ଚୁରୁ: ପ୍ରେମର ସୁନ୍ଦର ଆକର୍ଷଣୀୟ ପ୍ରତୀକ ଆଗ୍ରାର ତାଜମହଲ । ଶାହଜାହାନ ନିଜ ବେଗମ ମମତାଜଙ୍କ ସ୍ମୃତିରେ ନିର୍ମାଣ କରିଥିଲେ ତାଜମହଲ । ସେହିଭଳି ଆଉ ଏକ ଅମର ପ୍ରେମର ସୌଧ ରହିଛି ରାଜସ୍ଥାନର ଚୁରୁ ଜିଲ୍ଲାରେ । ଫରକ କେବଳ ଏତିକି କି, ଏହାକୁ ଜଣେ ପତ୍ନୀ ତାଙ୍କ ପତିଙ୍କ ସ୍ମୃତିରେ ଗଢିଥିଲେ । ଯାହାକି ବିଲକୁଲ ତାଜମହଲ ଭଳି ଦୃଶ୍ୟମାନ । ଦୁଧବାଖରାରେ ରହିଥିବା ଏହି ଭବ୍ୟ ଇମାରତକୁ ସେଠ ହାଜରିମାଲଙ୍କ ପତ୍ନୀ ସରସ୍ବତୀ ଦେବୀ ଏବଂ ତାଙ୍କ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଛନ୍ତି । ଏହି ସୌଧ ପ୍ରାୟ 70 ବର୍ଷ ପୁରୁଣା ।
ମାର୍ବଲ ପଥରରେ ତିଆରି ଏହି ଅଟ୍ଟାଳିକାରେ ପଥରଗୁଡିକୁ ସଂଯୋଗ କରିବା ପାଇଁ କଂକ୍ରିଟ ଗ୍ରାଭେଲ୍ କିମ୍ବା ସିମେଣ୍ଟ ବ୍ୟବହୃତ ହୋଇନାହିଁ । ଏହି ସୌଧ ପାଖରେ ଏକ ଧର୍ମଶାଳା ଓ କୁଅ ରହିଛି, ଯେପରି ଯାତ୍ରୀ ଏଠାକାର ସୌନ୍ଦର୍ଯ୍ୟ ଉପଭୋଗ ବେଳେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଏଠାରେ ଏକ ଶିବ ମନ୍ଦିର ବି ରହିଛି । ଶ୍ରାବଣ ମାସରେ ଓ ଶିବରାତ୍ରରେ ଏଠାରେ ସ୍ବତନ୍ତ୍ର ଆୟୋଜନ ହୋଇଥାଏ ।
ଗ୍ରାମବାସୀ ମନେ ପକାନ୍ତି ଯେ, ଯେବେ ଶିବଲିଙ୍ଗ ପ୍ରତିଷ୍ଠା ହୋଇଥିଲା, ସେତେବେଳେ ଭୋଳା ବାବାଙ୍କୁ ଅତରରେ ଅଭିଷେକ କରାଯାଇଥିଲା । ଆଉ ସେହି ଅତର ସବୁ ଏଠିକାର ନଳାରେ ବହିଥିଲା ବେଳେ ଗ୍ରାମବାରୀ ତାକୁ ବୋତଲରେ ଭର୍ତ୍ତି କରି ନିଜ ନିଜ ଘରେ ସାଇତି ରଖିଥିଲେ । ଏହା ପରଠୁ ଏଠାରେ ଶ୍ରାବଣ ମାସରେ ଖାସକରି ଶିବରାତ୍ରରେ ବିଶେଷ ପୂଜାର୍ଚ୍ଚନା ହୁଏ ।
ଏହି ଅଟ୍ଟାଳିକା ପରିସରରେ ସେଠ ହାଜରିମାଲଙ୍କ ସମାଧୀ ହୋଇଛି । ଏଠାରେ ସେଠ୍ ହାଜରିମାଲ ଓ ତାଙ୍କ ସ୍ତ୍ରୀ ସରସ୍ବତୀ ଦେବୀଙ୍କ ବି ମୂର୍ତ୍ତି ରହିଛି । ଏହି କୋଠାର ଗମ୍ବୁଜଗୁଡିକ ବହୁତ ଆକର୍ଷଣୀୟ । ଏହି ମିନି ତାଜମହଲ ସରସ୍ବତୀ ଦେବୀ ଏବଂ ସେଠ ହାଜରିମାଲଙ୍କ ପ୍ରେମର ଜୀବନ୍ତ ପ୍ରତୀକ । ଏଥିସହ, ଏହା ରାଜସ୍ଥାନର କାରିଗରମାନଙ୍କ ଅନନ୍ୟ କାରୁକାର୍ଯ୍ୟର ଏକ ଉତ୍ତମ ଉଦାହରଣ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ