ହାଇଦ୍ରାବାଦ: ୨୧ ବର୍ଷ ପୂର୍ବରୁ ବିବାହ କରିପାରିବେନି ଯୁବତୀ । ବିବାହର ସର୍ବନିମ୍ନ ବୟସ ସୀମାରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର । ଜାତି ଓ ଧର୍ମ ନିର୍ବିଶେଷରେ ସବୁ ଝିଅଙ୍କ ପାଇଁ ଏହି ନିୟମ ଲାଗୁ ହେବ । ବିବାହ ପାଇଁ ଝିଅମାନଙ୍କ ସର୍ବନିମ୍ନ ବୟସ ସୀମା ବୃଦ୍ଧି ସଂକ୍ରାନ୍ତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି । ଯାହାଦ୍ବାରା ଏଣିକି ଯୁବତୀଙ୍କ ବିବାହ ବୟସ ସୀମା ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି ପାଇବ । ଏଥିପାଇଁ ସରକାର ଜୁନ୍ ୨୦୨୦ରେ ଜୟା ଜେଟଲୀଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ କରିଥିଲେ । ଯେଉଁଥିରେ ନୀତି ଆୟୋଗର ସଦସ୍ୟ ଡା. ବିକେ ପଲ୍ ମଧ୍ୟ ସାମିଲ ଥିଲେ । ରିପୋର୍ଟ ଅନୁସାରେ, ଟାସ୍କ ଫୋର୍ସ ଗତ ମାସରେ ହିଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ମହିଳା-ବାଲ ବିକାଶ ମନ୍ତ୍ରଣାଳୟଙ୍କୁ ନିଜ ରିପୋର୍ଟ ପ୍ରଦାନ କରିଥିଲେ ।
ଗତବର୍ଷ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ନିଜ ଭାଷଣରେ ଝିଅଙ୍କ ସର୍ବନିମ୍ନ ବିବାହ ବୟସ ସମ୍ପର୍କରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଝିଅମାନଙ୍କୁ କୁପୋଷଣରୁ ରକ୍ଷା କରିବାକୁ ହେଲେ ସେମାନଙ୍କ ବିବାହ ଉଚିତ୍ ବୟସରେ ହେବା ଆବଶ୍ୟକ । ଶେଷରେ ଏ ସମ୍ପର୍କିତ ପ୍ରସ୍ତାବ ଉପରେ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ୍ ।
ଟାସ୍କ ଫୋର୍ସଙ୍କ ସେହି ରିପୋର୍ଟରେ କଣ ଥିଲା?
ଝିଅଙ୍କ ବିବାହ କରିବାର ବୟସ ୧୮ରୁ ୨୧ ବର୍ଷ କରିବା ନେଇ ସମିତି(task force) ଏକ ନୂତନ ପନ୍ଥା ଅବଲମ୍ବନ କରିଥିଲା । ଏ ସମ୍ପର୍କରେ ନିଜ ମତାମତ ଦେବା ପାଇଁ ସମଗ୍ର ଦେଶର ୧୬ ବିଶ୍ବବିଦ୍ୟାଳୟର ଯୁବାପିଢିଙ୍କର ଫିଡବ୍ୟାକ ନିଆଯାଇଥିଲା । ୧୫ NGO ସଂଗଠନକୁ ଦେଶର ବିଭିନ୍ନ ଉପାନ୍ତ ଅଞ୍ଚଳକୁ ପଠାଯାଇ ଯୁବାପିଢିଙ୍କର ମତାମତ ନିଆଯାଇଥିଲା । ଟାସ୍କ ଫୋର୍ସ ସଦସ୍ୟ କୁହନ୍ତି ଯେ, ଜାତି ଓ ଧର୍ମ ନିର୍ବିଶେଷରେ ସମସ୍ତଙ୍କ ମତାମତ ନିଆଯାଇଥିଲା । ସବୁ ଧର୍ମର ଯୁବାପିଢି ଝିଅଙ୍କ ବିବାହ ବୟସ ବଢିବା ନେଇ ନିଜର ମତାମତ ପ୍ରଦାନ କରିଥିଲେ । କେବଳ ଯେ, ସହରରେ ବାସ କରୁଥିବା ଯୁବା ଏ ସମମ୍ପର୍କରେ ନିଜ ମତ ଦେଇଛନ୍ତି, ତାହା ନୁହେଁ ଆଦିବାସୀ ଗ୍ରାମାଞ୍ଚଳରେ ରହୁଥିବା ଅପାଠୁଆ ପିଲା ମଧ୍ୟ ଏଥିରେ ନିଜ ମତ ପୋଷଣ କରିଛନ୍ତି । ଏ ସମ୍ପର୍କରେ ସମାନ ମାତ୍ରାରେ ସମସ୍ତଙ୍କ ମତାମତ ଆମ ପାଇଁ ଅତ୍ୟନ୍ତ ଜରୁରୀ ଥିଲା ।
ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଝିଅମାନଙ୍କ ବିବାହ ବିଳମ୍ବ ହେଲେ ପରିବାର, ମହିଳା, ଶିଶୁ ଏବଂ ସମାଜ ପାଇଁ ସକାରାତ୍ମକ ଆର୍ଥିକ ଓ ସାମାଜିକ ପ୍ରଭାବ ପଡିଥାଏ । ବିବାହ ବୟସ ବଢିବା ଯୋଗୁଁ ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପଡିବ । ରିପୋର୍ଟରେ ଏହି ପରାମର୍ଶ ଦିଆଯାଇଛି ଯେ, ମହିଳାଙ୍କ ବିବାହ ବୟସକୁ ୧୮ ରୁ ବଢାଇ ୨୧ ବର୍ଷ କରାଯାଉ । କିନ୍ତୁ ଏକ ସଠିକ୍ ପର୍ଯ୍ୟାୟରେ, ଏହାର ଅର୍ଥ ଏହିକି ଯେ, ସବୁ ରାଜ୍ୟ ଗୁଡିକୁ ପୁରା ସମୟ ଓ ସ୍ବତନ୍ତ୍ରତା ଦିଆଯାଉ । ଯାହାଦ୍ବାରା ସେମାନେ ତୃଣମୂଳସ୍ତରରୁ ଏହି କାମ ଆରମ୍ଭ କରିପାରିବେ, କାହିଁକିନା ଏହି ନିୟମକୁ ଗୋଟିଏ ରାତିରେ ଲାଗୁ କରାଯାଇପାରିବ ନାହିଁ ।
ସମିତି ଏହି ପ୍ରସ୍ତାବ ଦେଇଥିଲା ଯେ, ସରକାର ଝିଅଙ୍କ ପାଇଁ ସ୍କୁଲ ଓ କଲେଜର ସଂଖ୍ୟା ବଢାନ୍ତୁ । ଏବଂ ଉପାନ୍ତ ଅଞ୍ଚଳମାନଙ୍କରେ ଝିଅମାନଙ୍କୁ ସ୍କୁଲ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ମଧ୍ୟ ବ୍ୟବସ୍ଥା କରନ୍ତୁ । ଝିଅମାନଙ୍କୁ କୁଶଳୀ ବିଦ୍ୟା ସହ ବ୍ୟବସାୟ ଟ୍ରେନିଂ ଦେବାକୁ ପ୍ରସ୍ତାବ ଦିଆଯାଇଥିଲା । ଏହାସହ ବିବାହ ବୟସ ବଢାଇବା ନେଇ ସଚେତନତା ଅଭିଯାନ କରିବାକୁ ମଧ୍ୟ କୁହାଯାଇଥିଲା ।
ଏହା ବି ପଢନ୍ତୁ: Marriage Age of Women: ୨୧ ବୟସ ପୂର୍ବରୁ ବିବାହ କରିପାରିବେନି ଯୁବତୀ
ସରକାର କାହିଁକି ନେଲେ ଏହି ନିଷ୍ପତ୍ତି:
ନରେନ୍ଦ୍ର ମୋଦି ସରକାର ବହୁ କାରଣରୁ ବିବାହ ବୟସ ବଢାଇବା ନେଇ ନିଷ୍ପତ୍ତି ନେଇଥିଲେ, ଯେଉଁଥିରେ ଲିଙ୍ଗ ସମାନତା ମଧ୍ୟ ସାମିଲ ଥିଲା । ଶୀଘ୍ର ବିବାହ ଏବଂ କମ୍ ବୟସରେ ଗର୍ଭଧାରଣ କରିବା ଦ୍ବାରା ନବଜାତ ଶିଶୁ ଓ ମାଆ ଉଭୟଙ୍କୁ ଉପଯୁକ୍ତ ପୋଷଣ ମିଳି ନ ଥାଏ । କେବଳ ଶାରୀରିକ ନୁହେଁ ମାନସିକସ୍ତରରେ ମଧ୍ୟ ଖୁବ୍ ପ୍ରଭାବ ହୋଇଥାଏ । କମ୍ ବୟସରେ ବିବାହ ଶିଶୁ ମୃତ୍ୟୁ ହାର, ମାତୃ ମୃତ୍ୟୁ ହାର ଏବଂ ମହିଳା ସଶକ୍ତିକରଣ ଉପରେ ପଡିଥାଏ । କାହିଁକିନା ଶୀଘ୍ର ବିବାହ ଯୋଗୁଁ ଝିଅମାନଙ୍କୁ ଶିକ୍ଷା ଓ ଜୀବନଜୀବିକା ପାଇଁ ଅବସର ମିଳି ନଥାଏ ।
ନିକଟରେ ଜାରି ହୋଇଥିବା ନ୍ୟାସନାଲ ଫ୍ୟାମିଲି ହେଲଥ ସର୍ଭେ (National Family Health Survey) ଅନୁସାରେ ଭାରତରେ ୨୦୧୫-୧୬ରେ ବାଲ୍ୟ ବିବାହର ଅନୁପାତ ୨୭ ପ୍ରତିଶତ ଥିଲା, ଯାହା ୨୦୧୯-୨୦ରେ ହ୍ରାସ ପାଇ ୨୩ ପ୍ରତିଶତ ହୋଇଥିଲା । ସରକାର ବାଲ୍ୟ ବିବାହକୁ ହ୍ରାସ କରିବାକୁ ଶତ ପ୍ରତିଶତ ଚେଷ୍ଟା କରୁଥିବା ସର୍ଭେରୁ ଜଣାପଡିଛି ।
ଜନସଂଖ୍ୟା ନିୟନ୍ତ୍ରଣ ନେଇ ଏହି କାନୁନ୍ ବଦଳାଯାଇଛି ନା ଆଉ କିଛି?
ଝିଅମାନଙ୍କ ବିବାହ ବୟସ ବଢିବା ନେଇ ଏହା ଶୁଣିବାକୁ ମିଳୁଛି ଯେ, ଯଦି ତାଙ୍କ ବିବାହ ବିଳମ୍ବରେ ହେବ, ତେବେ ତାଙ୍କୁ ଉଚ୍ଚ ଶିକ୍ଷା ଓ ଚାକିରୀ ପାଇଁ ସୁବିଧା ହେବ ଏବଂ ସେ ଡେରିରେ ମା ହେବେ । ଏହା ଜନସଂଖ୍ୟା ନିୟନ୍ତ୍ରଣରେ ମଧ୍ୟ ସାହାଯ୍ୟ କରିବ । କିନ୍ତୁ ସରକାରଙ୍କ କହିବା ଅନୁସାରେ ଏହି ପଦକ୍ଷେପ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ନୁହେଁ, ବରଂ ମହିଳା ସଶକ୍ତିକରଣ ପାଇଁ ନିଆଯାଇଛି ।
ଜୟା ଜେଟଲୀ ଏକ ପ୍ରତିଷ୍ଠିତ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି ଯେ, 'ମୁଁ ସଫା ସଫା କହିଦେବା ପାଇଁ ଚାହୁଁଛି ଯେ, ଆମେ ସରକାରଙ୍କୁ ଯାହା ଯାହା ପ୍ରସ୍ତାବ ଦେଇଥିଲୁ, ତାହାର ଲକ୍ଷ୍ୟ ଜନସଂଖ୍ୟା ନିୟନ୍ତ୍ରଣ ଆଦୌ ନୁହେଁ । ନ୍ୟାସନାଲ ଫ୍ୟାମିଲି ହେଲଥ ସର୍ଭେର ତାଜା ସଂଖ୍ୟାନ ଏହା କହୁଛି ଯେ, ଜନ୍ମହାର କମ୍ ହେଉଛି । ତେଣୁ ଜନସଂଖ୍ୟା ନିୟନ୍ତ୍ରଣରେ ଅଛି । ବିବାହ ବୟସ ବଢାଇବା ପ୍ରସ୍ତାବ ଦେବାର ଲକ୍ଷ୍ୟ କେବଳ ମହିଳା ସଶକ୍ତିକରଣ' ।
ଜୀବନସାଥୀ ବାଛିବା ନେଇ ମହିଳାଙ୍କ ସ୍ବାଧୀନତା ଉପରେ ପଡିବ ପ୍ରଭାବ:
ପାଟନର୍ସ ଫର ଲ ଇନ୍ ଡେଭଲପ୍ମେଣ୍ଟ ଇଣ୍ଡିଆ(partners for law in development)ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ କହିଲେ ଯେ, ' ଝିଅମାନଙ୍କୁ ବିବାହ ବୟସର ୨୧ ଯାଏଁ ବଢାଇବା ଦ୍ବାରା ଝିଅମାନେ ବ୍ୟକ୍ତିଗତ ମାମଲାରେ ନିଷ୍ପତ୍ତି ନେବା ପାଇଁ ଅପେକ୍ଷା କରିବାକୁ ପଡିବ । ଆମେ କେରଳ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ବହୁ ମାମଲାରେ ଦେଖୁଛି ଯେ, ଜଣେ ବୟସ୍କ ମହିଳାର ବାହାଘରର ନିଷ୍ପତ୍ତି ପରିବାର ହିଁ ନେଇଥାନ୍ତି । ଭାରତୀୟ ପରିବାର ଓ ସମାଜର ସନ୍ଦର୍ଭରେ ଆମକୁ ଏହି ନିୟମ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡିବ' ।
ସୋସିଆଲ ମିଡିଆରେ ଚର୍ଚ୍ଚା:
ଝିଅମାନଙ୍କ ବିବାହ ବୟସ ବଢିବା ଘୋଷଣାରେ ସୋସିଆଲ ମିଡିଆରେ କିଛି ୟୁଜର୍ସ ଏହାକୁ ନାପସନ୍ଦ କରିଛନ୍ତି । ଆଇପିଏସ୍ ଏମ୍ ନାଗେଶ୍ବର ରାଓ ଟ୍ବିଟ କରି ଲେଖିଛନ୍ତି ଯେ, ' ୧୮ ବର୍ଷର ଜଣେ ମହିଳା ଭୋଟ ଦେଇ ଦେଶ ଚଳାଇବା ପାଇଁ ସରକାର ବାଛି ପାରିବ, କିନ୍ତୁ ନିଜ ଜୀବନ ବାବଦରେ କୌଣସି ନିଷ୍ପତ୍ତି ଗ୍ରହଣ କରିପାରିବ ନାହିଁ । କି ସେ କେବେ ବାହା ହେବ । ତେଣୁ ଆମେ ମତଦାନର ବୟସ ୧୮ରୁ ବଢାଇ ୨୧ କରିଦେବା ଉଚିତ୍ ।
ଆଉ ଜଣେ ୟୁଜର୍ସ ମଧ୍ୟ କହିଥିଲେ ଯେ, ବିବାହ ବୟସ ବଢାଇଦେଇ ୨୧ କରିଦେବା କାଗଜପତ୍ରରେ ହିଁ ଭଲ ଦେଖାଯିବ । କିନ୍ତୁ ବାଲ୍ୟ ବିବାହ କେମିତି ରୋକାଯିବ । ଏହାକୁ ପ୍ରଥମେ ହ୍ରାସ କରିବା ଆବଶ୍ୟକ । କାରଣ ଭାରତରେ ଏବେ ମଧ୍ୟ ୨୩ ପ୍ରତିଶତ ବାଲ୍ୟବିବାହ ହେଉଛି ।
କଣ ପୁଅ-ଝିଅଙ୍କ ଉଭୟ ବିବାହ ବୟସ ସମାନ ହେବା ଉଚିତ୍ କି?
'ସେଣ୍ଟର ଫର୍ ଲ ଆଣ୍ଡ ପଲିସି ରିସର୍ଚ୍ଚ' ଏବଂ ସୁପ୍ରିମକୋର୍ଟର ସିନିୟର ଆଡଭୋକେଟ୍ ଜାୟନା କୋଠାରୀ କୁହନ୍ତି ଯେ, ଝିଅ ଓ ପୁଅଙ୍କ ବିବାହ ବୟସ ମଧ୍ୟରେ ଅଧିକ ପାର୍ଥକ୍ୟ ହେବା ଉଚିତ୍ ନୁହେଁ । ସେ ଆହୁରି ମଧ୍ୟ କହିଲେ ଯେ, ବହୁ ମାନବାଧିକାର ସଂଗଠନ ଓ ବାଲ ଅଧିକାର କର୍ମକର୍ତ୍ତା ଏହା ଦାବି କରନ୍ତି ଯେ, ଝିଅ ଓ ପୁଅ ଉଭୟଙ୍କ ବିବାହ ବୟସ ସମାନ ହୋଇଥିବା ଆବଶ୍ୟକ । ଭାରତର ବହୁ ପୁରୁଣା କାନୁନ ଏହି ଧାରଣାରେ ପ୍ରସ୍ତୁତ ହୋଇଥିଲା ଯେ, ଝିଅମାନେ ପୁଅମାନଙ୍କ ଠାରୁ ପ୍ରଥମେ ପରିପକ୍ବ ହୋଇଯାଆନ୍ତି । ତେଣୁ ସେମାନଙ୍କ ବିବାହ ବୟସରେ ମଧ୍ୟ ପାର୍ଥକ୍ୟ ରଖାଯିବା ଉଚିତ୍ । ବର୍ଷ ୨୦୦୮ରେ ଲ କମିଶନ ରିପୋର୍ଟରେ ଏହି ପ୍ରସ୍ତାବ ଦିଆଯାଇଥିଲା ଯେ, ଝିଅ ଓ ପୁଅଙ୍କ ବିବାହ ବୟସ ସମାନ ହୋଇଥିବା ଆବଶ୍ୟକ । ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ମଧ୍ୟ ୨୦୧୮ରେ ଏହି ସମାନ ପ୍ରସ୍ତାବ ଦେଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ