ଲକ୍ଷ୍ନୌ: ୧୯୯୬ ବିଧାନସଭା ନିର୍ବାଚନ ସମୟର କଥା । ଉତ୍ତରପ୍ରଦେଶ ଏଟାର ଜିଆଇସି ମୈଦାନରେ ହେଉଥିଲା ଭାରତୀୟ ଜନତା ପାର୍ଟିର ନିର୍ବାଚନୀ ରାଲି । ଆଉ ରାଲିକୁ ସମ୍ବୋଧିତ କରିବାକୁ ଯାଉଥିଲେ କଲ୍ୟାଣ ସିଂହ । ହେଲେ ଏହି ସମୟରେ ଅଚାନକ ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ । ଚମକି ଉଠିଲା ବିଜୁଳି ଆଉ ତା ସାଙ୍ଗକୁ ଘଡଘଡିର ଗର୍ଜନ । ମେଘକୁ ଦେଖି କଲ୍ୟାଣ ସିଂହଙ୍କ ଭାଷଣ ଶୁଣିବାକୁ ପହଁଞ୍ଚିଥିବା ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡିଥିଲେ । ମୁସଳଧାରାର ବର୍ଷା ଆଶଙ୍କାରେ ଲୋକେ ସଭାସ୍ଥଳ ଛାଡି ଘର ମୁହାଁ ହେବାରେ ଲାଗିଥିଲେ । ଏହି ସମୟରେ ମଞ୍ଚ ଉପୁରୁ ଶୁଭିଲା 'ହେଲୋ ରାମଲଲା...ମୁଁ କଲ୍ୟାଣ ସିଂହ କହୁଛି । ଏବେ ଗୋଟିଏ ସଭା ହେବାର ଅଛି । ଯେତେ ପର୍ଯ୍ୟନ୍ତ ସଭା ଚାଲିବା, ସେଯାଏଁ ଦୟାକରି ବର୍ଷା ବନ୍ଦ କରିଦିଅ ।'
କଲ୍ୟାଣ ଏତିକି କହିବା କ୍ଷଣି ସଭାସ୍ଥଳ ଛାଡି ଯିବାକୁ ପ୍ରସ୍ତୁତ ହେଉଥିବା ଭିଡ ଅଟକିଯାଇଥିଲା । କଲ୍ୟାଣ ସିଂହ ଆଗକୁ କହିଲେ, ଚିନ୍ତା କରିବାର ଆବଶ୍ୟକତା ନାହିଁ । ମୋର ସିଧାସଳଖ ରାମଲଲାଙ୍କ ସହ ଆଲୋଚନା ହୋଇଛି । ଯେତେ ପର୍ଯ୍ୟନ୍ତ କଲ୍ୟାଣ ସିଂହ ଭାଷଣ ଦେବେ ସେଯାଏଁ ବର୍ଷାର ବୁନ୍ଦା ପଡିବ ନାହିଁ । ସଂଯୋଗ ଏଭଳି ଥିଲା ଯେ ସତକୁ ସତ ଯେତେ ପର୍ଯ୍ୟନ୍ତ ସଭା ଚାଲିଲା, ସେତେ ପର୍ଯ୍ୟନ୍ତ ବର୍ଷା ହେଲା ନାହିଁ । ଆଉ ସଭା ଶେଷ ହେବା କ୍ଷଣି ବର୍ଷା ଆରମ୍ଭ ହୋଇଥିଲା । ଏହାକୁ ଦେଖି ସେଠାରେ ଉପସ୍ଥିତ ଜନସମୁଦ୍ରରୁ ଭାସିଆସିଲା କଲ୍ୟାଣ ସିଂହ ଜୟଜୟକାରର ନାରା । ଏହି ନିର୍ବାଚନରେ ଏଟାର ୮ଟି ଆସନରୁ ୫ଟି ଆସନରେ ବିଜେପିକୁ ମିଳିଲା ପ୍ରଚଣ୍ଡ ବହୁମତ ।
ରାଜନୀତିର ପ୍ରତିଟି କଳାରେ ମାହିର ଥିଲେ ବାବୁଜୀ ତଥା କଲ୍ୟାଣ ସିଂହ । କହିବାକୁ ଗଲେ ଜିଦଖୋର ରାଜନୈତିଜ୍ଞ ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ ବାବୁଜୀ । ହେଲେ ଅତ୍ୟନ୍ତ ମେଳାପୀ, ସରଳ ସ୍ବଭାବ, ବନ୍ଧୁ ତିଆରି କରିବା ସହ ଲୋକଙ୍କୁ ଯୋଡି ରଖିବା କଳା ମଧ୍ୟ କଲ୍ୟାଣ ସିଂହଙ୍କୁ ବେଶ ଜଣାଥିଲା । ଆଉ ଏହି କାରଣରୁ ସେ ଲୋକଙ୍କ ହୃଦୟର ବାବୁଜୀ ହୋଇ ରହିଥିଲେ ।