ମୁମ୍ବାଇ: ପୁଣି କୋରୋନା କାୟାରେ ଛନ୍ଦି ହୋଇଯାଇଛନ୍ତି ଦେଶବାସୀ । ମହାମାରୀରେ ନିଜ ଆତ୍ମୀୟ ସ୍ବଜନଙ୍କୁ ହରାଇ ଆତ୍ମହରା ହୋଇ ନିଜ ଜୀବନକୁ ମଧ୍ୟ ବଳି ପକାଉଥିବା ଦେଖିବାକୁ ମିଳିଛି । ତେବେ ଏଭଳି ଏକ ଦୁଃଖଦ ଘଟଣା ଆସିଛି ମହାରାଷ୍ଟ୍ରର ନାନ୍ଦେଡ ଜିଲ୍ଲାରୁ । କୋଭିଡରେ ସ୍ବାମୀଙ୍କୁ ମୃତ୍ୟୁ ହୋଇଯିବା ପରେ ଏହି ଦୁଃଖକୁ ସହିନପାରି ନିଜ 3 ବର୍ଷର ଶିଶୁ ସହ ପୋଖରୀକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ, ସ୍ବାମୀଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ପତ୍ନୀ ଏଭଳି ପଦକ୍ଷେପ ନେଇ ନିଜ ଜୀବନ ହାରିଛନ୍ତି । ଆତ୍ମହତ୍ୟା କରିଥିବା ମହିଳା ଜଣକ ଆନ୍ଧ୍ରପ୍ରଦେଶ ଅମ୍ମପୁରମ ଲୋହା ଅଞ୍ଚଳର ମୂଳ ବାସିନ୍ଦା । ତେବେ ସେମାନେ ଗୁଜୁରାଣ ମେଣ୍ଟାଇବା ପାଇଁ ମହାରାଷ୍ଟ୍ରରେ ଶ୍ରମିକ ଭାବେ କାର୍ଯ୍ୟ କରିବା ସହିତ ଗୃହ ଉପକରଣ ବିକ୍ରି କରୁଥିଲେ । ମହାରାଷ୍ଟ୍ର ସରକାର ଲକଡାଉନ ଲାଗୁ କରିବା ପରେ ତାଙ୍କ ବ୍ୟବସାୟରେ ବାଧା ଉପୁଜିଥିଲା । ଏହାରି ମଧ୍ୟରେ ମହିଳାଙ୍କ ସ୍ବାମୀ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ପଜିଟିଭ ଚିହ୍ନଟର 3 ଦିନ ପରେ ସ୍ବାମୀଙ୍କ ମୃତ୍ୟୁ ପରେ ମହିଳା ଜଣକ ଏକାକି ହୋଇଯାଇଥିଲେ ସେ ।
ସେପଟେ 3 ବର୍ଷର ଶିଶୁ ସହ ଆଉ 2 ଜଣ ସନ୍ତାନଙ୍କ ଚିନ୍ତା ତାଙ୍କୁ ଘାରିବା ପରେ ସେ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ପୂର୍ବରୁ ମହିଳା ଜଣକ 2 ସନ୍ତାନଙ୍କୁ ଅନାଥ ଆଶ୍ରମରେ ଛାଡ଼ିବା ପରେ ଶିଶୁ ସହ ଆତ୍ମହତ୍ୟା କରିଛନ୍ତି । ମହିଳା ଜଣକ ଅସହାୟ ମନେ କରି ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ କହିଛି । ପରେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ