାନ୍ସୀ ରାଣୀ ଲକ୍ଷ୍ମୀବାଈ । ଏହାର ୪ ଦିନ ପରେ ଅମରଚନ୍ଦ୍ରଙ୍କ ଉପରେ ଚାଲିଲା ରାଜଦ୍ରୋହର ମକଦ୍ଦମା । ଏହାପରେ ବାଣ୍ଠିଆଙ୍କ ପାଇଁ ଆସିଲା ମୃତ୍ୟୁ ଦଣ୍ଡାଦେଶ । ଜୁନ ୨୨ ତାରିଖରେ ସରାଫା ବଜାର ନିମ୍ବ ଗଛରେ ଫାଶୀ ଖୁଣ୍ଟରେ ଝୁଲି ହସି ହସି ପ୍ରାଣ ତ୍ୟାଗ କଲେ ଭାରତ ମାତାର ଏହି ସୁପୁତ୍ର ଅମରଚନ୍ଦ୍ର ।
ଇଂରେଜମାନେ ୩ ଦିନ ପର୍ଯ୍ୟନ୍ତ ନିମ୍ବ ଗଛରେ ଶହୀଦ ଅମରଚନ୍ଦ୍ରଙ୍କ ମୃତଦେହକୁ ଝୁଲାଇ ରଖିଥିଲା । ଉଦ୍ଦେଶ୍ୟ ଥିଲା ଲୋକଙ୍କ ମନରେ ଭୟ ସୃଷ୍ଟି କରିବା, ଫଳରେ କେହି ସ୍ବାଧୀନତା ସଂଗ୍ରାମଙ୍କ ସାହାଯ୍ୟ ପାଇଁ ମନ ମଧ୍ୟ ବଳାଇବେ ନାହିଁ । ଅମରଚନ୍ଦ୍ର ଶହୀଦ ହେବା ପରେ ତାଙ୍କ ପରିବାର ଗ୍ବାଲିଅରରୁ ଉତ୍ତରପ୍ରଦେଶ ଚାଲି ଯାଇଥିଲା । ଆଜି ମଧ୍ୟ ସେହି ନିମ୍ବ ଗଛ ମୂଳରେ ରହିଛି ଅମରଚନ୍ଦ୍ରଙ୍କ ପ୍ରତିମା । ଯାହାକି ପ୍ରତ୍ୟେକ ପଥଚାରୀକୁ ମନେ ପକାଇଥାଏ ସ୍ବାଧୀନତା ସଂଗ୍ରାମରେ ଅମରଚନ୍ଦ୍ରଙ୍କ ଭଳି ବୀର ଯବାନଙ୍କ ବଳିଦାନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ