ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଆମ ଆଦମି ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ଆଜି ଭେଟଘାଟ ହୋଇଛି । କେଜ୍ରିୱାଲଙ୍କୁ ଭେଟିବା ପାଇଁ ନୀତିଶଙ୍କ ସହ ସହ ତେଜସ୍ବୀ ଯାଦବ, ମନୋଜ ଝା, ଲଲନ ସିଂ ଏବଂ ସଞ୍ଜୟ ଝା ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । କ୍ଷମତାକୁ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ତୁତୁ ମେମେ ଚାଲିଥିବାବେଳେ ଉପରାଜ୍ୟପାଳଙ୍କ କ୍ଷମତା ସମ୍ପର୍କିତ ଅଧ୍ୟାଦେଶ ପ୍ରସଙ୍ଗରେ ମଧ୍ୟ ନୀତିଶ ଆଲୋଚନା କରିଥିବା ଜଣାପଡ଼ିଛି । ଆମେ କେଜ୍ରିୱାଲଙ୍କ ସହ ଅଛୁ ବୋଲି ଗଣମାଧ୍ୟମ ସମ୍ମୁଖରେ ମତ ରଖିଛନ୍ତି ନୀତିଶ କୁମାର । ସେପଟେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ୮ ଦିନରେ କେନ୍ଦ୍ର ସରକାର ପରିବର୍ତ୍ତନ କରିଦେବା ସହ ଦିଲ୍ଲୀ ସରକାରଙ୍କ ସମସ୍ତ କ୍ଷମତା ଛଡ଼ାଇ ନିଆଯାଇଥିବା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି କେଜ୍ରିୱାଲ ।
ଅପରପକ୍ଷେ ନୀତିଶ ଏବେ ବିରୋଧୀ ମେଳି କରିବା ପାଇଁ ପ୍ରୟାସ କରୁଥିବା ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ମଧ୍ୟ ଦିଲ୍ଲୀ ଗସ୍ତ କରିବା ସହ କେଜ୍ରିୱାଲଙ୍କୁ ସାକ୍ଷାତ କରିସାରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଗତ ଶନିବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶିଦ୍ଧରମୈୟାଙ୍କ ଶପଥ ଗ୍ରହଣ ସମାରୋହରେ ମଧ୍ୟ ନୀତିଶଙ୍କୁ ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ସେ ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସହ ସାକ୍ଷାତ କରିଥିବାର ମଧ୍ୟ ନଜିର ରହିଛି ।
ଅପରପକ୍ଷେ ଗତ ସପ୍ତାହରେ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଆଦିତ୍ୟ ଠାକରେ ମଧ୍ୟ ଦିଲ୍ଲୀ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସହ ସାକ୍ଷାତ କରିଥିଲେ । ତେବେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନୀତିଶ କୁମାର ବିରୋଧୀଙ୍କୁ ଏକଜୁଟ କରିବାକୁ ପ୍ରୟାସ କରୁଥିବା ନେଇ ଚର୍ଚ୍ଚା ହେଉଛି । କାରଣ ଆଞ୍ଚଳିକ ଦଳ ସମେତ ପ୍ରାୟ ୧୫ଟି ଦଳର ମୁଖ୍ୟ ତଥା ନେତାମାନଙ୍କୁ ଭେଟି ସମ୍ପର୍କ ସୁଦୃଢ କରିବାରେ ଲାଗି ପଡ଼ିଛନ୍ତି ନୀତିଶ ।
ପୂର୍ବରୁ ଦିଲ୍ଲୀ ଗସ୍ତରେ ଆସି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କ ସହ ନୀତିଶ ସାକ୍ଷାତ କରିଥିଲେ । ପରେ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସହ ସାକ୍ଷାତ ମଧ୍ୟ କରିଥିବାବେଳେ ଆଜି ଦ୍ବିତୀୟ ଥର ସାକ୍ଷାତ କରିବା ନେଇ ସୂଚନା ମିଳିଛି । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଏନସିପି ସୁପ୍ରିମୋ ଶରଦ ପାୱାର ଏବଂ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ସାକ୍ଷାତ ସରିଛି ।
କେବଳ ସେତିକି ନୁହେଁ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌଟାଲା, ରାଷ୍ଟ୍ରୀୟ ଲୋକଦଳ ନେତା ଜୟନ୍ତ ଚୌଧୁରୀ, ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରେଟିକ ଫ୍ରଣ୍ଟର ନେତା ମୌଲାନା ବଦ୍ଦରୁଦ୍ଦିନ, ସିପିଆଇ ଓ ସିପିଏମ ଦଳର ନେତାମାନଙ୍କ ସହ ମଧ୍ୟ ସାକ୍ଷାତ କରି ଆଲୋଚନା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ । ତେବେ ଆସନ୍ତା ନିର୍ବାଚନରେ ଏକ ନୂଆ ସମୀକରଣ ସୃଷ୍ଟି କରିବା ଲକ୍ଷ୍ୟରେ ନୀତିଶ ଥିବା ନେଇ ମତ ପୋଷଣ କରିଛନ୍ତି ରାଜନୈତିକ ବିଶେଷଜ୍ଞ ।