ସାରା ବିଶ୍ବରେ କୋଭିଡ୍ ଜନିତ ସଂକଟ ଲାଗି ରହିଥିବା ବେଳେ ଏହି ଅବସରର ସଦୁପଯୋଗ କରି ସାମଗ୍ରୀ ନିର୍ମାଣ କ୍ଷେତ୍ରରେ ଭାରତକୁ ଏକ ମହାଶକ୍ତି ରୂପରେ ଗଢ଼ି ତୋଳିବା ସହିତ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ କରିବା ହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସ୍ବର୍ଣ୍ଣିମ ସ୍ବପ୍ନ । ତଦନୁସାରେ ସେ ତାଙ୍କର ସର୍ବଶେଷ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଆତ୍ମ ନିର୍ଭରତା ଦିଗରେ ଦେଶକୁ ଆଗେଇ ନେବା ଲାଗି ଆହ୍ବାନ ଦେଇଛନ୍ତି । କେବଳ ଭାରତରେ ପ୍ରସ୍ତୁତ ସାମଗ୍ରୀ କିଣିବା ପାଇଁ ନୂଆ ବର୍ଷରେ ଶପଥ ନେବାକୁ ସମଗ୍ର ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ଏହା ସହିତ ଅନ୍ତର୍ଜାତୀୟ ସ୍ତରର ଗୁଣମାନ ସହିତ ତାଳ ଦେଇ ସାମଗ୍ରୀ ପ୍ରସ୍ତୁତ କରିବା ଲାଗି ସେ ଭାରତୀୟ ସାମଗ୍ରୀ ନିର୍ମାଣ କ୍ଷେତ୍ରକୁ ପରାମର୍ଶ ଦେଇଛନ୍ତି । ତାଙ୍କର ଏହି ସ୍ବପ୍ନକୁ ସାକାର କରିବା ଦିଗରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ କ୍ଷୁଦ୍ର ଶିଳ୍ପ ସଂସ୍ଥା ସମୂହ ନିଜ ନିଜର ଭୂମିକା ନିର୍ବାହ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।
କୋରୋନା ଭୂତାଣୁ କାରଣରୁ ଉତ୍ପନ୍ନ ମାନ୍ଦାବସ୍ଥାର ପ୍ରଭାବ ଯୋଗୁଁ ଭୁଶୁଡ଼ି ପଡ଼ିଥିବା ଘରୋଇ ସାମଗ୍ରୀ ନିର୍ମାଣ କ୍ଷେତ୍ରରେ ପୁନର୍ବାର ପ୍ରାଣ ସଞ୍ଚାର କରାଇବା ସକାଶେ କେବଳ ସ୍ବଦେଶୀ ସାମଗ୍ରୀ କିଣିବା ଲାଗି ଲୋକେ ପ୍ରସ୍ତୁତ ଅଛନ୍ତି । ହେଲେ ଲୋକଙ୍କୁ ସୁଲଭ ମୂଲ୍ୟରେ ଏହି ସବୁ ସ୍ବଦେଶୀ ସାମଗ୍ରୀ ନିଶ୍ଚିତ ଭାବରେ ଉପଲବ୍ଧ କରାଇବା ଦିଗରେ ସରକାରଙ୍କୁ ବହୁତ କିଛି କରିବାକୁ ପଡ଼ିବ । ବିଭିନ୍ନ କ୍ଷୁଦ୍ର ସଂସ୍ଥା କହିବା ଅନୁସାରେ କେବଳ ଆଗୁଆ ମୂଲ୍ୟ ପ୍ରଦାନ କରିଲେ ହିଁ ସେମାନଙ୍କୁ କଞ୍ଚାମାଲ ମିଳୁଛି ଏବଂ ତା ସାଙ୍ଗକୁ ପରିବହନ ବାବଦ ଖର୍ଚ୍ଚ ମଧ୍ୟ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି । ସରକାରଙ୍କ ନିକଟରୁ ଆର୍ଥିକ ସହାୟତା ପାଇବା ନିମନ୍ତେ ଏହି ସବୁ ସଂସ୍ଥା ଅବିରତ ଉଦ୍ୟମ ଚଳାଇଛନ୍ତି ।
ସାମଗ୍ରୀ ନିର୍ମାଣ କ୍ଷେତ୍ର ସହିତ ଜାତୀୟ ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ଦିଗରେ ସରକାର ସର୍ବାଗ୍ରେ ଯେଉଁ ପଦକ୍ଷେପ ନେଇପାରିବେ, ତାହା ହେଉଛି କ୍ଷୁଦ୍ର ଶିଳ୍ପ ସଂସ୍ଥାକୁ ଆର୍ଥିକ ସହାୟତା ପ୍ରଦାନ । ଅତ୍ୟାବଶ୍ୟକ ସାମଗ୍ରୀ ବର୍ଗ ଅନ୍ତର୍ଭୁକ୍ତ ହୋଇ ନଥିବା ଟେଲିଭିଜନ ଏବଂ ଦାମୀ ଆସବାବପତ୍ର ଆମଦାନୀ ଉପରେ କଟକଣା ଜାରି କରିବା ପାଇଁ ଚଳିତ ବର୍ଷ ଫେବ୍ରୁଆରୀରେ ପ୍ରସ୍ତାବ ଦିଆଯାଇଥିଲା । ସ୍ବଦେଶୀ ସାମଗ୍ରୀ କାରବାରକୁ ଉତ୍ସାହିତ କରିବା ଲାଗି କେନ୍ଦ୍ରୀୟ ପୋଲିସ କଲ୍ୟାଣ ଭଣ୍ଡାର ଦ୍ବାରା ପରିଚାଳିତ ବିକ୍ରୟ କେନ୍ଦ୍ରଗୁଡ଼ିକରୁ 1000 ପ୍ରକାର ବିଦେଶୀ ସାମଗ୍ରୀ ପ୍ରତ୍ୟାହାର କରିନିଆଯାଇଛି । ଗତ ସାତ ମାସ ହେଲା ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି । ମନେ ହେଉଛି, ସାରା ଦେଶରେ ଗୋଟିଏ ପ୍ରକାର ନୀତି ଲାଗୁ କରିବା ଦିଗରେ କେନ୍ଦ୍ର ସରକାର ଅଙ୍ଗୀକାରବଦ୍ଧ । ଦେଶରେ ବାର୍ଷିକ 42 ଲକ୍ଷ କୋଟି ଟଙ୍କା ଘରୋଇ ଖର୍ଚ୍ଚ ହେଉଛି ବୋଲି ଅତୀତରେ ସଂପାଦିତ ବିଭିନ୍ନ ବିଶ୍ଲେଷଣରୁ ସଂକେତ ମିଳିଛି । ଯଦିଓ କୋଭିଡ୍ କାରଣରୁ ଏହାର ଅଭିବୃଦ୍ଧି ହାର କିଛି ମାତ୍ରାରେ ସଂକୁଚିତ ହୋଇଛି, ତଥାପି, 2025 ମସିହା 2 ସୁଦ୍ଧା କେବଳ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଶିଳ୍ପର ଆକାର ଦୁଇ ଗୁଣ ହେବ ଏବଂ ଏହା 1 ଲକ୍ଷ 50 ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି ।
କେନ୍ଦ୍ର ସରକାରଙ୍କ ବାଣିଜ୍ୟ ବିଭାଗ ଅନୁସାରେ 2019 ମସିହାରେ ରପ୍ତାନୀ ତୁଳନାରେ ଆମଦାନୀ ପରିମାଣ ଅଧିକ ହୋଇଥିବାରୁ ଦେଶର ବାଣିଜ୍ୟିକ ନିଅଣ୍ଟ ପରିମାଣ 12 ଲକ୍ଷ କୋଟି ଟଙ୍କା ହୋଇଥିଲା । ସ୍ବଦେଶୀ ଉତ୍ପାଦର ଚାହିଦା ବୃଦ୍ଧି ଦିଗରେ ଏକ ଦୀର୍ଘସୂତ୍ରୀ ନୀତି ପ୍ରସ୍ତୁତ ହୋଇପାରିଲେ, ବିଦେଶୀ ରାଷ୍ଟ୍ର ଉପରେ ଆମର ନିର୍ଭରଶୀଳତା ହ୍ରାସ ପାଇବା ସହିତ ଦେଶର ଶିଳ୍ପ କ୍ଷେତ୍ରରେ ଅସାଧାରଣ ଅଭିବୃଦ୍ଧି ସଂଘଟିତ ହୋଇପାରିବ । ଗାଡ଼ିମଟର ଯନ୍ତ୍ରାଂଶ ବା ସ୍ପେଆର୍ ପାର୍ଟସ୍ ପ୍ରସ୍ତୁତିରେ ନିୟୋଜିତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ଉତ୍ସାହିତ କରିବା ଦିଗରେ କେନ୍ଦ୍ର ସରକାର କାଳବିଳମ୍ବ ନକରି ବିଚାର କରିବା ଉଚିତ ଏବଂ ଏହି ବ୍ୟବସ୍ଥାକୁ ପରବର୍ତ୍ତୀ ସହାୟତା ପର୍ଯ୍ୟାୟ ସହିତ ସଂଲଗ୍ନ କରି ଏହାକୁ ଅତ୍ୟାବଶ୍ୟକ ସ୍ତର ରୂପେ ବିବେଚନା କରି ସହାୟତା ପ୍ରଦାନ କରିବା ଉଚିତ ।
ଯୁବ ବର୍ଗ ହିଁ ଦେଶର ପ୍ରାକୃତିକ ଶକ୍ତି । ଚୀନ ଓ ଜାପାନ ସହିତ ତୁଳନା କଲେ ଭାରତୀୟମାନଙ୍କର ହାରାହାରି ବୟସ ଢେର କମ୍। ଭାରତୀୟମାନଙ୍କର ହାରାହାରି ବୟସ 28 ବର୍ଷ । ପରିସଂଖ୍ୟାନରୁ ଜଣାପଡ଼ିଛି ଯେ ଦେଶର 64 ପ୍ରତିଶତ ଲୋକ କାର୍ଯ୍ୟକ୍ଷମତା ସଂପନ୍ନ ବୟସ ବର୍ଗ ଅନ୍ତର୍ଭୁକ୍ତ । ଶିକ୍ଷିତ ବ୍ୟକ୍ତିଙ୍କ ମଧ୍ୟରେ ବେକାରି ହାର ବୃଦ୍ଧି ଲାଗି ଦାୟୀ ବ୍ୟବସ୍ଥାରେ ଆବଶ୍ୟକ ସଂଶୋଧନ ହେବା ଉଚିତ । କାର୍ଯ୍ୟଦକ୍ଷ ବ୍ୟକ୍ତିଙ୍କ ପ୍ରତିଶତ ହାର ବୃଦ୍ଧି ହିଁ ବର୍ତ୍ତମାନ ସମୟର ଆବଶ୍ୟକତା । ଅବ୍ୟବସ୍ଥା କାରଣରୁ ଦେଶର ଶିଳ୍ପ କ୍ଷେତ୍ରରେ ଲାଗି ରହିଥିବା ଅଚଳାବସ୍ଥାକୁ ସୁଧାରିବା ଦିଗରେ ଦୂରଦର୍ଶୀ ରଣନୀତି ଆପଣେଇ ନେବା ଦ୍ବାରା ହିଁ ଭାରତରେ ଉତ୍ପାଦିତ ସାମଗ୍ରୀର ଚାହିଦା ବୃଦ୍ଧି ପାଇବ ।