ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ହଟଚମଟ । ଶିବସେନା ଓ ବିଜେପି ମେଣ୍ଟ ସରକାରରେ ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପରେ ଦୁଇ ଫାଳ ହୋଇଛି ଏନସିପି । ତାଙ୍କ ସହ 8 ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି 9 ନେତାଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ବାଚସ୍ପତିଙ୍କ ନିକଟରେ ଏକ ପିଟିସନ ଦାୟର ହୋଇଥିଲା । ଏହି 9 ଜଣ ଏନସିପି ନେତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମତ ରଖିଛନ୍ତି ବାଚସ୍ପତି ରାହୁଲ ନରଓ୍ବେକର । ଦଳ ବିରୋଧି କାମ କରିଥିବାରୁ ଗତକାଲି ଏନସିପି ନେତା ଜୟନ୍ତ ପାଟିଲ 9 ନେତାଙ୍କ ସଦସ୍ୟ ପଦ ରଦ୍ଦ ପାଇଁ ପିଟିସନ ଦାଖଲ କରିଥିଲେ । ଭାରତର ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଏନସିପି ପକ୍ଷରୁ ଏକ ଇମେଲ ପଠାଯାଇଛି ।
ଏନେଇ ଗଣମାଧ୍ୟମ ସମ୍ମୁଖରେ ବାଚସ୍ପତି ରାହୁଲ ନରଓ୍ବେକର କହିଛନ୍ତି, ‘ଏନସିପିର 9 ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଜୟନ୍ତ ପାଟିଲଙ୍କ ଦ୍ବାରା ଦାଖଲ ହୋଇଥିବା ପିଟିସନକୁ ମୁଁ ଗ୍ରହଣ କରିଛି । ଏହାକୁ ମୁଁ ଭଲଭାବେ ପଢିବି । ଏଥିରେ ଉଲ୍ଲେଖ ରହିଥିବା ପ୍ରତ୍ୟେକ ଲାଇନକୁ ପଢିବି ଓ ପିଟିସନ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ।’
ଏହା ମଧ୍ୟ ପଢନ୍ତୁ-ସଞ୍ଜୟ ରାଉତଙ୍କ ବଡ ବୟାନ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସ୍ଥାନ ନେବେ ଅଜିତ ପାୱାର
ତେବେ ଅଜିତ ପାଓ୍ବାରଙ୍କୁ ଏନସିପିର 40 ଜଣ ବିଧାୟକଙ୍କ ସମର୍ଥନ ରହିଥିବା ସେ ଦାବି କରିଛନ୍ତି । ଏନେଇ ବାଚସ୍ପତି ପ୍ରଶ୍ନ କରିବାରୁ ମୋ ପାଖରେ ଏ ବିଷୟରେ କୌଣସି ସୂଚନା ନାହିଁ ବୋଲି କହିଥିଲେ । ଏଥିସହ ବିଧାନସଭାରେ ଜଣେ ନୂତନ ବିରୋଧି ଦଳ ନେତା ନିଯୁକ୍ତ କରାଯିବା ନେଇ ମତ ରଖିଥିଲେ । ରବିବାର ଦିନ ଏନସିପି ଜିତେନ୍ଦ୍ର ଆହ୍ବାଡଙ୍କୁ ବିରୋଧି ଦଳ ନେତା ଭାବେ ନିଯୁକ୍ତ କରାଯାଇଥିବା ସୂଚନା ରହିଛି । ଥାନେ ଜିଲ୍ଲାର ମୁମ୍ବ୍ରା-କଲୱାରର ବିଧାୟକ ହେଉଛନ୍ତି ଜିତେନ୍ଦ୍ର ଆହ୍ବାଡ । ଅନ୍ୟପଟେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହେବାର ଗୋଟିଏ ଦିନ ପରେ ଏନସିପି କାର୍ଯ୍ୟାଳୟରୁ ନିଜର ପୋଷ୍ଟର ହଟାଇ ଦେଇଛନ୍ତି ଅଜିତ ପାୱର ।
ଏହା ମଧ୍ୟ ପଢନ୍ତୁ-NCP political Crisis: ଭାଇ ସହ କଣ କଳି, ବିଜେପିର ଏ ନାଟ କହିଲେ ସୁପ୍ରିୟା ସୁଲେ
ଗତକାଲି ଅଜିତ ପାଓ୍ବାର ବିରୋଧୀ ଦଳ ନେତାରୁ ସିଧା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତାଙ୍କ ସହ ଦଳର 8 ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫଡନାଭିସଙ୍କ ଉପସ୍ଥିତିରେ ରାଜଭବନରେ ସମସ୍ତେ ଶପଥ ଗ୍ରହଣ କରିଥିଲେ ।