ହାଇଦ୍ରାବାଦ: ସୁପ୍ରିମକୋର୍ଟର 48ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଏନଭି ରମଣା । ଏପ୍ରିଲ 24 ତାରିଖରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ମୁଖ୍ୟ ବିଚାରପତି ଭାବେ ସେ ଦାୟିତ୍ବ ଗ୍ରହଣ କରିବେ । ତେବେ କେବେ ଆପଣ ଭାବିଛନ୍ତି ସ୍ବାଧୀନତାକୁ 73 ବର୍ଷ ପୁରିଥିବା ବେଳେ ଆଜିଯାଏଁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ପଦବୀରେ ମହିଳା ବିଚାରପତିଙ୍କୁ ଦେଖିବାକୁ ମିଳିନାହାଁନ୍ତି ! ଦେଶରେ ସର୍ବୋଚ୍ଚ ନ୍ୟାୟାଳୟରେ ମହିଳାଙ୍କ ଯୋଗଦାନ 0.1 ପ୍ରତିଶତରୁ ବି କମ୍ ରହିଛି । ସ୍ବାଧିନତା ପରଠାରୁ ଏଯାବତ୍ ସୁପ୍ରିମକୋର୍ଟରେ ମାତ୍ର 8 ଜଣ ମହିଳା ବିଚାରପତି ଥିଲେ । ଆଉ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବର୍ତ୍ତମାନ ଏହାର ସଂଖ୍ୟା 1 । ତେବେ କଣ ରହୁଛି ଏହାର କାରଣ ? ଯେଉଁ ସମ୍ବିଧାନ ଦେଶର ଜନତାଙ୍କୁ ସମାନ ଅଧିକାର ଦେଉଥିବା ଦାବି କରି ଆସୁଛି, ସେହି ସମ୍ବିଧାନକୁ ପ୍ରଣୟନ କରିବା ପାଇଁ ମହିଳାଙ୍କ ଯୋଗଦାନର ଅଭାବ ରହିଛି ।
1935ରେ ସ୍ବାଧିନତା ଆଡକୁ ଗୋଟେ ପାଦ ଆଗେଇ ପ୍ରଣୟନ ହେଲା ଭାରତ ସରକାର ଅଧିନିୟମ, 1935 । ଏହା ଅଧିନରେ 1937 ମସିହାରେ ଗଠିତ ହେଲା ଫେଡେରାଲ୍ ଅଫ୍ କୋର୍ଟ, ଯାହା ସ୍ବାଧିନତା ପରେ 1950 ଜାନୁଆରୀ 28ରେ ସୁପ୍ରିମକୋର୍ଟରେ ପରିଣତ ହେଲା । ସ୍ବାଧିନ ଭାରତର ପ୍ରଥମ ସିଜେଆଇ ହେବେଲ ଏଚ.ଜେ କାନିଆ । ଏହାପରେ ପ୍ରତିଥର ଜଣେ ଜଣେ ପୁରୁଷ ବିଚାରପତି ଭାରତର ମୁଖ୍ୟବିଚାରପତି ପଦରେ ଅଧିବେଶିତ ହେଲେ । ପ୍ରଥମେ ସମାଜ ଆମ ନାରୀଙ୍କୁ ଆଗକୁ ବଢାଇବା ସମର୍ଥନରେ ନଥିଲା, ଧିରେ ଧିରେ ସମାଜ ପରିବର୍ତ୍ତନ ସହ ଭାରତୀୟ ସମ୍ବିଧାନ ନାରୀଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସମାନ ଅଧିକାର ଦେଇଛି, ଯାହାର ଉଦାହରଣ ଇନ୍ଦିରା ଗାନ୍ଧୀ । ସ୍ବାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ । ଏହାପରେ 12ତମ ରାଷ୍ଟ୍ରପତି ଭାବେ 2007ରେ ଅଧିବେଶିତ ହୋଇଥିଲେ ପ୍ରତିଭା ଦେବୀସିଂହ ପାଟିଲ୍ । ଦେଶରେ ବଡ ବଡ ଭାର ସମ୍ଭାଳିଛନ୍ତି ମହିଳା । ତେବେ ଜୁ଼ଡିସିଆଲ୍ ସିଷ୍ଟମରେ ମହିଳାଙ୍କ ଯୋଗଦାନ ବହୁତ୍ କମ୍ ।
ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଥିଲେ କେରଳରୁ ଫାତିମା ବିବି, ଏହାପରେ ସୁଜାତା ମନୋହର, ରୁମା ପାଲ୍, ଜ୍ଞାନସୁଦ୍ଧା ମିଶ୍ରା, ରଞ୍ଜନା ଦେଶାଇ, ଆର.ଭାନୁମତି, ଇନ୍ଦୁ ମଲହୋତ୍ରା ଓ ଇନ୍ଦିରା ବାନାର୍ଜୀ । 1989ରେ ପ୍ରଥମ ମହିଳା ବିଚରପତି ନିଯୁକ୍ତ ହୋଇଥିବା ବେଳେ ଏହାର 5 ବର୍ଷ ପରେ ଦ୍ବିତୀୟ ମହିଳା ବିଚାରପତି ଭାବେ ସୁଜାତା ମନୋହର ନିଯୁକ୍ତି ପାଇଥିଲା । ଏହା ପରେ 6 ବର୍ଷ ପରେ ରୁମା ପାଲ୍ ନିଯୁକ୍ତି ପାଇଥିଲେ । ଏମାନଙ୍କ ମଧ୍ୟରୁ 7 ଜଣ ଅବସର ନେଇ ସାରିଛନ୍ତି । ଏବେ ଇନ୍ଦିରା ବାନାର୍ଜୀ କେବଳ ସୁପ୍ରିମକୋର୍ଟରେ ମହିଳା ଜଷ୍ଟିସ ଅଛନ୍ତି । ନିକଟରେ 13 ମାର୍ଚ୍ଚ 2021ରେ ଜଷ୍ଟିସ ଇନ୍ଦୁ ମଲହୋତ୍ରା ଅବସର ନେଇଛନ୍ତି, ଯାହା ପରେ ସୁପ୍ରିମକୋର୍ଟରେ ମହିଳା ବିଚାରପତି ପ୍ରସଙ୍ଗ ସାମ୍ନାକୁ ଆସିଥିଲା ।
କିଏ ଇନ୍ଦୁ ମଲହୋତ୍ରା ?
2018ରେ ସାବରୀମାଳା ଶୁଣାଣି କରାଯାଇଥିଲା ଓ ମହିଳାଙ୍କ ମନ୍ଦିର ପ୍ରବେଶ ନେଇ ସମସ୍ତ ବିବାଦରେ ପୂର୍ଣ୍ଣଚ୍ଛେଦ ପଡିଥିଲା । ଶେଷରେ ସାବରୀମାଳା ମନ୍ଦିର ଭିତରେ ମହିଳାଙ୍କ ପ୍ରବେଶକୁ ଅନୁମତି ଦିଆଯାଇଥିଲା, ଯାହା ଏବେବି ଏକ ବିବାଦର ବିଷୟ । ତେବେ ସେହି ସମୟରେ ଯେଉଁ ଖଣ୍ଡପୀଠ ସାବରୀମାଳା ଶୁଣାଣି କରିଥିଲେ, ସେମାନଙ୍କ ମଧ୍ୟରେ ଥିଲେ ଇନ୍ଦୁ ମଲହୋତ୍ରା । ରାୟ ବିରୋଧରେ ତାଙ୍କର ମତ ଥିଲା । ମନ୍ଦିର ମଧ୍ୟରେ ମହିଳାଙ୍କ ପ୍ରବେଶକୁ ନେଇ ସେ ବିରୋଧ ମତ ରଖିଥିଲେ । କେବଳ ସାବରୀମାଳା ନୁହେଁ ବରଂ ଧାରା 377 ଉଚ୍ଛେଦ ଶୁଣାଣି କରିଥିବା ଖଣ୍ଡପୀଠରେ ମଧ୍ୟ ଇନ୍ଦୁ ମଲହୋତ୍ରା ଥିଲେ ।
ସୁପ୍ରିମକୋର୍ଟରେ ବିଚାରପତି ନିଯୁକ୍ତିକୁ ନେଇ କଣ କହୁଛି ସମ୍ବିଧାନ ?
ସମ୍ବିଧାନର ଧାରା 124(1), 124(2) ଓ 124(3) ସୁପ୍ରିମକୋର୍ଟରେ ବିଚାରପତିଙ୍କ ନିଯୁକ୍ତି ବିଷୟରେ ବାଖ୍ୟା କରିଛି । ଧାରା 124(1) ଅନୁସାରେ, ଭାରତରେ ଏକ ସୁପ୍ରିମକୋର୍ଟ ରହିବ ଓ ସୁପ୍ରିମକୋର୍ଟରେ ଜଣେ ମୁଖ୍ୟବିଚାରପତି ରହିବେ । 124(2) ଅନୁସାରେ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରାଷ୍ଟ୍ରପତିଙ୍କ ଦ୍ବାରା ନିଯୁକ୍ତ ହେବେ । ଅନ୍ୟପକ୍ଷେ ଧାରା 124(3) ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତି ହେବାର ଯୋଗ୍ୟତାକୁ ବର୍ଣ୍ଣନା କରେ । ଏହି ଧାରା ଅନୁସାରେ ସୁପ୍ରିମକୋର୍ଟରେ ବିଚାରପତି ହେବା ପାଇଁ ଜଣେ ଓକିଲଙ୍କୁ ହାଇକୋର୍ଟର 10 ବର୍ଷ ପ୍ରାକ୍ଟିସ୍ କରିଥିବା ଦରକାର ନହେଲେ ହାଇକୋର୍ଟରେ 5 ବର୍ଷ ବିଚାରପତି ରହିବା ଦରକାର । ଏହାସହ ଯଦି ଆପଣ ଲ' କରି ବି ନଥାନ୍ତି କିମ୍ବା କୌଣସି ପ୍ରାକ୍ଟିସ୍ କରିନାହାଁନ୍ତି ତାହେଲେ ବି ଆପଣ ସୁପ୍ରିମକୋର୍ଟରେ ବିଚାରପତି ହୋଇପାରିବେ କିନ୍ତୁ ଏଥିପାଇଁ ଆପଣ ଜଣେ ପ୍ରତିଷ୍ଠିତ ନ୍ୟାୟ ସମୀକ୍ଷକ ହୋଇଥିବ ଆବଶ୍ୟକ । ଆଇନ କାନୁନ ବିଷୟରେ ବିଜ୍ଞ ଲୋକଙ୍କୁ ସୁପ୍ରିମକୋର୍ଟରେ ବିଚାରପତି କରାଯାଇ ପାରିବ କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନ ସୁଦ୍ଧା ଏହି କ୍ରାଇଟେରିଆର ବ୍ୟବହାର କରାଯାଇ ପାରିନାହିଁ ।
ନ୍ୟାୟପାଳିକାରେ ମହିଳାଙ୍କ ଯୋଗଦାନ-
ଯଦି ଆମେ ନିମ୍ନ ଅଦାଲତ କଥା କହିବା ତେବେ ସେଠାରେ ମୋଟ 15 ହଜାର ଓକିଲଙ୍କ ମଧ୍ୟରେ ମାତ୍ର 27 ପ୍ରତିଶତ ମହିଳା ଓକିଲ ଅଛନ୍ତି । ହାଇକୋର୍ଟ ସ୍ତରରେ ଏହାର ସଂଖ୍ୟା ଆହୁରୀ କମ୍ । ମାତ୍ର 10 ପ୍ରତିଶତ ହିଁ ମହିଳା ଓକିଲ ହାଇକୋର୍ଟରେ ଅଛନ୍ତି । ବର୍ତ୍ତମାନ ସମୟରେ ଯଦି ହାଇକୋର୍ଟରେ ମହିଳା ବିଚାରପତିଙ୍କ କଥା ଦେଖିବା ତେବେ କେବଳ ହିମା କୋହଲି ହିଁ ବିଚାରପତି ଅଛନ୍ତି, ସେ ତେଲେଙ୍ଗାନା ହାଇକୋର୍ଟର ବିଚାରପତି ଅଛନ୍ତି ଆଉ ସେ ମଧ୍ୟ ସେପ୍ଟେମ୍ବର 1, 2021ରେ ଅବସର ନେବେ ।
ନ୍ୟାୟପାଳିକାରେ ମହିଳା ବିଚାରପତିଙ୍କ ଯୋଗଦାନ କମ୍ ଥିବାର କାରଣ ?
- ଲ' ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିବର୍ଷ CLAT ପରୀକ୍ଷା ହୋଇଥାଏ । ପ୍ରତିବର୍ଷ ସମାନ ଅନୁପାତରେ ମହିଳା ଓ ପୁରୁଷ ପରୀକ୍ଷା ଦିଅନ୍ତି କିନ୍ତୁ ଯେତେବେଳେ ନିଯୁକ୍ତି ନେଇ ପ୍ରଶ୍ନ ଉଠେ ସେତେବେଳେ ସେଠାରେ ମହିଳାଙ୍କ ଅନୁପାତ କମିଯାଏ । CLAT ପରୀକ୍ଷା ପାଇଁ ମୁଖ୍ୟତଃ ସୁପ୍ରିମକୋର୍ଟର କୋଲାଜିୟମ୍ ନିଷ୍ପତ୍ତି ନିଅନ୍ତି ଆଉ ଏହି କୋଲାଜିୟମ୍ ଟିମରେ ସମସ୍ତେ ପୁରୁଷ । ଜଣେ ମହିଳା ବିଚାରପତି ହେବା ପୁରୁଷ ସମାଜ ପାଇଁ ବହୁତ୍ କମ୍ ଗ୍ରହଣୀୟ । ମହିଳା ଆଗକୁ ଆସି ରାୟ ଶୁଣାଇବା ପୁରୁଷଭିତ୍ତିକ ସମାଜକୁ ଗ୍ରହଣୀୟ ନଥାଏ, ଯେଉଁଥି ପାଇଁ ମହିଳାମାନେ ଆଗକୁ ଆସିପାରନ୍ତି ନାହିଁ ।
- ଦ୍ବିତୀୟରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ । ରାଜନୈତିକ ଦଳ ଏହାକୁ ନେଇ ଯଦି ସରକାରଙ୍କ ଦୃଷ୍ଟି ଆକର୍ଷଣ କରନ୍ତେ ତେବେ ନିହାତି ଭାବେ ଏହି ବିଷୟ ନେଇ ଆଲୋଚନା ହୋଇପାରନ୍ତା ।
- ତୃତୀୟରେ ଲ' ବାଛୁଥିବା ମହିଳାଙ୍କ ଉପରେ ପରିବାର ଚାପ । ନିକଟରେ ଏକ ଅଧ୍ୟୟନ ଅନୁସାରେ, ଭାରତରେ ମହିଳାଙ୍କ ବିବାହର ହାରାହାରି ବୟସ 22 ବର୍ଷ । କ୍ୟାରିୟର ଗଢିବା ସମୟରେ ମହିଳାଙ୍କ ବିବାହ ନିଯୁକ୍ତି ହ୍ରାସ ପାଇବାର ମୁଖ୍ୟ କାରଣ ।
ନ୍ୟାୟପାଳିକାରେ ମହିଳାଙ୍କ ଯୋଗଦାନ କାହିଁକି ଜରୁରୀ ?
ଅଦାଲତରେ ବିଭିନ୍ନ ପ୍ରକାରର ମାମଲା ଆସିଥାଏ । ଅନେକ ସମୟରେ ମହିଳାଙ୍କ ଉପରେ ଅତ୍ୟାଚାର ହେଉ କିମ୍ବା ମହିଳା ସମ୍ବନ୍ଧିୟ ମାମଲା ଆସିଥାଏ । ଏପରି ମାମଲାରେ ଜଣେ ମହିଳାଙ୍କ ଦୃଷ୍ଟିକୋଣର ଆବଶ୍ୟକତା ରହିଥାଏ । ଏହାର ଅର୍ଥ ନୁହେଁ ଯେ ପୁରୁଷ ବିଚାରପତି ଭଲ ରାୟ ଶୁଣାଇବେନି ମାତ୍ର ମହିଳାଙ୍କ ଉପରେ ଅତ୍ୟଚାର କ୍ଷେତ୍ରରେ ମହିଳା ବିଚାରପତି ଅଧିକ ସମ୍ବେଦନଶୀଳ ହୋଇପାରିବେ । ଏପରି ଅନେକ ମାମଲା ଅଛି ଯେଉଁଠି ମହିଳାଙ୍କ ଉପରେ ଅତ୍ୟାଚାରକୁ ଅନେକ ବିଚାରପତି ଥଟ୍ଟ ମଜା ଶୈଳୀରେ ରାୟ ଉପସ୍ଥାପନା କରନ୍ତି । ନିକଟରେ ସୁପ୍ରିମକୋର୍ଟ ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ପୀଡିତାକୁ ବିବାହ କରିବେ କି ବୋଲି ପ୍ରଶ୍ନ କରିଥିଲେ । ଏପରିକି ମଧ୍ୟପ୍ରଦେଶ ହାଇକୋର୍ଟରେ ବି ଏପରି ଏକ ମାମଲା ଦେଖିବାକୁ ମିଳିଥିଲା, ଯେଉଁଠି ଅଭିଯୁକ୍ତକୁ ରାକ୍ଷୀ ବାନ୍ଧିବାକୁ ପୀଡିତାଙ୍କୁ ବିଚାରପତି କହିଥିଲେ ତେଣୁ ମହିଳାଙ୍କ ମାମଲାରେ ମହିଳା ବିଚାରପତିଙ୍କ ସମ୍ବେଦନଶୀଳିତା ଅଧିକ ଜରୁରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ