ନୂଆଦିଲ୍ଲୀ: ନକ୍ସଲ ଆକ୍ରମଣରେ ଥରହର ହୋଇଉଠିଛି ଛତିଶଗଡ । ଯବାନଙ୍କ ରକ୍ତରେ ଭିଜିଛି ବିଜାପୁରର ମାଟି । ଜଙ୍ଗଲ ଭିତରେ ଲୁଚି ରହି ନକ୍ସଲ ଘଟାଇଛନ୍ତି ନାରକୀୟ କାଣ୍ଡ । ଆଉ ଟପିଯାଇଛନ୍ତି କାପୁରୁଷତାର ସମସ୍ତ ସୀମା ।
ସିଲଗେର ଜଙ୍ଗଲରେ ସୁରକ୍ଷାକର୍ମୀ-ନକ୍ସଲଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ନକ୍ସଲଙ୍କ ଏହି ନାରକୀୟ କାଣ୍ଡରେ ପ୍ରାଣ ହରାଇଛନ୍ତି 22ଜଣ ଯବାନ । ସେପଟେ 31ଜଣ ଆହତ ହୋଇଥିବା ବେଳେ ଏବେ ବି ଅନେକ ଯବାନ ନିଖୋଜ ହୋଇଛନ୍ତି ।
ବିଜାପୁରର ଏହି ବଡ ଆକ୍ରମଣ ଘଟଣାରେ ଟପ ନକ୍ସଲ କମାଣ୍ଡର ହିଡମାର ନାଁ ସାମ୍ନାକୁ ଆସୁଛି । ଅଚାନକ ହୋଇନାହିଁ ଏହି ଆକ୍ରମଣ । ଏହା ପଛରେ ରହିଛି ବିରାଟ ଷଡଯନ୍ତ୍ର ।
କିଏ ଟପ ନକ୍ସଲ କମାଣ୍ଡର ହିଡମା?
ବିଜାପୁର ଆକ୍ରମଣ ଘଟଣା ପଛରେ ସୁକମା ଜିଲ୍ଲାର 40 ବର୍ଷୀୟ ଟପ ନକ୍ସଲ କମାଣ୍ଡର ହିଡମାର ହାଥ ଥିବା ନେଇ କରାଯାଉଛି ସନ୍ଦେହ । 90 ଦଶନ୍ଧିରେ ନକ୍ସଲ ହିଂସାର ରାସ୍ତା ବାଛିନେଇଥିଲା ହିଡମା । ଏଯାବତ ସେ ନିଜ ହାତରେ ଅନେକ ନିରିହଙ୍କ ନେଇ ସାରିଛି ଜୀବନ ।
ହିଡମା ମାଓ ସଂଗଠନର ପିପୁଲ୍ସ ଲିବରେସନ ଗରିଲା ଆର୍ମି(ପିଜିଏଲଏ) ବାଟାଲିୟନ-1ର ମୁଖ୍ୟ । ଅନେକ ମାଓ ଆକ୍ରମଣର ମାଷ୍ଟର ମାଇଣ୍ଡ ରହିଛି ହିଡମା । ସେ ମାଓବାଦୀ ଦଣ୍ଡକାରଣ୍ୟ ସ୍ବତନ୍ତ୍ର କ୍ଷେତ୍ରୀୟ କମିଟିର ଜଣେ ସଦସ୍ୟ । ଏହାସହିତ ହିଡମା ସିପିଆଇର 21 ଜଣିଆ କେନ୍ଦ୍ରୀୟ କମିଟିର ମଧ୍ୟ ଯୁବ ସଦସ୍ୟ ରହିସାରିଛି ।
କିଛି ରିପୋର୍ଟରେ ଏହା ମଧ୍ୟ ଖୁଲାସା ହୋଇଛି ଯେ, ହିଡମାକୁ ମାଓବାଦୀଙ୍କ ମିଲିଟାରୀ କମିଶନର ମୁଖ୍ୟ ନିଯୁକ୍ତ କରାଯାଇଛି । ହେଲେ ଏ ରିପୋର୍ଟକୁ ନେଇ କୌଣସି ସ୍ପଷ୍ଟ ତଥ୍ୟା ସାମ୍ନାକୁ ଆସିନାହିଁ ।
କୁହାଯାଏ ଯେ ହିଡମା କେବଳ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛି, କିନ୍ତୁ ପଢିବା ଏବଂ ଲେଖିବା ପ୍ରତି ତା'ର ଆଗ୍ରହ ଥିବାରୁ ସେ ଇଂରାଜୀ ମଧ୍ୟ ଭଲଭାବେ କହିପାରେ । ହିଡମା ସର୍ବଦା ନିଜ ସହ ନୋଟବୁକ ରଖୁଥିବା ବେଳେ ଅନେକ କିଛି ବିଷୟରେ ଲେଖାଲେଖି ମଧ୍ୟ କରୁଥିବା କୁହାଯାଏ ।
ହିଡମାର ଠିକଣା
ସର୍ବଦା ଜଙ୍ଗଲରେ ଲୁଚିରୁହେ ହିଡମା । ତା'ର ସଦ୍ୟ ଫଟୋ ମଧ୍ୟ କୌଣସି ଜାଗାରେ ଉପଲବ୍ଧ ନାହିଁ । ହିଡମାର ମୁଣ୍ଡ ଉପରେ ରହିଛି 40 ଲକ୍ଷ ଟଙ୍କାର ପୁରସ୍କାର ।
ନକ୍ସଲ କମାଣ୍ଡର ହିଡମାର ସୁରକ୍ଷାରେ ଅଛି ନକ୍ସଲମାନଙ୍କ ମାରାତ୍ମକ ଟିମ । ଏହି ଦଳ ପାଖରେ ରହିଛି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ଆକ୍ରମଣ ସମୟରେ 400ରୁ ଉର୍ଦ୍ଧ୍ବ ନକ୍ସଲ । ହିଡମା ନିଜକୁ ଲୁଚାଇବା ପାଇଁ ଛତିଶଗଡ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଜଙ୍ଗଲର ନେଇଥାଏ ଆଶ୍ରୟ ।
ବଡ ନକ୍ସଲ ଆକ୍ରମଣ ପଛରେ ହିଡମାର ହାତ
- 2010ରେ ତାଡମେଟଲା ଆକ୍ରମଣରେ 76 CRPF ଯବାନ ହୋଇଥିଲେ ଶହୀଦ । ଆଉ ଏହି ଆକ୍ରମଣ ଘଟଣାରେ ଥିଲା ହିଡମାର ବଡ ଭୂମିକା ।
- ଏହା ପରେ, 2013ରେ ବହୁଚର୍ଚ୍ଚିତ ଜିରମ ଆକ୍ରମଣରେ ହିଡମାର ଲିଙ୍କ ରହିଥିଲା । ଏହି ଆକ୍ରମଣରେ କଂଗ୍ରେସର ବହୁ ବଡ ନେତାଙ୍କ ସମେତ 31 ଜଣ ପ୍ରାଣ ହରାଇଥିଲେ ।
- ସେହିପରି 2017ରେ ଦୁର୍ଗପାଲରେ ହୋଇଥିବା ଆକ୍ରମଣରେ ହିଡମା ମଧ୍ୟ ସାମିଲ ଥିଲା । ଏହି ଆକ୍ରମଣରେ 25 CRPF ଯବାନ ହୋଇଥିଲେ ଶହୀଦ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ